ବନ୍ଧୁକ ମୁନ୍ରେ ବ୍ୟାଙ୍କ ଲୁଟ୍
ରାଇରଙ୍ଗପୁର: ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ । ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାର ଉପକଣ୍ଠ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଡକାୟତି ଗ୍ୟାଙ୍ଗ । ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ଦଶରୁ ଏଗାର ଘଟିକା ମଧ୍ୟରେ ପାଞ୍ଚ ଜଣ ଡକାୟତ ହଠାତ୍ ବ୍ୟାଙ୍କ ଭିତରକୁ ପ୍ରବେଶ କରି ସମସ୍ତଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ବ୍ୟାଙ୍କ ମ୍ୟାନେଜର ବୈଦ୍ୟନାଥ ହେମ୍ବ୍ରମ ଓ ବ୍ୟାଙ୍କ କର୍ମଚାରୀ ସନ୍ତୋଷ ମହାନ୍ତଙ୍କୁ ଆକ୍ରମଣ କରି ଡକାୟତମାନେ ଆନୁମାନିକ କୋଡିଏ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ । ଡକାୟତ ଦଳ ବ୍ୟାଙ୍କ ଛାଡିବା ବେଳେ ଭିତରେ ଥିବା ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ ବାହାରପଟୁ ତାଲା ପକାଇ ଫେରାର ହୋଇଯାଇଥିଲେ । ଖବର ପାଇ ବହଳଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।