ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ

ଧର୍ମଶାଳା : ରାଜ୍ୟ ସାମ୍ବାଦିକ ସଂଘ ଏସୟୁଜେ ପକ୍ଷରୁ ଧର୍ମଶାଳା ପ୍ରେସ କ୍ଳବ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲା ଶାଖା ସଭାପତି ସୁବାଷ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ସମ୍ବାଦପତ୍ରର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକଙ୍କର ବିଭିନ୍ନ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଏକତାବଦ୍ଧ ହୋଇ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ଉପଦେଷ୍ଟା ବଟକୃଷ୍ଣ ପରିଡା, ଇନ୍ଦ୍ରମଣି ନାୟକ, ସମ୍ପାଦକ ଶିବାଶିଷ ମହାନ୍ତି ଯୋଗଦେଇ କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲା ସମ୍ପାଦକ ଅଖିଳ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲା କାର୍ଯ୍ୟକାରୀ କମିଟି ସଦସ୍ୟ ମାନସ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ସାମ୍ବାଦିକ ମାନେ ଯୋଗଦେଇଥିଲେ ।