ବ୍ରିଜ୍ ରାସ୍ତାରେ ବ୍ୟବହୃତ ହେଉଛି କଳା ପାଉଁଶ

 ଯଖପୁରା: କଳିଙ୍ଗନଗର ଶିଳ୍ପାଂଚଳରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ବିଷାକ୍ତ କଳା ପାଉଁଶ ଏବେ କଳିଙ୍ଗନଗରର ରାସ୍ତା ଘାଟ, ନାଳ ନର୍ଦ୍ଦମା, ବିଲ ବାଡ଼ିରେ ଦେଖିବାକୁ ମିଳୁଛି । ଯେଉଁଠି ଦେଖିବ ସେଠାରେ ପଡୁଛି କଳା ପାଉଁଶ । ବିଷାକ୍ତ କଳା ପାଉଁଶ ପାଇଁ ସ୍ଥାନୀୟ ଅଂଚଳର ଜଳ, ବାୟୁ ପ୍ରଦୂଷିତ ହେଉଛି । ପ୍ରଦୂଷିତ ଜଳ ବାୟୁ ସାଧାରଣ ଲୋକଙ୍କୁ ନକେଦମ୍ କରି ରଖିଛି । ଏହାର ପ୍ରଭାବରେ ଲୋକମାନେ କଲବଲ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ କୌଣସି ସରକାରୀ ଜମି ହେଉ କି ବେସରକାରୀ ଜମି ହେଉ କିବା କୌଣସି ଠିକାଦାରଙ୍କ ଆବଶ୍ୟକ ପଡ଼ୁଥିବା ଖାଲ ଖମାର୍କୁ ପୋତିବା ପାଇଁ ଏହି କଳା ପାଉଁଶ ବ୍ୟବହାର କରୁଛନ୍ତି । ମୋରମ ପାଇଁ ସ୍ଥାନୀୟ ଅଞ୍ଚଳରେ ଅନୁମତି ନଥିବା ଓ ମୋରମ ମୂଲ୍ୟ ଅଧିକ ପଡୁଥିବାରୁ ରାସ୍ତା ଘାଟ ଠାରୁ ଆରମ୍ଭ କରି ବ୍ରିଜ ନିର୍ମାଣ ପର୍ଯ୍ୟନ୍ତ ସମସ୍ତେ ଏହି କଳା ପାଉଁଶକୁ ବ୍ୟବହାର କରୁଛନ୍ତି । କାହାରିକୁ ପ୍ରଦୂଷଣ ଚିନ୍ତାନାହିଁ । ସେହି କ୍ରମରେ ଦାନଗଦୀ ବ୍ଲକ୍ କୁମ୍ଭିରଗଡିଆ ପଂଚାୟତର ମାରୁଟିକର ନିକଟରେ ପ୍ରବାହିତ ହେଉଥିବା ସାହାରା ଘାଇ ନାଳ ଉପରେ ନିର୍ମିତ ହେଉଛି ବ୍ରିଜ ।
ବ୍ରିଜର ଲମ୍ବ ୫୪.୪୮୦ମି । ୬କୋଟି ୨ଲକ୍ଷ ୬ ହଜାର ୨୫୭ଟଙ୍କା ବ୍ୟୟରେ ବ୍ରିଜ ନିର୍ମାଣ ହେଉଛି । ଏହାର ଠିକାଦାର ହେଉଛନ୍ତି ଶୈଳବାଳା ଇନ୍ଫାଷ୍ଟ୍ରକଚର୍ ପ୍ରାଇଭେଟ୍ ଲିମିଟେଡର ମାଲିକ ପ୍ରଦୀପ କୁମାର ବେଉରିଆ । ପ୍ରାୟ ୨ବର୍ଷ ହେବ ନିର୍ମାଣ କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସରିନାହିଁ । ବ୍ରିଜ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଚଂଚକତା କରାଯାଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମିଲିଭଗତରେ ଚାଲିଛି ନିର୍ମାଣ କାର୍ଯ୍ୟ । ବ୍ରିଜର ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ କୈାଣସି ସମୟରେ ଭୁଶୁଡ଼ି ପଡ଼ିବାର ସମ୍ଭାବନାକୁ ଏଡ଼େଇ ଦେଇହେବନି । ଭବିଷ୍ୟତରେ ସେଭଳି ଯଦି କିଛି ଦୁର୍ଘଟଣା ଘଟିବ ଅନେକ ଧନ ଜୀବନ ଯିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚା ହେଉଛି । ବ୍ରିଜ ଉଭୟ ମୁଣ୍ଡକୁ ସର୍ବସାଧାରଣ ରାସ୍ତା ସହିତ ସଂଯୋଗ କରିବା ପାଇଁ ବ୍ୟାପକ ପରିମାଣ ବିଷାକ୍ତ କଳା ପାଉଁଶ ବ୍ୟବହାର କରାଯାଉଛି । ଯେଉଁ ସ୍ଥାନରେ ଏହି କଳା ପାଉଁଶ ବ୍ୟବହାର କରାଯାଉଛି ତାର ଉଭୟ ପଟରେ ଚାଷ ଜମି ରହିଛି ପୁଣି ମଝିରେ ବହି ଯାଇଛି ସାହାରା ଘାଇ ନାଳ । ବ୍ରିଜ ମୁଣ୍ଡରେ କଳା ପାଉଁଶ ବ୍ୟବହାର ହେଉଥିବା ଯୋଗୁଁ ଏହି କଳା ପାଉଁଶ ଜଳ ବାୟୁ ମାଧ୍ୟମରେ ଚାଷ ଜମିକୁ ନଷ୍ଟ କରୁଛି । ପାଉଁଶ ପ୍ରଭାବରେ ଚାଷ ଜମି ନଷ୍ଟ ହେଉଛି । ସାହାରା ଘାଇ ନାଳ ପାଣିରେ କଳା ପାଉଁଶ ମିଶି ତାହା ପ୍ରଭାବିତ ହେଉଛି । ପାଣିରେ ମାଛ, କଙ୍କଡା, କଇଁଛ, ବେଙ୍ଗ, ସାପ ଆଦି ମାରୁଥିବାର ଦେଖିବାକୁ ମିଳୁଛି । ନାଳର ପାଣି ବିଭିନ୍ନ ଖାଲ ଖାମାରରେ ମିଶୁଛି ଫଳରେ ଗାଈ ଗୋରୁ ସବୁ ଏହି ପାଣି ପିଇ ମାରୁଛନ୍ତି । ନାଳର ପାଣି ଚାଷ ଜମିରେ ମାଡୁ ଥିବାରୁ ଏହା ଫସଲ ନଷ୍ଟର କାରଣ ସାଜୁଛି । ବିଷାକ୍ତ କଳା ପାଉଁଶକୁ ବ୍ୟବହାର ପାଇଁ ବିଭିନ୍ନ ଗାଇଡଲାଇନ ରହିଛି । ଏହା ପାଣି, କ୍ଷେତ, ଚାଷଜମି, ସର୍ବସାଧାରଣ ଜମି ହେଉ କି ରାସ୍ତା ଘାଟ, ବ୍ରିଜ ନିର୍ମାଣ, ସ୍କୁଲ ନିକଟବର୍ତୀ ସ୍ଥାନରେ ମାନଙ୍କରେ ବ୍ୟବହାର ପାଇଁ ସମୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଏହି ନିୟମକୁ କେହି ମାନୁ ନାହାଁନ୍ତି । ଏହାକୁ ସବୁ ସ୍ଥାନରେ ବ୍ୟବହାର କରାଯାଉଛି । ଫଳରେ ସ୍ଥାନୀୟ ଅଂଚଳର ଜଳ, ବାୟୁ ପ୍ରଦୂଷିତ ହେଉଛି । ଏହାର ସଂସ୍ପର୍ଷରେ ଆସି ସାଧାରଣ ଲୋକ ଅନେକ ରୋଗର ଶୀକାର ହେଉଛନ୍ତି । ସାହାରା ଘାଇ ନାଳ ଉପରେ ନିର୍ମିତ ବ୍ରିଜର ରାସ୍ତା କାର୍ଯ୍ୟରେ ଠିକାଦାର ମୋରମ ଜାଗାରେ କଳା ପାଉଁଶକୁ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । କୋଟି କୋଟି ଟଙ୍କାରେ ନିର୍ମିତ ବ୍ରିଜ କାର୍ଯ୍ୟରେ ବିଷାକ୍ତ କଳା ପାଉଁଶ ବ୍ୟବହାର କରିବା ପାଇଁ କିଏ ନିଦେ୍ର୍ଦଶ ଦେଇଛି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି । ତୁରନ୍ତ ଏହି କଳା ପାଉଁଶ ବ୍ୟବହାରକୁ ବନ୍ଦ କରିବା ପାଇଁ ଚାଷୀ ଓ ସାଧାରଣରେ ଦାବି କରାଯାଇଛି ।