ଅଗ୍ନିକନ୍ୟା ନନ୍ଦିନୀ ଦେବୀ
ହିମାଂଶୁ ଶେଖର ଆ·ର୍ଯ୍ୟ : ୧୯୩୧ ମସିହା ଜୁନ୍ ୯ ତାରିଖରୁ ୨୦୦୬ ମସିହା ଅଗଷ୍ଟ ୪ ତାରିଖ- ଏହାହିଁ ଥିଲା ଦୀର୍ଘ ୭୫ ବର୍ଷର ଜୀବନଯାତ୍ରା । ସାହିତ୍ୟ ହେଉ ଅଥବା ରାଜନୀତି ସବୁଠି ଥିଲା ତାଙ୍କର ପ୍ରତିଭାର ସ୍ୱାକ୍ଷର । ଏପରି ବିରଳ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ମାଟିର ମହାନାୟିକା ଓ ଅଗ୍ନିକନ୍ୟା ନନ୍ଦିନୀ ଦେବୀ । ଏ ଦିଗରେ ପିତା ସବୁଜ ଯୁଗର ସ୍ରଷ୍ଟା କାଳିନ୍ଦୀଚରଣ ପାଣିଗ୍ରାହୀ ଓ ସାମ୍ୟବାଦର ଉଦ୍ଗାତା କକା ଭଗବତୀଚରଣ ପାଣିଗ୍ରାହୀଙ୍କ ଜୀବନାଦର୍ଶ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା । ସେହି ଆଦର୍ଶକୁ ପାଥେୟ କରି ସେ ଜାତୀୟସ୍ତରରେ ଜଣେ ଆଗଧାଡିର ନାରୀନେତ୍ରୀ ରୂପେ ନିଜକୁ ପ୍ରତିଷ୍ଠିତ କରିବା ସହ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ । ଯିଏ ନିଜକୁ ମହିଳା ନୁହେଁ କେବଳ ଜଣେ ମଣିଷ ବୋଲି ଭାବୁଥିଲେ ।ଏହା ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ।
ନନ୍ଦିନୀ ଶତପଥୀ ଏକାଧାରରେ ଥିଲେ ଜଣେ ରାଷ୍ଟ୍ରନୀତିଜ୍ଞା, ସୁସାହିତି୍ୟକା, ସୁଶାସିକା, ଦୀନଦୁଃଖୀ ଦରିଦ୍ରଙ୍କ ଦରଦୀ ନେତ୍ରୀ, ତଥା ଶିକ୍ଷା, କୃଷି ଓ ଶିଳ୍ପାୟନର ମୁଖ୍ୟ ବିନ୍ଧାଣି । ବାଲ୍ୟକାଳରୁ ଲଢିବା ଥିଲା ତାଙ୍କ ରକ୍ତରେ । ବ୍ରିଟିଶ ଶାସନ ବିରୋଧରେ ହେଉ କି ଅନ୍ୟାୟ ବିରୋଧରେ, ବନ୍ୟା. ବାତ୍ୟା, ମରୁଡି ହେଉକି ଛାତ୍ରମାନଙ୍କ ହକ୍ ପାଇଁ- ସବୁଠି ଶୁଭୁଥିଲା ତାଙ୍କ ସ୍ୱର । ଯେଇଁଥିପାଇଁ ତାଙ୍କ ସମସାମୟିକ ଛାତ୍ରୀଛାତ୍ରମାନେ କହୁଥିଲେ - ‘ଦୁର୍ଗା ଆସିଗଲେ’ । ଜୀବନରେ ପରାଜୟ କ’ଣ ସେ କେବେ ଜାଣି ନଥିଲେ । ଆଉ ଥରେ ସେ ଯେଉଁ କାମରେ ହାତ ଦେଉଥିଲେ ତାହାକୁ ପୂରଣ କରିବା ପର୍ଯ୍ୟନ୍ତ ନିଷ୍ଠାପର ଉଦ୍ୟମ କରୁଥିଲେ ଓ ସେଥିରୁ କେହି ତାଙ୍କୁ ନିବୃତ୍ତ କରିପାରୁନଥିଲେ । ପରାଜୟ କ’ଣ ଜାଣିନଥିବା ନନ୍ଦିନୀ ଦେବୀ କହୁଥିଲେ- “ମୁଁ ବିଜୟୀ ହେବାକୁ ଆଖି ଆଗରେ ରଖି କୌଣସି କଥାରେ ଲଢେ ନାହିଁ । ମୁଁ କେଉଁ କଥା ପାଇଁ ଲଢିବାକୁ ନିଷ୍ପତ୍ତି ନିଏ ତାକୁ ହିଁ ଗୁରୁତ୍ୱ ଦେଇଥାଏ ।” ସବୁବେଳେ ସେ ଗୋଟିଏ କଥା ମନେ ରଖିଥିଲେ, ତାହା ହେଉଛି ତାଙ୍କ ପିତାଙ୍କ ସେହି କାଳଜୟୀ କବିତା ପଂକ୍ତି-“ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ ।’’ ନନ୍ଦିନୀ ଦେବୀଙ୍କର ରାଜନୈତିକ ଜୀବନ ବେଶ୍ ଚଳଚଞ୍ଚଳ ଥିଲା । ୧୯୬୨ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରାୟ ·ରିଦଶନ୍ଧି ଧରି ସେ ଓଡିଶା ତଥା ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୬୨ ମସିହାରେ ପ୍ରଥମେ ରାଜ୍ୟସଭାରେ ପାଦଦେଇ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୬ ରୁ ୧୯୬୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଭାବେ ସୂଚାରୁରୂପେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ସେହିପରି ୧୯୭୨, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ରେ ଓଡିଶା ବିଧାନସଭାକୁ ସାତ ଥର ନିର୍ବାଚିତ ହୋଇଥିଲେ । ୧୯୭୨ ମସିହାରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିବା ସହିତ ୧୯୭୩ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୭୪ ରୁ ୧୯୭୬ ପର୍ଯ୍ୟନ୍ତ ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରି ଓଡିଶା ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ ୧୯୮୯ ଓ ୧୯୯୫ ମସିହାରେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ କାର୍ଯ୍ୟକରି ନିଜର ପାରଦର୍ଶିତାର ପ୍ରମାଣ ଦେଇଥିଲେ । ଜନ୍ମରେ ନାରୀ ହେଲେବି ତାଙ୍କଠି ଅତୁଳନୀୟ ପୁରୁଷାକାର ଥିଲା । ନିଜର ପ୍ରତିଭା ଓ ପାରାକାଷ୍ଠା ଯୋଗୁଁ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍ ନିକଟବର୍ତ୍ତୀ ହୋଇପାରିଥିଲେ ।
କେବଳ ରାଜନୀତି ନୁହେ,ଁ ନନ୍ଦିନୀ ଦେବୀଙ୍କର ସାହିତ୍ୟ କ୍ଷେତ୍ରରେ ମଧ୍ୟ ଗଭୀର ପ୍ରବେଶ ଓ ପ୍ରବଳ ଅନୁରାଗ ଥିଲା । କାବ୍ୟ, କବିତା, ଗଳ୍ପ ଓ ଅନୁବାଦରେ ସେ ତାଙ୍କର ପ୍ରତିଭାର ପରିଚୟ ଦେଇଥିଲେ । ମାତ୍ର ଏଗାର ବର୍ଷ ବୟସରେ ତାଙ୍କର ପ୍ରଥମ ଗଳ୍ପ “ଅନାଥ’’ ବିଦ୍ୟାଳୟର ମୁଖପତ୍ରରେ ପ୍ରକାଶିତ ହୋଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ତାଙ୍କ ସାରସ୍ୱତ ପ୍ରତିଭାର ଚଉହଦି “ଅନାଥ’’ ଠାର ୁ ଆରମ୍ଭ କରି “ଉତ୍ତର ପୁରୁଷ’’ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ବିଶିଷ୍ଟ ସାହିତି୍ୟକା ଅମୃତା ପ୍ରିତମ୍ଙ୍କ ରେଭେନୁ୍ୟ ଟିକେଟ୍କୁ (ଯାହାର ଓଡିଆ ଅନୁବାଦିତ ନାମ ଥିଲା ରସିଦ୍ ଟିକେଟ) ଓଡିଆରେ ଅନୁବାଦ କରି ସେ ପୁଣି ଚର୍ଚ୍ଚିତା ହୋଇଥିଲେ । ଏଥିସହିତ ତସ୍ଲିମା ନସରିନ୍ଙ୍କ ବଙ୍ଗଳା ପୁସ୍ତକ “ଲଜ୍ଜା’’କୁ ଓଡିଆରେ ଅନୁବାଦ କରି ସେ ଅନେକ ପ୍ରଶଂସାର ଅଧିକାରିଣୀ ହୋଇପାରିଥିଲେ । ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ୱ ପାଇଁ ନନ୍ଦିନୀ ଶତପଥୀଙ୍କୁ ମିଳିଥିଲା ‘ଓଡିଶା ସାହିତ୍ୟ ଏକାଡେମୀ’, ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ସାହିତ୍ୟ ଭାରତୀ ସମ୍ମାନ’ । ଏଥିସହିତ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରି ଓଡିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ ।
