ବନ୍ୟାକୁ ଭରସା ବାଲିରେ ତିଆରି ନଦୀବନ୍ଧ ରାସ୍ତା; ଅଧିକାରୀ କହିଲେ ତଦାରଖ ହେବ
ବ୍ରହ୍ମବରଦା: ବନ୍ୟାକୁ ଭରସା ବାଲିରେ ତିଆରି ୩୮କୋଟିର ନଦୀବନ୍ଧ । ଯାହା ଦେଖିବାକୁ ମିଳିଛି ବ୍ରାହ୍ମଣୀ ନଦୀ ବାମ ପାର୍ଶ୍ୱରେ ନିର୍ମିତ ନଦୀବନ୍ଧ ରାସ୍ତାରେ । ରସୁଲପୁର ବ୍ଲକ ଅଧିନ ପ୍ରଥମା ଖଣ୍ଡି ବଡ଼ମ୍ବା ଠାରୁ ଅରୁଆଳ ପର୍ଯ୍ୟନ୍ତ ଦୀର୍ଘ ୩୦ କିମି ରାସ୍ତାର ଝାଲପଡାରୁ ରୁଦ୍ରପୁର ପର୍ଯ୍ୟନ୍ତ ବର୍ତ୍ତମାନ ଚାଲୁରହିଛି ନଦୀବନ୍ଧ ରାସ୍ତା । ଯେଉଁଥିପାଇଁ ଗ୍ରାମବାସୀଙ୍କ ବିରୋଧ ପରେ ଉକ୍ତ ନଦୀବନ୍ଧ ରାସ୍ତାକାମ ଉନ୍ନତ ଧରଣର ହେବା ପରିବର୍ତେ ବନ୍ଦ ରହିଛି । ଯାହାଦ୍ୱାରା ଜନଅସନ୍ତୋଷ ବଢିବାରେ ଦେଖାଦେଇଛି ।
ସୂଚନା ଅନୁଯାୟୀ ସରକାରଙ୍କ ରାଜକୋଷରୁ ବ୍ରହ୍ମଣୀ ନଦୀର ବାମ ପାର୍ଶ୍ୱ ନଦୀବନ୍ଧର ଉନ୍ନତିକରଣ ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ତାହା ମାସ କେଇଟାରେ ଭାଙ୍ଗିରୁଜି ନଷ୍ଟ ହେଇଯାଉଛି । ରାସ୍ତା ମରାମତି ଓ ନିର୍ମାଣ ବାହାନାରେ ଯନ୍ତ୍ରୀ ଓ ଠିକାଦାରଙ୍କ ମିଲିଭଗତରେ ସରକାରୀ ଅନୁଦାନକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି । ଉକ୍ତ ଘଟଣାକୁ ନେଇ ଗ୍ରାମବାସୀ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ସହିତ ତଦନ୍ତ କରି ଉନ୍ନତମାନର କାର୍ଯ୍ୟ କରିବା ପାଇଁ ଦାବି କରିଥିଲେ । ହେଲେ ଉକ୍ତ ବନ୍ଧ ରାସ୍ତା କାମ ପରିବର୍ତ୍ତନ ହେବା ବଦଳରେ କାମ ବନ୍ଦ ହୋଇଯାଇଛି । ଅନ୍ୟପକ୍ଷରେ ଠିକାଦାର ଜଣଙ୍କ ନଦୀବନ୍ଧର ଉଭୟ ପାଶ୍ୱର୍କୁ ଖୋଳି ତାଢି ଦେଇଛି । ଫଳରେ ନଦୀବନ୍ଧ ଦୁର୍ବଳ ହେବା ସହ ଆଗାମୀ ଦିନରେ ନଦୀରେ ବନ୍ୟା ଆସିଲେ ଘାଇ ଆଶଙ୍କା ରହୁଥିବାରୁ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ବନ୍ଧରେ ବାଲି ବଦଳରେ ମାଟି ପକାଇ ରାସ୍ତାକୁ ମରାମତି ନ କଲେ ଗ୍ରାମବାସୀ ମାନେ ଜନସ୍ୱାର୍ଥ ମାମଲା କରିବା ପାଇଁ ଚେତାବନି ଦେଇଛନ୍ତି । ସୂଚନାଥାଉକି ପାଣିକୋଇଲି ଡିଭିଜନ ବରୁଆଁ ସେକସନ ପୂର୍ତ୍ତ ବିଭାଗ ଅଧୀନରେ ଥିବା ବ୍ରାହ୍ମଣୀ ନଦୀବନ୍ଧ ପ୍ରଥମାଖଣ୍ଡି ବଡମ୍ବା ଠାରୁ ଅରୁଆଳ ପର୍ଯ୍ୟନ୍ତ ଦୀର୍ଘ ୩୦ କିମି ନଦୀବନ୍ଧ ରାସ୍ତାକୁ ସୁଦୃଢ କରିବା ପାଇଁ ବିଭାଗ ତରଫରୁ ୩୮କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ସୂଚନା ଫଳକ ବିନା କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ତ୍ତମାନ ଝାଲପଡା ଠାରୁ ରୁଦ୍ରପୁର ପର୍ଯ୍ୟନ୍ତ ନଦୀବନ୍ଧର ଉଭୟ ପାଶ୍ୱର୍ରେ ମାଟି ବଦଳରେ ବାଲି ପକାଯାଇ ଏହାକୁ ଚଉଡା କରାଯାଉଛି । ଫଳରେ ସାମାନ୍ୟ ବର୍ଷାରେ ନଦୀବନ୍ଧର ବହୁ ସ୍ଥାନରେ ମାଳମାଳ ରେନକଟ ମାନ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ପୂର୍ବରୁ ଥିବା ଏହି ୧୦ଫୁଟିଆ ନଦୀବନ୍ଧକୁ ୨୩ ଫୁଟ ଚଉଡା କରାଯିବା ସହିତ ଏହାକୁ ପିଚୁ କରିବାକୁ ଚୁକ୍ତିନାମା କରାଯାଇଛି । ରାସ୍ତାଟି ୧୮ଫୁଟ ପିଚୁ ସହିତ ଉଭୟ ଦୁଇ ପାଶ୍ୱର୍କ ମୋଟ ୫ଫୁଟ ଚଉଡା ରହିବ । ଯେଉଁଥି ପାଇଁ ନଦୀବନ୍ଧ ସୁରକ୍ଷିତ ହେବା ସହ ଘାଇ ସୃଷ୍ଟି ହେବା ଆଶଙ୍କା କମ ରହିବ । ହେଲେ ମାଟି ବଦଳରେ ବାଲିରେ କାର୍ଯ୍ୟ ହେବା ଦ୍ୱାରା ଲୋକମାନେ ଉତେଜିତ ହେବା ସହିତ ବନ୍ଧ କାର୍ଯ୍ୟ କରିବାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ତଦନ୍ତ କରିବା ସହିତ ବାଲି ବଦଳରେ ମାଟିରେ କାର୍ଯ୍ୟ ଆରମ୍ବ କରିବାକୁ ଗ୍ରାମବାସି ମାନେ ଦାବି କରିଛନ୍ତି । ଏନେଇ ବରୁଆଁ ପୂର୍ତ୍ତବିଭାଗର ସେକ୍ସନ ଅଧିକାରୀ ଅରବିନ୍ଦ ମହାନ୍ତିଙ୍କୁ ଫୋନ ଯୋଗେ ମତାମତ ନେବାରୁ ସେ କହିଥିଲେ କି ୧୦-୧୨ଦିନ ପୂର୍ବରୁ ସେ ଉକ୍ତ ବନ୍ଧରାସ୍ତା ତଦାରଖ କରି ଆସିଥିଲେ । ପୁନର୍ବାର ମଧ୍ୟ ତଦାରଖ କରିବାକୁ ଆସିବେ । ଜଦି ମାଟି ବଦଳରେ ବାଲି ପଡିଥିବ ତାହେଲେ ଉକ୍ତ ସ୍ଥାନରୁ ବାଲିକୁ ବାହାର କରି ମାଟି ପକାଯିବା ବୋଲି କହିଥିଲେ । ତା ସହିତ ଆସନ୍ତା ଶୁକ୍ରବାର ଭିତରେ ବନ୍ଦ ରହିଥିବା ନଦୀବନ୍ଧ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ଶ୍ରୀ ମହାନ୍ତି କହିଥିଲେ ।