ବେଆଇନ୍ ଅଲଟ୍ରାସାଉଣ୍ଡ ସିଲ୍ 

ବ୍ୟାସନଗର:  ବ୍ୟାସନଗର ପୈାରାଞ୍ଚଳ କହ୍ନେଇପୁର ଠାରେ ବେଆଇନ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ । ବର୍ଷବର୍ଷ ଧରି ଚାଲିଥିବା ଅଲଟ୍ରାସାଉଣ୍ଡ ଉପରେ କିନ୍ତୁ ଚଢାଉ କରାଯାଉନଥିଲା । ଅଲଟ୍ରାସାଉଣ୍ଡ ଜନୈକ ଡ଼ାକ୍ତର ବେଫିକର ଭାବେ ଚଲାଇ ଆସୁଥିବା ବେଳେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା । ଦୀର୍ଘ ୭ଘଣ୍ଟା ଧରି ଚଢାଉରେ ଆମୁଳଚୂଳ ନଥିପତ୍ର ତଲାସିଥିଲେ  । ତଲାସିବା ସହ ସେଣ୍ଟରରେ ଉପସ୍ଥିତ ଥିବା ଡ଼ାକ୍ତର ରଂଜିବ ରାଉତ ଏବଂ ତାଙ୍କ ପତ୍ନୀ ବା ଅଲଟ୍ରାସାଉଣ୍ଡ ମାଲିକାଣୀ ଇପାଂଜଳୀ ନାୟକଙ୍କୁ ପଚରା ଉଚରା କରିଥିଲେ । ଯାଂଚ କରି ଫେରିବା ପୂର୍ବରୁ ତଦନ୍ତକାରୀ ଦଳ ସଂପୃକ୍ତ ଅଲଟ୍ରାସାଉଣ୍ଟକୁ ସିଲ୍ କରିଥିଲେ । ତଦନ୍ତକାରୀ ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏନେଇ ରିପୋର୍ଟ କରିବେ । ରିପୋର୍ଟ ଆଧାରରେ ଡ଼ାକ୍ତର ଏବଂ ମାଲିକାଣୀଙ୍କ ବିରୁଦ୍ଧରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିୟୋଜିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ଖବର ମତେ କହ୍ନେଇପୁର ଶିବ ମନ୍ଦିର ସମ୍ମୁଖରେ ରହିଛି ଇଷ୍ୟା ଡ଼ାଇଗ୍ନୋଷ୍ଟିକ ଓ ହେଲ୍ଥ କେୟାର ସେଣ୍ଟର । ସଂପୂର୍ଣ୍ଣ କମ୍ପୁଟରାଇ ଯୁକ୍ତ ଅଲଟ୍ରାସାଉଣ୍ଡ କରାଯାଇଥାଏ । ଅଲଟ୍ରାସାଉଣ୍ଡ ଚଲାଇବାକୁ ସରକାରୀ ଅନୁମତି ବା ପଞ୍ଜିକୃତ ହେବା ବାଧ୍ୟବାଧକତା ଥିବା ବେଳେ ଏଠି କିନ୍ତୁ ତାହା ହୋଇନଥିଲା । କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ କଣ୍ଟ୍ରୋଲ ଆଣ୍ଡ ରେଗୁଲେସନ ନିୟମକୁ ପୁରାପୁରି ଉଲ୍ଲଘନ କରି ଚାଲିଆସୁଥିବା ସେଣ୍ଟରରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଭଳି ଅଭିଯୋଗ ହୋଇଆସୁଥିଲା । କିନ୍ତୁ ଆଜି ଚଢାଉରେ ସାମିଲ ଅଧିକାରୀ ଅଭିଯୋଗକୁ ସ୍ପଷ୍ଟ କରିନଥିଲେ ହେଁ କହିଥିଲେ କି ସେଣ୍ଟରଟି ବେଆଇନ ଭାବେ ଚାଲୁଥିଲା । ଏଭଳି ଅଭିଯୋଗ ଆଧାରରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଡ଼ାକ୍ତର ଶ୍ରୀ ରାଉତ୍ ଉପସ୍ଥିତ ରହି ଅଲଟ୍ରାସାଉଣ୍ଡ କରୁଥିଲେ । ଗୋଟିଏ ବେଆଇନ ସେଣ୍ଟରରେ ଡ଼ାକ୍ତର ଅଲଟ୍ରାସାଉଣ୍ଡ କରୁଥିବାରୁ ହୋଇଥିବା ଅଭିଯୋଗରେ ସତ୍ୟତା ଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ ହେବାପରେ ଖୋଳତାଡ଼ କରି ସିଲ କରିଥିଲେ । ରାଜ୍ୟ ଶିଶୁ ବିଭାଗର ଯୁଗ୍ମ ନିଦେ୍ର୍ଦଶିକା ଡ଼ାକ୍ତର ପ୍ରତିଭା ପ୍ରଧାନଙ୍କ ନେତୃତ୍ୱରେ ଚଢାଉରେ ଡ଼ାକ୍ତର ଶ୍ରାବଣୀ ଦାସ, ଡ଼ାକ୍ତର ମନୋରଂଜନ ପ୍ରଧାନ, ଡ଼େପୁଟି ଜିଲାପାଳ ବାସୁଦେବ ନାୟକ, ଯାଜପୁର ସିିଡ଼ିଏମ କାର୍ଯ୍ୟାଳୟର ପିସିପିଏନବିଟିର ଡ଼ାକ୍ତର ପ୍ରଦୀପ କୁମାର ସାହୁ, ଆଇନ ପରାମର୍ଶ ଦାତା ଦେବାଶିଷ ପ୍ରଧାନ, ତାପସ କୁମାର ମହାପାତ୍ର ପ୍ରମୂଖ ସାମିଲ ହୋଇଥିଲେ । ଯାଜପୁର ରୋଡ଼ ପୁଲିସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିଲା ।