ବିଜେପିର ମିଶ୍ରଣ ପର୍ବ: ବିଜେଡି ହାତ ଛାଡିଲେ ୫ ପଞ୍ଚାୟତ ପ୍ରତିନିଧି
ସୁକିନ୍ଦା : ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକ ସଂଗଠନ ଦଖଲ ପରେ ଏବେ ସୁକିନ୍ଦା ପଂଚାୟତ ସମିତି ଦଖଲ ପାଇଁ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଗୋଟି ଚାଳନା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସୁକିନ୍ଦା ବ୍ଲକର ୪ ପଞ୍ଚାୟତର ୩ ସରପଞ୍ଚ ଓ ୨ ସମିତିସଭ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସୁକିନ୍ଦା ବିଜେପି ପକ୍ଷରୁ ସୁକିନ୍ଦା ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଅତିଥି ଯୋଗ ଦେଇ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶକୁ ଭଲ ପାଇ ବିଜେଡି ଦଳକୁ ପରିତ୍ୟାଗ କରି ବିଜେପିରେ ସାମିଲ ହେବାକୁ ଆସିଥିବା ନୂତନ ଆଗନ୍ତୁକ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଦଳୀୟ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ହାତିବାରୀ, ଖରଡି, ଆମ୍ପଳବା ଓ ଓଳିଆ ପଂଚାୟତର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଛାମୁଆ କର୍ମୀଙ୍କ ସହିତ ଖରଡି ପଞ୍ଚାୟତର ବିଜେଡି ନେତା ଅକ୍ଷୟ ସାହୁ, ପୂର୍ବତନ ସରପଞ୍ଚ ସୁରେଶ ସାହୁ ଓ ସରପଞ୍ଚ କୌଶଲ୍ୟା ସାହୁଙ୍କ ସହିତ ହାତିବାରୀ ଫଚାୟତର ସରଫଚ ମଧୁସ୍ମିତା ସେଠୀ, ସମିତିସଭ୍ୟା ସସ୍ମିତା ଦାସ, ଓଳିଆ ଫଚାୟତର ସମିତିସଭ୍ୟ ଯଯାତି କେଶରୀ ବେହେରା ଓ ଆମ୍ପଳବା ସରପଞ୍ଚ ନବଜ୍ୟୋତି ସାହୁ ପ୍ରମୁଖଙ୍କୁ ମନ୍ତ୍ରୀ ଶ୍ରୀବଳସାମନ୍ତ ଦଳୀୟ ଉତରୀୟ, ଟୋପି ଓ ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲ କରିଥିଲେ । କାର୍ଯ୍ୟକ୍ରମରେ ବିଜେପି ନେତା ଅମଳେନ୍ଦୁ ବେହୁରା, ରମଣୀରଞ୍ଜନ ବଳସାମନ୍ତ, ମନ୍ତ୍ରୀଙ୍କ ପ୍ରତିନିଧି ଶେଖର ମହାନ୍ତି, ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ପ୍ରସନ୍ନ ବେହେରା ଓ ଖଣି ଅଞ୍ଚଳ ମଣ୍ଡଳ ସଭାପତି ମନୋଜ ନାୟକ, ଜିଲାପରିଷଦ ସଭ୍ୟ ପ୍ରତାପ ପଟ୍ଟନାୟକ, ରାଜେନ୍ଦ୍ର କାଲୁଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।