ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍
ଫୁଲବାଣୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, କନ୍ଧମାଳ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଅଧ୍ୟକ୍ଷତା କରି କହିଲେ, ଯେ କୌଣସି ବିପର୍ଯ୍ୟରୁ ମଣିଷ ସମ୍ପଦ ହେଉ ବା ପ୍ରାଣୀ ସମ୍ପଦ ହେଉ ସମସ୍ତଙ୍କୁ ରକ୍ଷା କରିବା ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ୍ । ସେଥିପାଇଁ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ପାଇଁ ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥାଏ । ବିପର୍ଯ୍ୟୟ ଘଟିବା ପୂର୍ବରୁ ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ଘଟିବା ପରେ ପରେ କ'ଣ କରାଯିବ ଓ କେମିତି ପରିଚାଳନା କରାଯିବ ସବୁ ବିଭାଗ ସେଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ତେବେ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ସଜାଗ ହେବା ସହିତ ବିପର୍ଯ୍ୟୟ ପରେ ପରେ ଥଇଥାନ ପଦକ୍ଷେପକୁ ସଠିକ ମାର୍ଗରେ ପରିଚାଳନା ଉଦେ୍ଦଶ୍ୟରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ ପାଟିଲ୍ ପରାମର୍ଶ ଦେଇଥିଲେ । ସେହିପରି, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ରମେଶ ଚନ୍ଦ୍ର ଜେନା କହିଲେ, ସବୁ ବିଭାଗର ମିଳିତ ଉଦ୍ୟମରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ସହଜରେ ପରିଚାଳନା ମଧ୍ୟ କରାଯାଇପାରିବ । ଓଏସ୍ଡିଏମ୍ଏ ରାଜ୍ୟ ପର୍ଯ୍ୟବେକ୍ଷକ ଖାଦିମ୍ ଖାନ୍ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଜିଲ୍ଲାରେ ବିପର୍ଯ୍ୟୟକୁ ରୋକିବା ପାଇଁ ବା ପ୍ରଭାବକୁ କମାଇବା ପାଇଁ ଏବଂ ବିପର୍ଯ୍ୟୟ ପରେ ପରେ ନେବାକୁ ଥିବା ପଦକ୍ଷେପ ଗୁଡିକୁ ସଠିକ ସମୟରେ ଓ ସଠିକ ଭାବରେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପ୍ରଭୁ ପ୍ରସାଦ ମହାରଣା ପାୱାର ପଏଣ୍ଟ ମାଧ୍ୟମରେ ଏ ସମ୍ପର୍କରେ ଆଲୋଚନା କରିଥିଲେ । ପାୱାର ପଏଣ୍ଟ ମାଧ୍ୟମରେ ହୋଇଥିବା ଆଲୋଚନାରୁ ଜଣାପଡିଛି ଯେ, ଜିଲ୍ଲା ଆପତକାଳୀନ ଅଧିକାରୀଙ୍କ ସମେତ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ବିପର୍ଯ୍ୟୟର ସୁପରିଚାଳନା ପାଇଁ ତାଙ୍କ କାର୍ଯ୍ୟାଳୟରେ ଦିବା ରାତ୍ର କଣ୍ଟ୍ରୋଲ୍ ରୁମ୍ ଖୋଲିଛନ୍ତିି । ଜିଲ୍ଲା ଆପତକାଳୀନ ଅଧିକାରୀ ରଞ୍ଜନ କୁମାର ମାର୍ଥା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷର ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ବିପର୍ଯ୍ୟୟର ସୁପରିଚାଳନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କର ମିଳିତ ସହଯୋଗ କାମନା କରିଥିଲେ ।