ବାଟରୁ ଫେରାଇ ଦେଲେ ମନମୋହନ : ପଟୁଆରରେ ଯାଇଥିଲେ ବିଷ୍ଣୁ
ବିଞ୍ଝାରପୁର : ମାସକ ତଳେ ଦଶରଥପୁର ବ୍ଲକ ନନ୍ଦିପୁର ପଞ୍ଚାୟତର ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଭିଯୋଗରେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ ବିଷ୍ଣୁ ଚରଣ ମହାପାତ୍ର । ଦଳର ସଭାପତି ସରୋଜ ମହପାତ୍ର ବିଷ୍ଣୁଙ୍କୁ ବିଶୃଙ୍ଖଳ ଆଚରଣ ପାଇଁ ନିଲମ୍ବନ କରିଥିବା କଥା ଘୋଷଣା କରିଥିଲେ । ବିଜେଡ଼ିରୁ ନିଲମ୍ବନ ପରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ ନିଜ ସୋସିଆଲ ମିଡ଼ିଆରେ ବିଷ୍ଣୁଙ୍କୁ ନେଇ ଯେଉଁ ପୋଷ୍ଟ କରିଥିଲେ ସେଥିରେ ତାଙ୍କର ପୁରା ପୋଲ ଖୋଲି ଦେଇଥିଲେ । ପ୍ରମିଳାଙ୍କ ଉକ୍ତ ପୋଷ୍ଟକୁ ଦଶରଥପୁରରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା । ବହିଷ୍କୃତ ବିଷ୍ଣୁଙ୍କୁ କୋଳେଇ ନେବ ତ ବିଜେପି ଶୀର୍ଷକ ଖବର ସୂର୍ଯ୍ୟପ୍ରଭାରେ ତା୧୨ା୫ା୨୫ରେ ପ୍ରକାଶ ପାଇଥିଲା । ଆଧାର ଥିଲା ବିଷ୍ଣୁ ବିଜେପି ନେତାଙ୍କ ଯୋଗସୂତ୍ରରେ ଥିଲେ । ବିଜେଡ଼ିରୁ ବହିଷ୍କୃତ ବିଷ୍ଣୁ ମାସକ ପରେ ଅର୍ଥାତ ଗତକାଲି ରବିବାର ବିଜେପିରେ ମିଶିବାକୁ ପଟୁଆରରେ ଭୁବନେଶ୍ୱର ବାହାରିଥିଲେ । ରାଜ୍ୟ କାର୍ଯ୍ୟାଳୟ ଏବଂ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଧରିଥାନ୍ତେ ପଦ୍ମ । ହେଲେ ବିଷ୍ଣୁଙ୍କୁ ବାଟରୁ ଫେରାଇ ଦେଲେ ସଭାପତି ମନମୋହନ ସାମଲ । ରବିବାର ବିଷ୍ଣୁଙ୍କ ନନ୍ଦିପୁର ଓ ବିରୁହାଁ ଦୁଇ ଗୋଟି ପଂଚାୟତରୁ ପାଖାପାଖି ୨୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ଧରି ଯାଉଥିବା ବେଳେ ତାଙ୍କୁ ବାଟରୁ ହିଁ ଫେରିବାକୁ ପଡ଼ିଥିଲା । ଦୁଇ ପଞ୍ଚାୟତରେ ବିଭିନ୍ନ ବାଧାବିଘ୍ନ ସହି ବିଜେପିରେ ପଡି ରହିଥିବା କର୍ମୀ, ପଞ୍ଚାୟତ ସଭାପତି ବିଷ୍ଣୁଙ୍କ ମିଶ୍ରଣକୁ ଘୋର ବିରୋଧ କରିବା ସହ ସେ ଦଳରେ ସାମିଲ୍ ହେଲେ ଏହା ବିଜେପି ପାଇଁ ବିପଦ ଓ ଦଳ ବଦନାମ ହେବାଟା ଥୟ ବୋଲି ସିଧାସିଧି ଜଣାଇ ଦେଇଥିଲେ ।
