ବିଦ୍ୟାଳୟ ପରିସର ଭିତରେ ଖୋଲା ପଡ଼ିଛି ନାଳ : ଛାତ୍ରଛାତ୍ରୀଙ୍କ ପାଇଁ କାଳ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଅହେମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଏକ ଖୋଲା ନାଳ ଯାଇଛି । ଏହି ନାଳ ଉପରେ କୌଣସି ଢାଙ୍କୁଣୀ ନାହିଁ । ଏହି ନାଳଟି ବର୍ତ୍ତମାନ ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ ହୋଇ ପଡିରହିଛି । ଫଳରେ ଏହା ବିଭିନ୍ନ ସରୀସୃପ ପ୍ରାଣୀ ଏପରିକି ବିଷଧର ସାପଙ୍କର ବାସସ୍ଥାନ ପାଲଟିଛି । ପୂର୍ବରୁ ଗତ କିଛି ମାସ ତଳେ ଅହେମ୍ମଦ ବକ୍ସସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା । ବହୁ ଧୁମ୍ଧାମ୍ରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଗଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ମନ୍ତ୍ରୀ ବିଧାୟକ ଯୋଗଦେଇଥିଲେ । ବିଦ୍ୟାଳୟର ହୀରକ ଜୟନ୍ତୀ କମିଟି ପକ୍ଷରୁ ଏହି ଉତ୍ସବକୁ ଅତ୍ୟନ୍ତ ଆଡମ୍ବର ପୂର୍ଣ୍ଣ ଭାବରେ ପାଳନ କରାଯାଇଥିଲା । ଏବେ ଉକ୍ତ ବିଦ୍ୟାଳୟଟି ପିଏମ୍ଶ୍ରୀ ବିଦ୍ୟାଳୟରେ ସ୍ଥାନୀତ ହୋଇଛି । ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ଚଳିତ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀମାନଙ୍କୁ ନିଜ ପିଲା ଭଳି ଭାବି ଶିକ୍ଷାଦାନ କରିବାକୁ ସେମାନଙ୍କ ଚରିତ୍ର ଗଠନ କରିବାରେ ନିୟୋଜିତ ହେବାକୁ ନିବେଦନ କରିଥିଲେ । ବାର୍ଷିକ ଉତ୍ସବ ଧୁମ୍ଧାମ୍ରେ ପାଳିତ ହେଲା, ଭୋଜି ଭାତର ଆସର ଜମିଲା ହେଲେ ବିଦ୍ୟାଳୟ ପରିସର ଭିତରେ ଖୋଲା ମେଲାରେ ଦୀର୍ଘ ଦିନରୁ ଥିବା ନାଳକୁ ନ ପୋତିବା ଏବଂ ଏହି ନାଳ ଛାତ୍ର ଛାତ୍ରୀମାନଙ୍କ ପାଇଁ ବିପଦ ଆଣିବ ବୋଲି ଛାତ୍ର ଅଭିଭାବକଙ୍କ ମନରେ ଆଶଙ୍କା ଦେଖାଦେଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ବିଦ୍ୟାଳୟର କିଛି ପୁରାତନ ଛାତ୍ର ଛାତ୍ରୀ ବାର୍ଷିକ ଉତ୍ସବକୁ ଧୁମ୍ ଧାମ୍ରେ ପାଳନ କରୁ୍ଥିବା ବେଳେ ଛାତ୍ର ଛାତ୍ରୀଙ୍କ ପ୍ରତି ବିପଦ ଥିବା ଉକ୍ତ ନାଳକୁ ପୋତି ସମତୁଲ କରିବା କଥା କାହାରି ମନକୁ ଆସୁନାହିଁ । କେବେ ସୁଧାର ଆସିବ ଆଉ କେବେ ବିଦ୍ୟାଳୟ ପରିସର ଭିତରେ ଥିବା ଉକ୍ତ ବିପଦପୂର୍ଣ୍ଣ ନାଳକୁ ପୋତାଯାଇ ସମତୁଲ କରାଯିବ ।