କେନ୍ଦୁଝର ଜିଲାରେ ବିଜେଡିକୁ ଶକ୍ତ ଧକ୍କା 

କେନ୍ଦୁଝର ଜିଲାରେ ବିଜେଡିକୁ ଶକ୍ତ ଧକ୍କା 

ଆନନ୍ଦପୁର: ଏକଦା କେନ୍ଦୁଝର ଜିଲାକୁ ବିଜେଡିର ଅଭେଦ୍ୟ ଦୁର୍ଗ ବୋଲି ବିବେଚନା କରାଯାଉଥିଲା । ୨୦୧୯ ମସିହାରେ ଜିଲାର ୬ଗୋଟି ନିର୍ବାଚନମଣ୍ଡଳୀରୁ କେବଳ କେନ୍ଦୁଝର ସଦରକୁ ଛାଡିଦେଲେ ଅନ୍ୟ ୫ଗୋଟି ବିଧାନସଭା କ୍ଷେତ୍ରକୁ ବିଜେଡି ନିଜ କବଜାରେ ରଖିଥିଲା । ସେହିପରି କ୍ରମାଗତ ଭାବେ ତିନିଥର ଧରି ସାଂସଦ ପଦବୀକୁ ମଧ୍ୟ ଅକ୍ତିଆର କରି ଆସୁଥିଲା ଦଳ । ମାତ୍ର ଚଳିତ ଥର ମୋଦି ସୁନାମିରେ କେନ୍ଦୁଝର ଜିଲାର ବିଜେଡି ଗଡ଼ ଭାସିଯାଇଛି । ଚଳିତ ସାଧାରଣ ନିର୍ବାଚନରେ ଆସିଥିବା ସୁନାମିରେ କେନ୍ଦୁଝର ସଦର, ତେଲକୋଇ, ପାଟନା ବିଧାନସଭା କ୍ଷେତ୍ର ବିଜେଡି ନିକଟରୁ ଭାସିଯାଇଥିବା ବେଳେ ସାଂସଦ ପଦବୀ ମଧ୍ୟ ଭାସି ଯାଇଛି । କେବଳ ଆନନ୍ଦପୁର, ଘସିପୁରା ଏବଂ ଚମ୍ପୁଆ ବିଧାନସଭା କ୍ଷେତ୍ରରେ ଅଳ୍ପ ଭୋଟ ବ୍ୟବଧାନରେ ଜିତି ବିଜେଡି ନିଜର ସମ୍ମାନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି । କେନ୍ଦୁଝର ଜିଲାରେ ବିଜେପିର ଅନନ୍ତ ନାୟକ ସାଂସଦ ଭାବେ ବାଜିମାତ କରିଥିବା ବେଳେ ଦୀର୍ଘ ୧୫ ବର୍ଷ ପରେ ସାଂସଦ ଶ୍ରୀ ନାୟକ ବିଜେପିର ବାନା ଉଡେଇଛନ୍ତି । ଲୋକସଭା ଆସନରେ ବିଜେପିର ଅନନ୍ତ ନାୟକ ବିଜେଡିର ଧନୁର୍ଜୟ ସିଧୁଙ୍କ ସହିତ ଲଢେଇ ହୋଇଥିଲା । ଏଥିରେ ବିଜେପିର ଲୋକ ପ୍ରୀୟ ସାଂସଦ ପ୍ରାର୍ଥô ଅନନ୍ତ ନାୟକ ବିଜେଡିର ଧନୁର୍ଜୟଙ୍କୁ ୯୭୦୪୨ ଖଣ୍ଡ ଭୋଟରେ ପରାସ୍ତ କରି ନିଜ ଲୋକ ପ୍ରିୟତାର ପ୍ରମାଣ ଦେଇଛନ୍ତି । ବିଧାନସଭା କ୍ଷେତ୍ରରେ ଦେଖିଲେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡିର ଅଭିମନୁ୍ୟ ସେଠୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଜୟଦେବ ଜେନାଙ୍କୁ ୧୧୦୨୫ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ଅଭିମନୁ୍ୟ ୭୧୫୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଜୟଦେବ ୬୦୪୯୧ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପିର ଆଲୋକ ସେଠୀ ୪୨୪୨୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପଟେ ଘସିପୁରା ବିଧାନସଭା କ୍ଷେତ୍ରରେରେ ବିଜେଡି ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ୧୩୮୧୧ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।  