‘ବିକଶିତ ଗାଁ ବିକଶିତ ଓଡ଼ିଶା'କାର୍ଯ୍ୟକ୍ରମ
ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ "ବିକଶିତ ଗାଁ' ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଗାଁର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ମୋଟ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗାଁର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ମହକୁମା ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପଠାରେ ରାଜ୍ୟ ସରକାରଙ୍କ ଏହି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶୁଭଙ୍କର ମହାପାତ୍ର, ସଦର ବିଧାୟକ ମାନସ ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ, ସଦର ବିଡ଼ିଓ ଉତ୍ତମ ଜେନା ଏବଂ ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ଯୋଜନା ଅନ୍ତର୍ଗତ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯିବ । ଏଥି ସହିତ ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡକ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ତଥା ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ । ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ ।
ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ "ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଉଦ୍ଘାଟନୀ ଉତ୍ସବରେ ସଦର ମହକୁମା ସ୍ଥିତ ମିନି ଷ୍ଟାଡୟମ ଠାରେ ଖାଉଟି କଲ୍ୟାଣ, ଖାଦ୍ୟ ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ଏହି ଯୋଜନା ମାଧ୍ୟମରେ ପ୍ରତି ଗାଁରେ ଭଲ ରାସ୍ତା, ଡ୍ରେନ, ପାଠାଗାର, କଲ୍ୟାଣ ମଣ୍ଡପ, କମୁ୍ୟନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗ ରୁମ, ମାର୍କେଟ ସେଡ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ଆଦି ନିର୍ମାଣ କରାଯିବା ସହ ଧାର୍ମିକ ପୀଠ, ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀ, ଶିକ୍ଷା ତଥା କ୍ରୀଡା ଭିତ୍ତିଭୂମି ଆଦିର ବିକାଶ ମଧ୍ୟ କରାଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ସଦର ବ୍ଲକ ଅଧ୍ୟକ୍ଷ କାଳନ୍ଦୀ ଚରଣ ସାମଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର କାର୍ଯ୍ୟକାରୀତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ସଭାପତିତ୍ୱ କରିଥିବାବେଳେ ଧନ୍ୟବାଦ ଅର୍ପଣ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠି କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଅବନୀ ମିଶ୍ର କରିଥିଲେ । ଜିଲ୍ଲାର ୮ଗୋଟି ବ୍ଲକ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡି ହେଇଥିଲେ ।