ନନ୍ଦିନୀ ଶତପଥି ଜଣେ ସୁଦକ୍ଷା ପ୍ରଶାସିକା ଥିଲେ । ଏବେବି ଲୋକମାନେ ଶ୍ରଦ୍ଧା ଓ ସମ୍ମାନର ସହ ତାଙ୍କ ଶାସନକାଳକୁ ମନେ ରଖିଛନ୍ତି । ପ୍ରଶାସନକୁ ଲୋକାଭିମୁଖୀ କରିବା ଓ କର୍ମ·ରୀଙ୍କଠାରୁ ଉପଯୁକ୍ତ କାମ ଆଦାୟ କରିବା କୌଶଳ ତାଙ୍କୁ ବେଶ୍ ଜଣାଥିଲା । ଗୋଟିଏ ପଟେ ପ୍ରଶାସନକୁ ନିୟନ୍ତ୍ରଣ କରି ନିଜର ପାରଦର୍ଶିତା ପ୍ରମାଣ କରିବା ସହ କର୍ମ·ରୀଙ୍କଠାରୁ ଉପଯୁକ୍ତ କାମ ଆଦାୟ କରିବା ପାଇଁ ସେମାନଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ସରେଣ୍ଡର ଲିଭ୍, ଅବସରକାଳୀନ ଭତ୍ତା ଓ ରିହାବିଲିଟେସନ୍ ସ୍କିମ୍ରେ ·କିରି ଆଦି ପ୍ରଦାନ ଏହାର ଗୋଟିଏ ଗୋଟିଏ ନିଚ୍ଛକ ଉଦାହରଣ । ସେ ସବୁବେଳେ ଓଡିଶାର ବହୁବିଧ ବିକାଶ ନିଜ ଚିନ୍ତା ଓ ଚେତନାରେ ରଖିଥିଲେ । ସେ ବୁଝିଥିଲେ ଶିକ୍ଷା, କୃଷି, ଜଳସେଚନ ଓ ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ନ ଆସିଲେ ଓଡିଶାର ଆଖି ଦୃଶିଆ ପ୍ରଗତି ହୋଇପାରିବ ନାହିଁ । ଏହାକୁ ଆଖିଆଗରେ ରଖି ସେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ପରି·ଳନା କମିଟିର ପ୍ରତ୍ୟକ୍ଷ ନିୟନ୍ତ୍ରଣରୁ ମୁକ୍ତ କରି ୧୯୭୪ ମସିହାରେ ପ୍ରଚଳନ କରିଥିଲେ ଯୁଗାନ୍ତକାରୀ ଓ ବହୁଚର୍ଚ୍ଚିତ ପ୍ରତ୍ୟକ୍ଷ ଅନୁଦାନ ଆଇନ୍ । ଏଥିପାଇଁ ଶିକ୍ଷକ ସମାଜ ତାଙ୍କ ପାଖରେ ସବୁଦିନ ଋଣୀ ହୋଇରହିବ । ଗଣତନ୍ତ୍ରର ସେ ଥିଲେ ଜାଗ୍ରତ ପ୍ରହରୀ । ସାମ୍ବଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି ଏବଂ ଏକ ଦୈନିକ ସମ୍ବାଦପତ୍ର ମଧ୍ୟ ପ୍ରତିଷ୍ଠା କରିଥିଲେ । ଏହି ଭୂସଂସ୍କାର ଆଇନ୍ ଯୋଗୁଁ ଅନେକ ସ୍ୱାର୍ଥାନ୍ୱେଷୀ ବ୍ୟକ୍ତିଙ୍କର ସମାଲୋଚନାର ଶରବ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଭ୍ରୁକ୍ଷେପ କରିନଥିଲେ । ସେହିପରି ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ସୁଧଖୋର ମହାଜନମାନଙ୍କ ଶୋଷଣରୁ ରକ୍ଷା କରିବା ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ ସେ ସମୟରେ ତାହା ତାଙ୍କର ଅନ୍ୟ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ସେହିପରି ଶିଳ୍ପର ବିକାଶ ନିମନ୍ତେ ସେ କେତେକ ବଳିଷ୍ଠ ପଦେକ୍ଷପ ନେଇଥିଲେ । ତନ୍ମଧ୍ୟରେ ତାଳଚେରର ସାର କାରଖାନା ଓ ଗୋପାଳପୁରର ରେୟାର ଆର୍ଥ କମ୍ପ୍ଲେକ୍ସ ଅନ୍ୟତମ । ସେହିପରି ଜଳସେଚନ ବ୍ୟବସ୍ଥାକୁ ସୁଧାରିବା ପାଇଁ ତାଙ୍କ ସମୟରେ ଅପର କୋଲାବ ଜଳ ପ୍ରକଳ୍ପ ଓ ରେଙ୍ଗାଲି ପ୍ରକଳ୍ପ ପରି କ୍ଷୁଦ୍ର ତଥା ମଧ୍ୟମ ଧରଣ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଓଡ଼ିଶାର ବିକାଶରେ ଏକ ସମୟକାଳରେ ଏହି ମହୀୟସୀ ମହିଳାଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ତାଙ୍କୁ ଚିରସ୍ମରଣୀୟା କରି ରଖିବ ।
ଜଗତସିଂହପୁର
ମୋ-୯୩୩୭୨୨୧୯୨୪