ବଦ୍ରୀନାରାୟଣ ମୋଟ ୮୨୫୧୬ ଖଣ୍ଡ ଭୋଟ ପାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ୬୮୭୦୫ ଖଣ୍ଡ ଭୋଟ ପାଇଛନ୍ତି । ବିଜେପିର ଶମ୍ଭୁନାଥ ରାଉତ ୨୩୮୧୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତିା କଂଗ୍ରେସରସୁବ୍ରତ ଚକ୍ର ୨୮୦୭ଖଣ୍ଡ ଭୋଟ ପାଇ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଚମ୍ପୁଆରେ ମଧ୍ୟ ବିଜେଡି ନିଜ ଆସନକୁ ଅକ୍ତିଆର କରିବାରେ ସକ୍ଷମ ହୋଇଛି । ବିଜେଡିର ସନାତନ ମହାକୁଡ଼ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମୁରଲୀ ଶର୍ମା ୩୯୯୯୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସନାତନ୧୦୩୧୨୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ମୁରଲୀ ଶର୍ମା ୬୩୧୨୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ଯଶୋବନ୍ତ ଲାଗୁରି ୮୬୪୯ଖଣ୍ଡ ଭୋଟ ପାଇଛନ୍ତି । କେନ୍ଦୁଝର ସଦର ଆସନଟି ବିଜେପି ପୁନର୍ବାର ନିଜ କବଜାରେ ରଖିବାକୁ ସକ୍ଷମ ହୋଇଛି । ଏଠାରେ ବିଜେପିର ମୋହନ ଚରଣ ମାଝୀ ବିଜେଡିର ମୀନା ମାଝୀଙ୍କୁ ୧୧୫୭୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ମୋହନ ଚରଣ ମାଝୀ ୮୭୮୧୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ର ମୀନା ମାଝୀ ୭୬୨୩୮ ଖଣ୍ଡ ଏବଂ କଂଗ୍ରେସର ପ୍ରତୀମା ମଞ୍ଜରୀ ନାଏକ ୧୧୯୦୪ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ତେଲକୋଇ ବିଧାନସଭା କ୍ଷେତ୍ରରେ ମଧ୍ୟ ପଦ୍ମ ଫୁଟିଛି । ବିଜେପିର ଫକୀର ଚରଣ ନାୟକ ବିଜେଡିର ତଥା ବରିଷ୍ଠ ନେତା ମାଧବ ସର୍ଦାରଙ୍କୁ ୯୪୩୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଫକୀର ଚରଣ ନାଏକ ୮୩୮୧୮ ଖଣ୍ଡ ଭୋଟ ପାଇଥିବା ବେଳେ ବରିଷ୍ଠ ବିଜେଡି ନେତା ୭୪୩୭୯ ଖଣ୍ଡ ଭୋଟ ପାଇଥିଲେ । ଅନ୍ୟପଟେ କଂଗ୍ରେସର ନିର୍ମଳ ଚନ୍ଦ୍ର ନାୟକ ୧୧୩୯୫ ଖଣ୍ଡ ଭୋଟ ପାଇଛନ୍ତି । ପାଟନା ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେଡି ଗଡ଼ରେ ପଦ୍ମ ଫୁଲ ଫୁଟିଛି । ବିଜେପିର ଅଖିଳ ଚନ୍ଦ୍ର ନାଏକ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଧାୟକ ଜଗନ୍ନାଥ ନାୟକଙ୍କୁ ୩୭୯୭୯ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେପିର ଅଖିଳ ଚନ୍ଦ୍ର ନାଏକ ୯୭୦୪୧ଭୋଟ ପାଇଥିବା ବେଳେ ବିଜେଡି ବିଧାୟକର ଜଗନ୍ନାଥ ନାଏକ ୫୯୦୬୨ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସର ହୃଷିକେଶ ନାଏକଙ୍କୁ ୯୮୭୧ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ତେଣୁ କେନ୍ଦୁଝର ଜିଲ୍ଲାର ଏହି ଫଳାଫଳକୁ ଦେଖିଲେ ମୋଦି ସୁନାମିକୁ ବିଜେଡି ଅଟକାଇ ପାରିନଥିବା ଜଣା ଯାଉଛି ।