ବାଲି ଗାଡି ପାଇଁ ଅସୁରକ୍ଷିତ କୁଆଖିଆ-ଯାବରା ରାସ୍ତା: ଫାଟୁଛି ପକ୍କା ରାସ୍ତା, ପ୍ରଶାସନ ନିରବଦ୍ରଷ୍ଟା

କୁଆଖିଆ : ଲଘୁ ଖଣିଜ ସଂପଦ ଉପରେ ସରକାରଙ୍କ ଲଗାମ୍ ନଥିବା ବେଳେ ମାଫିଆ ସକ୍ରିୟ ହୋଇପଡ଼ିଛି । ଯାହାଫଳରେ ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ସଙ୍କଟ ଦେଖାଦେଇଛି । ଏହାର ଉଦାହରଣ ଦେଖିବାକୁ ମିଳୁଛି କୁଆଖିଆ-ଯାବରା ରାସ୍ତାରେ ବୁହାଯାଉଥିବା ଶହ ଶହ ଟ୍ରିପ୍ ବାଲି ଚାଲାଣରୁ ରାସ୍ତାଟି ବିପନପୂର୍ଣ୍ଣ ପାଲଟିଛି । ଏକ ଜନବହୁଳ ଓ ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ପ୍ରତ୍ୟେକ ଦିନ ସକାଳରୁ ରାତି ପାହିବା ଯାଏ ଓଭରଲୋଡ୍ ହାଇୱା ଯୋଗେ ବାଲିବୁହା ଚାଲିଛି । 
ରସୁଲପୁର ତହସିଲ ଅନ୍ତର୍ଗତ ଯାବରା, ନୁଆହାଟ, କଣ୍ଠିଆକଣ ପରି ଅନେକ ବେନିଲାମ୍ ବାଲି ଖାଦାନ ମାନଙ୍କରୁ ବାଲି ମାଫିଆ ମେସିନ ସହାୟତାରେ ବାଲି ଉତୋଳନ କରି ବାହାରକୁ ଚାଲାଣ କରୁଥିବା ଦେଖାଯାଉଛି । ବର୍ତମାନ ଉକ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ବାଲି ଗାଡି ଗୁଡିକ ରାସ୍ତା ପ୍ରତି ବିପଦ ସଂକେତ ସୃଷ୍ଟି କରୁଛନ୍ତି । ଏପରିକି ମେଡ଼ିକାଲ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଗମନାଗମନରେ ବାଧାପ୍ରାପ୍ତ ହେଉଥିବା ଦେଖାଦେଇଛି । ରାସ୍ତା ନିର୍ମାଣ ସକାଶେ ଗାଡ଼ି ଗୁଡିକ ମୁଖ୍ୟ ରାସ୍ତାରେ ନଯାଇ ମଧୁବନ ରୋଡ଼ ବାଇପାସ୍ରେ ଯାଉଥିଲେ ହେଁ ଓଭରଲୋଡ୍ ହାଇୱା ଗୁଡିକ ଯାତାୟତ ଯୋଗୁଁ କଂକ୍ରିଟ୍ ରାସ୍ତା ଗୁଡିକ ଫାଟିଯିବା ଦେଖାଦେଇଛି । ଏହି ବେଆଇନ ବାଲି ଚାଲାଣ ପ୍ରତି ଖଣିଜ ବିଭାଗର ପ୍ରଛନ୍ନ ସହଯୋଗ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ଏହାକୁ ରୋକିବା ପାଇଁ ବୁଦ୍ଧିଜୀବୀ ଓ ସାଧାରଣରେ ଦାବି ହୋଇଛି ।