ବିକିରଣ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ
ପୁରୀ : ସର୍ବଭାରତୀୟ ବିକିରଣ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ଦୁଇ ଦିନିଆ ନବମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ କର୍କଟ ରୋଗପାଇଁ ଉପଲବ୍ଧ ସମସ୍ତ ଚିକିତ୍ସା ବ୍ୟବସ୍ଥା ମଧ୍ୟରେ ବିକିରଣ ଚିକିତ୍ସା ନିଜର ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ ସମ୍ମତ ଯୁଗପୋଯୋଗୀ ଚିକିତ୍ସା ପଦ୍ଧତି ବୋଲି ମତପ୍ରକାଶ ପାଇଥିଲା । ସୁକ୍ଷ୍ମତା ଓ ସଠିକତା ଦ୍ୱାରା ଆରୋଗ୍ୟ ପ୍ରାପ୍ତିକୁ ଏଥିରେ ମୁଖ୍ୟ ପ୍ରସଙ୍ଗ ଭାବେ ରଖାଯାଇଛି । ଯାହାଦ୍ୱାରା କର୍କଟ ରୋଗର ଚିକିତ୍ସା ଦିଗରେ ଉପଲବ୍ଧ ଥିବା ଆଧୁନିକ ତଥା ଉନ୍ନତ ଚିକିତ୍ସା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ସମ୍ମିଳନୀରେ ସର୍ବଭାରତୀୟ ଦଳର ପ୍ରମୁଖ କର୍କଟ କେନ୍ଦ୍ରରୁ ପ୍ରାୟ ୨୦୦ କର୍କଟ ଚିକିତ୍ସକ ଭାଗ ନେଇଛନ୍ତି । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଉପକୂଳପତି ଡ. ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ସର୍ବଭାରତୀୟ ବିକିରଣ ଚିକିତ୍ସକ ସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପ୍ରଫେସର ଡ. ସୁରେନ୍ଦ୍ର ନାଥ ସେନାପତି, ଡ. ସିଏସ୍ ମଧୁ ଓ ସାଧାରଣ ସମ୍ପାଦକ ଡ. ଭି.ଶ୍ରୀନିବାସନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମିଳନୀରେ ରାଜ୍ୟରେ କର୍କଟ ଚିକିତ୍ସା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚିକିତ୍ସକମାନେ ପ୍ରାଥମିକ ସ୍ତରରେ ରୋଗ ନିରୁପଣ ଓ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ।