ବାତ୍ୟା ଆଶ୍ରୟସ୍ଥଳକୁ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ
ରାଜନଗରରୁ ବସନ୍ତ ହାତୀ:
ରାଜନଗର ବ୍ଲକରେ ୪୨ଟି ବାତ୍ୟାଶ୍ରୟ କେନ୍ଦ୍ର ରହିଛି । ମୁଖ୍ୟ ରାସ୍ତାରୁ ବାତ୍ୟାଶ୍ରୟ କେନ୍ଦ୍ର ଯାଏଁ ସଂଯୋଗ ରାସ୍ତା ନିର୍ମାଣ କରାଯିବାର ଗୋଟିଏ ଦଶନ୍ଧି ବିତିଗଲାଣି । ବାତ୍ୟାଶ୍ରୟ କେନ୍ଦ୍ରକୁ ସଂଯୋଗ ରାସ୍ତା ଗୁଡିକ ରକ୍ଷଣା ବେକ୍ଷଣ ଓ ମରାମତି ଅଭାବରୁ ଏହା କ୍ରମଶଃ ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ଅନେକ ସ୍ଥାନରେ ଏହା ମରଣଯନ୍ତା ପାଲଟିଲାଣି । ଓଡିଶା ବିପର୍ଯ୍ୟୟ ପ୍ରସମନ କର୍ତ୍ତୃପକ୍ଷ (ଓସଡମା) ପକ୍ଷରୁ ଏହି ରାସ୍ତା ଗୁଡିକ ନିର୍ମାଣ କରାଯାଇଥିଲେ ମଧ୍ୟ୍ୟ ବାସ୍ତବରେ କିନ୍ତୁ ଏହି ରାସ୍ତା ଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କରିଥିଲା । ଦୁର୍ଭାଗ୍ୟର ବିଷୟ ବିଭାଗ ଏହାକୁ ରକ୍ଷଣା ବେକ୍ଷଣ କିମ୍ବା ମରାମତି କଲା ନାହିଁ । ଉଦାହରଣ ସ୍ୱରୂପ ରାଜନଗର ସଦର ମହକୁମାର ଠାରୁ ମଙ୍ଗରାଜପୁର ବାତ୍ୟାଶ୍ରୟ କେନ୍ଦ୍ର ୩ କିଲୋମିଟର ଦୂରତା । ମଙ୍ଗରାଜପୁର ସହ ଧନେଶ୍ୱରପୁର ଓ ତରପଦା ଉଭୟ ଗାଁକୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ପୋଲ ଗଡ଼ାଣିରୁ ଧନେଶ୍ୱରପୁର ଯାଏ ପ୍ରାୟ ଦେଢ଼ କିଲୋମିଟର ରାସ୍ତା ତଟବନ୍ଧ ବିଭାଜନ ରାସ୍ତା ଉପର ଦେଇ ଯାଇଛି । ସେଠାରୁ ପଞ୍ଚାୟତ ରାସ୍ତା ଦେଇ ଦେଢ଼ କିଲୋମିଟର ନିର୍ମାଣ ହୋଇଥିଲା । କିନ୍ତୁ ଏହା ମଧ୍ୟ୍ୟରେ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ମରାମତି ତ ଦୂରର କଥା ତଦାରଖ ମଧ୍ୟ୍ୟ କଲାନାହିଁ । କଂକ୍ରିଟ ଗୁଡିକ ଖଣ୍ଡ ଖଣ୍ଡ ହୋଇ ଫାଟିଯାଇ ରାସ୍ତା ମରଣଯନ୍ତା ପାଲଟିଛି । ସ୍ଥାନେସ୍ଥାନେ କଂକ୍ରିଟ ଦବି ଯାଇଥିବାରୁ ବର୍ଷା ସମୟରେ ବର୍ଷା ଜଳ ଜମି ରହୁଛି । ଯାହା ଫଳରେ ଯିବା ଆସିବା କରୁଥିବା ବାଇକ ଆରୋହୀ ସାଇକେଲ ଚଲାଳି ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ସ୍ଥାନରେ କଂକ୍ରିଟ ଫାଟି ସେଥିରୁ ଘାସ ଉଠିଲାଣି । ଅନେକ ସମୟରେ ମହାବିଦ୍ୟାଳୟ ଓ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକେ ଏହି ରାସ୍ତା ଯୋଗୁଁ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଗୁଡିକ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ସହ ମରଣଯନ୍ତା ପାଲଟି ଥିଲାବେଳେ କାହିଁକି ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ମରାମତି କିମ୍ବା ରକ୍ଷଣ ବେକ୍ଷଣ ନେଉନି ବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ସାହୁ ଙ୍କୁ ବାରମ୍ବାର ଫୋନ କରିବା ସତ୍ୱେ ସେ ଫୋନ ଉଠାଇ ନଥିଲେ । ଏସଂପର୍କରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।