ଛାତ୍ରୀଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକଙ୍କ ନାଁରେ ଏତଲା
ଦଶରଥପୁର: ଏହି ବ୍ଲକ୍ର ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜନୈକା ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗକୁ ଗ୍ରହଣ କରି ୩୪/୨୫ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଘଟଣାନୁଯାୟୀ ଏ ହଳଦୀପଦାସ୍ଥିତ ବୀରବସନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓ କେସି. ଜେନା ନୋଡ଼ାଲ ବିଦ୍ୟାଳୟର ୮ମ, ୯ମ ଓ ୧୦ମ ଶ୍ରେଣୀର ୪୧ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ଶିକ୍ଷକମାନେ ଗତ ୪ ଦିନ ତଳେ ପୁରୀ, କୋଣାର୍କ ପିକ୍ନିକ୍ ଯାଇଥିଲେ । ପିକ୍ନିକ୍ ସାରି ଫେରିବା ବାଟରେ ବୀର ବସନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଜନୈକା ୯ମ ଶ୍ରେଣୀର ଛାତ୍ରୀଙ୍କ ପାଖରେ ରାତିରେ ବିଦ୍ୟାଳୟର ଜଣେ ଶିକ୍ଷକ ବସି ଅସଦାଚରଣ କରିଥିବା ଛାତ୍ରୀ ଜଣକ ପିକ୍ନିକ୍ରୁ ଘରକୁ ଫେରିବା ପରେ ଘରେ ଜଣାଇଥିଲେ । ଏହି ଘଟଣାକୁ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ସ୍ଥାନୀୟ ଜଣେ ରାଜନେତାଙ୍କୁ ଧରି କିଛି ଅର୍ଥ ଛାତ୍ରୀଙ୍କ ପରିବାରକୁ ଦେଇ ମାମଲାରୁ ରଫାଦଫା କରିବାକୁ ଉଦ୍ୟମ କରୁଥିବାବେଳେ ପରିବାର ରାଜି ହୋଇନଥିଲେ । ପରିବାର ପକ୍ଷରୁ ଶିକ୍ଷକଙ୍କ ବିରୋଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ା ଜଣେ ଦଳିତ ସମ୍ପ୍ରଦାୟର ନାବାଳିକା ପ୍ରତି ଏପରି ଅସଦାଚରଣ ହୋଇଥିବାରୁ ପୁଲିସ ମାମଲା ରୁଜୁ କରି ଏସ୍ଡିପିଓ ଘଟଣାର ତଦନ୍ତଭାର ଗ୍ରହଣ କରିଛନ୍ତି । ଆଜି ଯାଜପୁର ଏସ୍ଡିପିଓ କୈଳାସ ଚନ୍ଦ୍ର ସେଠୀ ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଫେରାର ହୋଇଯାଇଥିବାର ଜଣାପଡ଼ିଛି ।