ଜଳବନ୍ଦୀରେ ଏକାଧିକ ପରିବାର
ବୈତରଣୀ ରୋଡ: ଚଳିତ ବର୍ଷା ଦିନ ଆରମ୍ଭରୁ କୌଣସି ଦିନ ବର୍ଷା ଛାଡ଼ିବା ନାଁ ଧରୁ ନଥିବା ବେଳେ ଆଜିର ବାଦଲ ଫଟା ବର୍ଷା ପ୍ରଭାବରେ କୋରାଇ ବ୍ଲକର ବିଭିନ୍ନ ଅଞ୍ଚଳର କିଛି ଗାଁ ପ୍ରଭାବିତ ହୋଇଛି । ବର୍ଷାର ତାଣ୍ଡବ ଉଗ୍ର ରୂପ ଧାରଣ କରିଥିବାରୁ ବହୁ ପରିବାର ଜଳବନ୍ଦିରେ ରହିଥିବା ବେଳେ ଚାଷ ଜମି ଉଛୁଳଛୁଳ ହୋଇପଡ଼ିଛି । ଅନେକ ତଳିଆ ଘର ଭିତରେବର୍ଷା ପାଣି ପଶିଯିବାରୁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ବୈତରଣୀ ରୋଡ ବଜାର ତଳିଆ ଦୋକାନ ଭିତରେ ବର୍ଷା ପାଣି ଜମି ରହିଥିବା ବେଳେ ବୈତରଣୀ ଉଚ୍ଚବିଦ୍ୟାଳୟ ସ୍କୁଲ୍ ଶ୍ରେଣୀ ଭିତରେ ପାଣି ଜମି ରହିବା ଆଦି ସମସ୍ୟା ଦେଖାଦେଉଛି । ବରୁଣ୍ଡେଇ ଅଞ୍ଚଳର ଅନେକ ଚାଷ ଜମିରେ ପାଣି ନିସ୍କାସନ ହୋଇନପାରି ରୂଆ ଧାନ ଉପରେ ପାଣି ଜମି ରହିବା ଯୋଗୁ କ୍ଷୟକ୍ଷତି ହେବା ଅନୁମାନ କରାଯାଉଛି । ବନ୍ଦାଳ ପଞ୍ଚାୟତ ସ୍କୁଲ୍ ଯିବା ରାସ୍ତାରେ ଆଣ୍ଠୁଏ ପାଣି ଚାଲୁଥିବା ବେଳେ ଷ୍ଟେସନ ରାସ୍ତା ବୁଡ଼ି ଯିବା ଯୋଗୁ ସମସ୍ୟା ଦେଖାଦେଇଛି । ସେହିପରି ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା, ବାଗିରିଆ, ଭାଟସୋଲପଟା, ଜଳନ୍ଦା, ହଟପୁର, ବାଘନଟା, ଚାଷ ଜମି ଉପରେ ପାଣି ଜମିରହିଥିବ ବେଳେ ଅମୃତିଆ ହିଙ୍ଗୁଳା ପୀଠ ଓ ସେଠାକାର ରାସ୍ତା ପ୍ରଭାବିତ ହୋଇଛି । ସେହିପରି ନଈକୂଳିଆ ମୁକୁନ୍ଦପୁର ପଞ୍ଚାୟତର ଗଣ୍ଡିଆସାଇ ରାସ୍ତା ଘାଟ ବୁଡି ପାଣି ଚାଲୁଥିବା ବେଳେ ଗୌରପୁର୍ ପଞ୍ଚାୟତ ମଙ୍ଗଳପୁର, ନୟାହାଟପାଟଣା, ଖୋସଲପୁର୍ ଅଞ୍ଚଳର ଅନେକ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।