୨୦୨୧ମସିହା ନନ୍ଦିପୁର ପଂଚାୟତ ପୋଡ଼ି ଘଟଣାରେ ସିଧାସଳଖ ବିଷ୍ଣୁଙ୍କ ହାତ ରହିଥିବାବେଳେ କୃଷି ସମବାୟ ସମିତିରେ ମଧ୍ୟ ଲକ୍ଷାଧିକ ଟଙ୍କା ଚାଷୀଙ୍କର କୁଆଡେ ହଡ଼ପ ହେବା କଥା ରାଜ୍ୟ ସଭାପତିଙ୍କ ନିକଟରେ ପୁରୁଣା କର୍ମୀ ଦର୍ଶାଇଥିଲେ । ୨୦୨୪ସାଧାରଣ ନିର୍ବାଚନରେ ଲଢ଼ୁଥିବା ନେତା ବା ନେତ୍ରୀ, ତାଙ୍କ ପାଇଁ ରାତିଦିନ ଏକ କରି ଲଢ଼ୁଥିବା ନେତା ପୁରୁଣା କର୍ମୀଙ୍କ କଥା ବି ସେମାନେ ଶୁଣୁ ନାହାଁନ୍ତି ବୋଲି ମଧ୍ୟ ସଭାପତିଙ୍କ ପାଖରେ ଅଭିଯୋଗ ପହଁଚିଥିଲା । ଏଣୁ ରବିବାର ସକାଳୁ ବିଜେପିରେ ମିଶିବାକୁ ଦୁଇଟି ପଞ୍ଚାୟତରୁ ନିଜ ସମର୍ଥକଙ୍କୁ ଧରି ରାଜ୍ୟ କାର୍ଯ୍ୟାଳୟକୁ ଯାଉଥିବା ବିଷ୍ଣୁଙ୍କ ମିଶ୍ରଣ ଜାଣି ରାଜ୍ୟ ସଭାପତି ଗ୍ରହଣ କରିନଥିବା ବେଳେ ସିଧାସଳଖ ମନା କରିଥିଲେ । ଏଣୁ ବିଷ୍ଣୁଙ୍କୁ କୁଆଡ଼େ ଚଣ୍ଡିଖୋଲ ପାଖରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । ବିଷ୍ଣୁ ଏବଂ ତାଙ୍କ ସମର୍ଥକଙ୍କ ମନ ବୁଝାଇବାକୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଷ୍ଟାଡିୟମ୍କୁ ଡକାଯାଇଥିଲା । ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ ଓ ବିଞ୍ଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ ଏକ ବୈଠକ କରି ମଂଚରେ ବିଷ୍ଣୁଙ୍କୁ ବସାଇଥିଲେ । ଏ ସମ୍ପର୍କରେ ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ଯେଉଁଠି ରାଜ୍ୟ ସଭପତି ମିଶ୍ରଣ ପର୍ବ କରିବାକୁ ମନାକଲେ, ଜିଲ୍ଲା ସଭାପତି ଜାଣିବେନି କି ଉପସ୍ଥିତ ରହିବେନି ସେ କି ମିଶ୍ରଣ । ଯିଏ ଯେଉଁଠି ବସେଇ ଦେଲେ କ’ଣ ବିଜେପି ଭଳି ଶୃଙ୍ଖଳିତ ଦଳରେ ମିଶ୍ରଣ ହୋଇଗଲା କି? ଅତଏବ ବିଷ୍ଣୁ ବିଜେପିରେ ସାମିଲ ହେବାକୁ ଯାଉଥିଲେ ସେକଥା ଜିଲ୍ଲା ସଭାନେତ୍ରୀଙ୍କ ପାଖରେ ଖବର ନଥିଲା ତାଙ୍କ କଥାରୁ ସ୍ପଷ୍ଟ ବାରି ହେଇପଡ଼ୁଛି । ତେବେ ବିଜେପି ରାଜ୍ୟ ସଭାପତି ମିଶ୍ରଣ ପାଇଁ ମନା କରିବାରୁ ବିଷ୍ଣୁ ଓ ତାଙ୍କ ସହଯୋଗିଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଲା ଏକଥା ଦଶରଥପୁରରେ ବେଶ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ବିଷ୍ଣୁଙ୍କୁ ବିଜେପି କୋଳେଇ ନେଉଛି ନାଁ ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚିନ୍ତ ।