ସ୍ଥିତିବାନ ସମ୍ପତ୍ତିକୁ ଜଗନ୍ନାଥଙ୍କ ନାମରେ ରେକର୍ଡ ପାଇଁ ମସୁଧା
ପୁରୀ: ପୁରୁଷାନୁକ୍ରମିକ ସ୍ଥିତିବାନ ସମ୍ପତ୍ତିରେ ଭୋଗଦଖଲକାରୀ ପ୍ରଜାମାନେ ଉଚିତ ନ୍ୟାୟ ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଯଥାଶୀଘ୍ର ଏହି ଦାବି ପୂରଣ କରା ନଗଲେ ୨୦ଖଣ୍ଡ ଗ୍ରାମର ଗ୍ରାମବାସୀମାନେ ଜନଆନେ୍ଦାଳନ କରିବେ ବୋଲି ଆଞ୍ଚଳିକ ଭୂ-ସମ୍ପତ୍ତି ସୁରକ୍ଷା ପରିଷଦ ପକ୍ଷରୁ ପ୍ରକାଶ କରାଯିବା ସହ ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ପୁରୁଷାନୁକ୍ରମେ ମାଲିକ ଥାଇ ଭୋଗ ଦଖଲ କରୁଥିବା ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ ରେକର୍ଡ କରାଇନେବାକୁ ଚାଲିଥିବା ଅପଚେଷ୍ଟାର ବିରୋଧ କରିଛନ୍ତି ଗ୍ରାମବାସୀ । ପୁରୀ ସଦର ଅନ୍ତର୍ଗତ ସମଙ୍ଗରା, ବାଟଗାଁ, ବାଲିଗୁଆଳି, ମଙ୍ଗରାଜପୁର, ଆଳିକିଆ, ବେଲେଶ୍ୱର ପାଟଣା, ବେଲଦଳ, ଭୂଆଁ, ନାଗପାଟଣା, ଖଣ୍ଡିଆବନ୍ଧ ସମେତ ଅନ୍ୟ ୧୦ଖଣ୍ଡ ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପରିଷଦର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରିବା ସମୟରେ ପ୍ରକାଶ କରିଥିଲେ ଯେ, ସଂପୃକ୍ତ ଗ୍ରାମବାସୀ ପିତୃପିତାମହ ଅମଳରୁ ପୁରୀ ସଦର ତହସିଲ ଅଧୀନ ସମଙ୍ଗରା, ବାଟଗାଁ, ଆଳିକିଆ, ବାଲୁଖଣ୍ଡ ଓ ଅନ୍ୟାନ୍ୟ ମୌଜାରେ ଥିବା ଭୂସମ୍ପତ୍ତି ୧୯୨୭-୨୮ ମସିହା ବନେ୍ଦାବସ୍ତ ରେକର୍ଡ ମୁତାବକ ସ୍ଥିତିବାନ ପ୍ରଜା ଅଛନ୍ତି । ତତ୍କାଳୀନ ଭୂ-ମାଧ୍ୟମକାରୀ ଜମିଦାରଙ୍କୁ ଭୂରାଜସ୍ୱ ଖଜଣା ପଇଠ ଦେଇ ପୁରୁଷାନୁକ୍ରମିକ ଭାବେ ଉକ୍ତ ସମ୍ପତ୍ତିଙ୍କ ପକ୍ଷେ ନିରାପଦ ମାଲିକ ସତ୍ତ୍ୱବାନ ଭୋଗ ଦଖଲକାର ରହିଛନ୍ତି । ଗ୍ରାମବାସୀମାନେ ଆବଶ୍ୟକ ସ୍ଥଳେ ଏହି ସମ୍ପତ୍ତିକୁ ଅନ୍ୟତ୍ର ବିକ୍ରି ବନ୍ଧକ ଦେଇ ପରିବାରର ଆର୍ଥିକ ଅନଟନ ମେଣ୍ଟାଇଆସୁଛନ୍ତି । ୧୯୭୭ ମସିହା ବନେ୍ଦାବସ୍ତ ମୁତାବକ ସଂପୃକ୍ତ ପ୍ରଜାମାନଙ୍କ ନାମରେ ସ୍ଥିତିବାନ ସ୍ୱତ୍ତରେ ରେକର୍ଡ଼ ପୂରଣ ଥାଇ ସଂପୃକ୍ତ ପ୍ରଜାମାନେ ନିରବଚ୍ଛିନ୍ନ ଭାବେ ଭୋଗ ଦଖଲକାର ଥାଇ ଭୂ-ରାଜସ୍ୱ ଦେଇଆସୁଛନ୍ତି । ପରିଷଦର ଆବାହକ ଶଶିଭୂଷଣ ଶତପଥୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ୨୦୧୨ ମସିହା ଅକ୍ଟୋବର ମାସ ୧୦ ତାରିଖ ଠାରୁ ଶ୍ରୀମନ୍ଦିର ପ୍ରଶାସନ ସଂପୃକ୍ତ ମୌଜା ସହ ଅନ୍ୟାନ୍ୟ କେତେକ ମୌଜାରେ ଥିବା ସ୍ଥିତିବାନ୍ ପ୍ରଜାମାନଙ୍କୁ କୌଣସି ନୋଟିସ୍ ନଦେଇ ବିକ୍ରି ଖରିଦକୁ ଅସିଦ୍ଧ ଘୋଷଣା କରିଛନ୍ତି । ଏହି ସମ୍ପତ୍ତିକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡ଼ କରାଇ ନେବାକୁ ଅପଚେଷ୍ଟା ଚଳାଇ ଆସୁଛନ୍ତି । ଯାହାକି ଓଏଲଆର ଆକ୍ଟର ବିରୁଦ୍ଧାଚରଣ ରକରୁଛି । ଫଳରେ ଭୋଗଦଖଲକାର ପ୍ରଜାଙ୍କ ଅପୂରଣୀୟ କ୍ଷତି ଘଟୁଛି । ଶ୍ରୀମନ୍ଦିର ପ୍ରଶାସନ ୧୮/୩/୧୯୭୪ ମସିହା ଜମିଦାରୀ ଉଚ୍ଛେଦ ପ୍ରଥା ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି କ୍ରମେ ଓଡ଼ିଶା ସରକାରଙ୍କ ଠାରୁ କ୍ଷତିପୂରଣର ଗ୍ରହଣ କରିସାରିଥିଲେ ମଧ୍ୟ ସ୍ଥିତିବାନ ପଟାର ଜମିଦାର କଲମରେ ମହାପ୍ରଭୁ ଜଗନ୍ନାଥଙ୍କ ନାମ ଉଲ୍ଲେଖ କରାଯାଇଛି । ଏହା ତତ୍କାଳୀନ ରାଜସ୍ୱ ବିଭାଗର ଅବହେଳା ଯୋଗୁଁ ଘଟିଛି । ମାତ୍ର ତାକୁ ଆଳ କରି ଶ୍ରୀମନ୍ଦିର ପ୍ରଶାସନ ସ୍ଥିତିବାନ ସଂପତ୍ତିକୁ ନିଜ ନାମରେ ରେକର୍ଡ଼ କରାଇ ଦେବାକୁ ଅପଚେଷ୍ଟା କରୁଛନ୍ତି । ଜିଲ୍ଲପାଳ ଦାବିପତ୍ର ଗ୍ରହଣ କରି ଏ ସଂକ୍ରାନ୍ତରେ ପଦକ୍ଷେପ ନେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।