ବାକି ଟଙ୍କା ମାଗିବାରୁ ମାଡ

ବାଲିଅନ୍ତା: ବାକି ଟଙ୍କା ମାଗିବାରୁ ରଙ୍ଗମିସ୍ତ୍ରୀଙ୍କୁ ଠେଙ୍ଗା ମାଡ଼ । ଏଭଳି ଅଭିଯୋଗ ଧଉଳି ଥାନା ପଳାସପୁର ଶାସନ ଗ୍ରାମରେ ଘଟିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରିଛି । ଖବରନେବାରେ ଜଣାପଡିଛି ଉକ୍ତ ଗ୍ରାମର ମଣ୍ଟୁ ବେହେରା ଜଣେ ରଙ୍ଗମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସେ ଗ୍ରାମର ପ୍ରଫୁଲ୍ଲ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘର ରଙ୍ଗକାମ କରିଥିଲେ । କାମ କରିବା ସମୟରେ ମଣ୍ଟୁର ୨ ହଜାର ଟଙ୍କା ବାକି ରଖିଥିଲେ ପ୍ରଫୁଲ୍ଲ । ମଣ୍ଟୁ ଏହି ଟଙ୍କା ମାଗିବା ପାଇଁ ପ୍ରଫୁଲ୍ଲଙ୍କ ଘରକୁ ଅନେକ ଥର ଯାଉଥିଲେ । ମାତ୍ର ପ୍ରଫୁଲ୍ଲ ତାଙ୍କୁ ଟଙ୍କା ନ ଦେଇ ଦିନ ପରେ ଦିନ ଗଡେଇ ଚାଲିଥିଲା । ଆଜି ମଣ୍ଟୁ ଅନୁରୂପ ଭାବେ ପ୍ରଫୁଲ୍ଲଙ୍କ ଘରକୁ ଯାଇଥିଲେ । ମାତ୍ର ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରଫୁଲ୍ଲ ମଣ୍ଟୁଙ୍କୁ ଏକ ଠେଙ୍ଗାରେ ମାଡ ମାରିଥିଲେ । ଫଳରେ ମଣ୍ଟୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏନେଇ ମଣ୍ଟୁ ଥାନାରେ ଅଭିଯୋଗ କରିଛନ୍ତି ।