ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ  ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ସାରା ଭାରତ ବର୍ଷରେ ପ୍ରସିଦ୍ଧ ଅଟେ । ପ୍ରତିବର୍ଷ ଏଠାକୁ ହଜାର ହଜାର ତୀର୍ଥଯାତ୍ରୀ ଆସିଥାନ୍ତି । ବର୍ତ୍ତମାନ ପଞ୍ଚଲିଙ୍ଗେଶ୍ୱରକୁ ଯିବାକୁ ରାସ୍ତାର ପରିସ୍ଥିତି କହିଲେ ନ ସରେ । ଗାଡିରେ ଯିବା ତ ଦୂରର କଥା, ଖାଲି ପାଦରେ ଯାଇ ହେଉନାହିଁ । ଯାହାକୁ ଦୃଷ୍ଟିରେ ରଖି ସିପିଆଇ (ଏମ୍) ସହିତ ବହୁ ସଂଗଠନ ରାଜରାସ୍ତାକୁ ଉହ୍ଲାଇଛନ୍ତି । ପ୍ରଶାସନ ପକ୍ଷରୁ ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳେ । କିନ୍ତୁ ସଠିକ୍ କାର୍ଯ୍ୟ ହୁଏ ନାହିଁ । ଉକ୍ତ ରାସ୍ତାରେ ଭାରୀଯାନ ଯାତାୟତ କରିବା ଫଳରେ ରାସ୍ତାର ପରିସ୍ଥିତି ବହୁ ଖରାପ ହୋଇଯାଇଛି । ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାକୁ ଯାଥାଶୀଘ୍ର ମରାମତି ସହିତ ଭାରୀଯାନକୁ ଚଳାଚଳ ବନ୍ଦ ପାଇଁ ସିପିଆଇ (ଏମ୍) ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ପ୍ରତିନିଧି ଦଳରେ ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ, ମୃତୁ୍ୟଞ୍ଜୟ ନାୟକ, ହେମେନ୍ଦ୍ର ସେଠୀ, ଗଙ୍ଗାଧର ମହାନ୍ତି, ରବିନ୍ଦ୍ର ରଣା, ନାରାୟଣ ମଲ୍ଲିକଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଉକ୍ତ ଦାବିକୁ ଗୁରୁତ୍ୱର ସହିତ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ୧୫ ଦିନ ଭିତରେ ଦାବି ପୂରଣ ପାଇଁ ଦାୟିତ୍ୱ ଦେଇଛନ୍ତି । ଯଦି ୧୫ ଦିନ ମଧ୍ୟରେ ରାସ୍ତା ମରାମତି ନ ହୁଏ, ତେବେ ଦଳ ରାଜରାସ୍ତାକୁ ଓଲ୍ଲାଇବ ବୋଲି ଦଳର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର ଚେତାବନୀ ଦେଇଛନ୍ତି ।