ବନ୍ତ ବ୍ଲକରେ ପରିବା ସଂରକ୍ଷଣ ଗୃହ ଦାବି

  ବନ୍ତ: କୃଷି ଓ କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ରରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ବନ୍ତ ବ୍ଲକର ଚାଷୀଙ୍କ ଉତ୍ପାଦିତ ପନିପରିବାର ରକ୍ଷଣାବେକ୍ଷଣ ପାଇଁ ସଂରକ୍ଷଣ ଗୃହ (ଶୀତଳ ଭଣ୍ଡାର) ନଥିବାରୁ ଚାଷୀମାନେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ବିଶେଷ କରି କାଦବରାଙ୍ଗ, ଓଡ଼ଙ୍ଗ, ଗଣିଜାଙ୍ଗ, ଛୟାଳସିଂହ, ସମେତ ପଚିଶିଗୋଟି ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ପରିବା ଚାଷ ସହିତ  ଉଭୟ ଧାନ ସହ ରବି ଋତୁରେ ପନିପରିବା ଚାଷ କରାଯାଏ । ତେବେ ବହୁ ଅର୍ଥ ଓ ଶ୍ରମ କରି ଉପ୍ତାଦିତ ପରିବାକୁ ଉଚିତ ସ୍ଥାନରେ ବିକ୍ରି କରିବା ଲାଗି ସୁବିଧା ନଥିବାରୁ ବାଧ୍ୟହୋଇ ବନ୍ତ ଓ ଭଦ୍ରକରେ ବିକ୍ରି କରିଥାନ୍ତି । ବନ୍ତ ବ୍ଳକରେ ୧୮ ହଜାର ୮ ଶହ ୬୫ ହେକ୍ଟର ଜମିରେ ଧାନ ଚାଷ ହେଉଥିବାବେଳେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଜମିରେ ବିଭିନ୍ନପଞ୍ଚାୟତରେ ଉଭୟ ଧାନ ସହ ରବି ଋତୁରେ ପନିପରିବା ଚାଷ କରାଯାଏ । 
କିଛି ମାସ ପୂର୍ବେ ବିଲାତି ବାଇଗଣ ୬୦ ଟଙ୍କା ଥିବା ବେଳେ ଏବେ ୫ ଟଙ୍କାରେ ପହଞ୍ଚିଛି । ସେହିପରି ବାଇଗଣ, କୋବି, ଗାଜର, ବିମ ସହ ଅନ୍ୟାନ୍ୟ ପରିବା ଶସ୍ତା ହେଲାଣି । ଏହି ଅଞ୍ଚଳରେ ପନିପରିବାର ଉତ୍ପାଦନ ତୁଳନାରେ ଆବଶ୍ୟକ ବଜାର ନଥୁବା ଓ ପରିବା ଦାମ କମୁ ଥିବାରୁ ଚାଷୀଙ୍କ ପରିଶ୍ରମ ସହ ହୋଇଥିବା ଖର୍ଚ୍ଚ ଉଠୁ ନଥିବା ଚାଷୀ କହୁଛନ୍ତି । ଏଭଳି ସ୍ଥିତିରେ ଉକ୍ତ ଅଞ୍ଚଳରେ ଉତ୍ପାଦିତ ପନିପରିବାର ସଂରକ୍ଷଣ ପାଇଁ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି । ସଂପ୍ରତି ଦର କମ ଥିବା ସମୟରେ ଉତ୍ପାଦିତ ପରିବାକୁ ଶୀତଳ ଭଣ୍ଡାରରେ ରଖି ପରବର୍ତ୍ତୀ ସମୟରେ ବିକ୍ରି କଲେ ଉଭୟ ବେପାରୀ ଓ ଖାଉଟି ଉପକୃତ ହୁଅନ୍ତେ । 
ବର୍ତ୍ତମାନର ସରକାର ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରତି ବ୍ଲକର ଆବଶ୍ୟକ ସ୍ଥାନରେ ପରିବା ସଂରକ୍ଷଣ ଗୃହ ନିର୍ମାଣ ସହ ଚାଷ ଓ ଚାଷୀର ମଙ୍ଗଳ ପାଇଁ ଉନ୍ନତ ବିହନ, କୃଷି ଯନ୍ତ୍ରପାତି, ଜଳସୋଚନ ବ୍ୟବସ୍ଥା କରିବ ଦିଗରେ ଉଚିତ ପ୍ରଦକ୍ଷେପ ନୋବକୁ ଚାଷୀ ମହଲରେ ଦାବି ହେଉଛି ।