ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

 ନିମାପଡ଼ା : ନିମାପଡା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା । ବଳଙ୍ଗା ମହାବିଦ୍ୟାଳୟ ଏବଂ ବଳଙ୍ଗା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ  ନୂତନ ଭାବେ ନିର୍ମିତ ୬ ଗୋଟି ଶ୍ରେଣୀଗୃହ ଏବଂ ଶୌଚାଳୟର ଉଦ୍ଘାଟନ ହୋଇଥିଲା । ଗତ ଆର୍ଥିକ ବର୍ଷରେ ବଳଙ୍ଗା ମହାବିଦ୍ୟାଳୟକୁ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ଯାହାକି ଏହି ଶିକ୍ଷା ଅନୁଷ୍ଠାନର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ ବୋଲି ଉପମୁଖ୍ୟ ମନ୍ତ୍ରୀ କହିଥିଲେ । ଏହି ଅବସରରେ ବଳଙ୍ଗା ଡିଗ୍ରୀ କଲେଜରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଆଇନ ୨୦୧୩ ସମ୍ବନ୍ଧରେ ଦକ୍ଷତା ବୃଦ୍ଧି କର୍ମଶାଳାରେ ମଧ୍ୟ ଯୋଗଦେଇଥିଲେ । ଏହାପରେ ଏକ ଶୋଭାଯାତ୍ରାରେ  ଶାଇଁସ ଶାସନ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଶାଇଁସ ଶାସନ ଗ୍ରାମପଞ୍ଚାୟତର ସୁବିଧା କେନ୍ଦ୍ର ଏବଂ ମହିଳା ଓ ଶିଶୁ ବିକାଶ ଯୋଜନାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା "ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଗସ୍ତରେ ସେ ନିମାପଡ଼ା ବ୍ଲକ ଅଧିନସ୍ଥ ତେରୁଣ୍ଡିଆ ଗ୍ରାମପଞ୍ଚାୟତର କୁରୁକୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ନିମାପଡ଼ାଠାରେ ରାଜ୍ୟ ସରକାରଙ୍କ "ଶୀତଳଭଣ୍ଡାରକୁ ଆର୍ଥିକ ସହାୟତା’ ଯୋଜନା ଅଧୀନରେ ଶ୍ରୀମତୀ ସୋନାଲି ବରାଳଙ୍କ ଦ୍ୱାରା ସ୍ଥାପନ ହେବାକୁ ଥିବା ୨୫୪୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ଶୀତଳ ଭଣ୍ଡାରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।