ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୋତ୍ସବ : ‘ବରିଷ୍ଠଙ୍କ ଅଭିଜ୍ଞତା ଯୁବପିଢିଙ୍କ ପାଇଁ ଦିଗଦର୍ଶନ’

 ବଡ଼ସାହି : ବଡ଼ସାହି ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବଡ଼ସାହି ରୁଦ୍ରାଲି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚର ସଭାପତି ସୁନିଲ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନଗର ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଉପସ୍ଥିତ ବରିଷ୍ଠଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତ ଆଗାମୀପୀଢ଼ି ବାରିଷ୍ଠଙ୍କ ଆଶୀର୍ବାଦ ଗ୍ରହଣ କରି ତାଙ୍କ ଅଭିଜ୍ଞତାକୁ ପାଥେୟ କରିବା ଉଚିତ୍ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିପରି ବଡ଼ସାହି ବିଧାୟକ ସନାତନ ବିଜୁଳି ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଙ୍କ ଅଭିଜ୍ଞତା ଓ ଉପଦେଶ ଯୁବ ପୀଢ଼ିଙ୍କ ପାଇଁ ନିଶ୍ଚିତ ଭାବେ ଦିଗଦର୍ଶନ । ବାପାଙ୍କ କାନ୍ଧରେ ବସି ପୁଅ ଯେପରି ଦୂରକୁ ଅଧିକ ଦେଖିପାରେ ସେହିପରି ଯୁବପୀଢ଼ି ଚାହିଁଲେ ବରିଷ୍ଠଙ୍କ ଉପଦେଶ ନେଇ ଆହୁରି ଆଗକୁ ଅଗ୍ରସର ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କାନ୍ଦରା ସୋରେନ, ବଡ଼ସାହି ତହସିଲଦାର କରୁଣାକର ଧିନ୍ଦା, ମୁଖ୍ୟ ବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ଦାସ ପ୍ରମୁଖ ଯୋଗ ଦେଇଥିଲେ । ବଡ଼ସାହି ମଞ୍ଚର ସାଧାରଣ ସମ୍ପାଦକ ରନôାକର ପାତ୍ର ବିବରଣୀ ଉପସ୍ଥାପନ କରିବା ପୂର୍ବକ ମୁଖ୍ୟତଃ ମଞ୍ଚ ନିମନ୍ତେ ଗୃହ ନିର୍ମାଣ ପାଇଁ  ଜମି ଯୋଗାଇଦେବା, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପୂର୍ବକ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରିବାର ଦାବି  ସହ ବଡ଼ସାହି ଅଞ୍ଚଳର କେତେକ ସମସ୍ୟା ସମାଧାନ ନିମନ୍ତେ ବକ୍ତବ୍ୟରେ ଦାବି ଉପସ୍ଥାପନ କରିଥିଲେ । ମଞ୍ଚର ବୟୋଜ୍ୟେଷ୍ଠ ସଦସ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, କାଶୀନାଥ ବେହେରା, ପ୍ରଭାକର ବାରିକ, ସୁଭାଷ ଚନ୍ଦ୍ର ଖଣ୍ଡା ଓ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଦସ୍ୟ ସରୋଜ କୁମାର ବେହେରା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଉପ ସଭାପତି ସୁବୋଧ କୁମାର ଦଣ୍ଡପାଟ ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ ଦିବଂଗତ ସଦସ୍ୟ ନରେନ୍ଦ୍ର ମୁଦି ଓ ପ୍ରଫୁଲ୍ଲ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉପସଭାପତି ଅଶୋକ କୁମାର ବେହେରା, ସଦସ୍ୟ ସୁବୋଧ କୁମାର ଦାସ, ମନୋରଞ୍ଜନ ବଳା, ଧୀରେନ୍ଦ୍ର ନାଥ ବେହେରା, ମଞ୍ଜୁବାଲା ପାତ୍ର, ସୁମତି ମଞ୍ଜରୀ ବଳା, ଗୀତାରାଣୀ ଭୁଜବଳ, ବୃନ୍ଦାବନ ବିଶ୍ୱାଳ, ପ୍ରଦୀପ କୁମାର ପଣ୍ଡା ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମଞ୍ଚର କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।