ବରଯାତ୍ରୀ ଶୋଭାଯାତ୍ରାରେ ତୁମୁଳକାଣ୍ଡ
ସିଂହପୁର : ରବିବାର ରାତିରେ ବିବାହ ଶୋଭାଯାତ୍ରାରେ ନାଚକୁ ନେଇ ଘଟିଛି ତୁମୁଳକାଣ୍ଡ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସି ହଟହଟା ହୋଇଛନ୍ତି ୬୦ରୁ ଉର୍ଦ୍ଧ ବରଯାତ୍ରୀ । ଏପରିକି ବିବାହ ପରେ ମଧ୍ୟ ବରଯାତ୍ରୀ ଓ ବର କନ୍ୟାଙ୍କୁ ୧୦ଘଣ୍ଟା ଧରି ଅଟକ ରହିବାକୁ ପଡିଛି । କନ୍ୟାପକ୍ଷ ଲୋକ ବରଯାତ୍ରୀଙ୍କୁ ମାଡ ମାରିବା ସହିତ ସେମାନେ ଆସିଥିବା ବସକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତରେ ଘଟିଛି । ଘଟଣା ଅନୁଯାଇ ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳର ରାକେଶ ପରିଡାଙ୍କ ପୁଅ ଓ ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତର ସୁରେନ୍ଦ୍ର ସାମଲଙ୍କ ଝିଅ ବାହାଘର ଗତକାଲି ଅନୁଷ୍ଠିତ ହୋଇଥିଲା । ଅସ୍ତରଙ୍ଗରୁ ବର ଓ ବରଯାତ୍ରୀ ଜରୀରେ ପହଁଚି ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରର କିଛି ସମୟ ପରେ କନ୍ୟାର ଦାଦା ପୁଅ ଭାଇ ଓ ଗ୍ରାମରେ କେତେକ ଯୁବକ ଉକ୍ତ ଶୋଭାଯାତ୍ରାରେ ବରଯାତ୍ରୀଙ୍କ ସହିତ ନୃତ୍ୟ କରିଥିଲେ । ଯାହାକୁ ନେଇ ବରଯାତ୍ରୀ ଓ କନ୍ୟାର ଦାଦାପୁଅ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ବରଯାତ୍ରୀ ମାନଙ୍କୁ ମାଡ ମାରିବା ସହିତ ସେମାନେ ଆସିଥିବା ବସ (ଓଡି ୦୨ଏଏନ୮୪୬୯)କୁ କନ୍ୟାର ଦାଦପୁଅ ଓ ତାର ସହଯୋଗୀ ମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ତୁମୁଳକାଣ୍ଡ ଘଟିଥିଲା । ବାଦ ବିବାଦ ପରେ ଯଦିଓ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ବରଯାତ୍ରୀ ମାନେ କିନ୍ତୁ ଖାଇ ନଥିଲେ । ସକାଳୁ ବସ ଚାଳକ ଓ ବରଯାତ୍ରୀ କ୍ଷତିପୁରଣ ଦାବି କରିଥିଲେ । ୬୦ରୁ ଉର୍ଦ୍ଧ ବରଯାତ୍ରୀଙ୍କ ସମେତ ବରକନ୍ୟା ଅଟକ ରହିଥିଲେ । ଘଟଣା ସମ୍ପର୍କରେ ବରପକ୍ଷ ଓ କନ୍ୟପକ୍ଷ ବିଞ୍ଝାରପୁର ଥାନାରେ ପହଁଚି ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ଅପରାହ୍ନରେ ବାରଯାତ୍ରୀ ଓ ବରକନ୍ୟା ପୁଲିସ ହସ୍ତକ୍ଷେ ପରେ ଅସ୍ତରଙ୍ଗ ଫେରିଥିଲେ ।