ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି 

 ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ଓ ମଙ୍ଗଳପୁର ପଞ୍ଚାୟତରେ ମଧ୍ୟ ଭାଗ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ବିଶ୍ୱ ଶାନ୍ତି ମହାଯଜ୍ଞ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳପୁର ପଂଚାୟତର ପୂର୍ବତନ ସରପଞ୍ଚ ତଥା ଯଜ୍ଞ କମିଟିର ଉପସଭାପତି ବିଶ୍ୱେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ ଜୟରାମ ନାହାକ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଦଳାଇ, ଉପଦେଷ୍ଟା ତଥା ଗଙ୍ଗାପୁର ପଂଚାୟତର ପୂର୍ବତନ ସରପଞ୍ଚ ଶିରୀଶ ଚନ୍ଦ୍ର ମିଶ୍ର, ଗଙ୍ଗାପୁର ପଂଚାୟତର ସରପଞ୍ଚ ମନୋଜ କୁମାର ନାୟକ, ଶ୍ୟାମ ସୁନ୍ଦର ପାତ୍ର, ସୁଶାନ୍ତ ମୁନି, ଶଙ୍କର ମୁନି ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ଏପ୍ରିଲ ମାସ ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପଞ୍ଚ ମହାଯଜ୍ଞ ନିମନ୍ତେ ନାମମଣ୍ଡପ, ଯଜ୍ଞ ସାଲା, ଗୋ ଯଜ୍ଞ ସ୍ଥାନ ନିରୂପଣ, ଯାନବାହାନ ନିମନ୍ତେ ସ୍ଥାନ ନିର୍ମାଣ, ବିଭିନ୍ନ ଦୋକାନ ବଜାର ପାଇଁ ଉପଯୁକ୍ତ ଜାଗା ନିଦାନ, ଟ୍ରାଫିକ ବ୍ୟବସ୍ଥା, ଜ୍ଞାନ ଯଜ୍ଞ ଏବଂ ଅନ୍ନଯଜ୍ଞ ନିମନ୍ତେ ରାସ୍ତା, ଆଲୋକ ସଜ୍ଜା, ମିନା ବଜାର, ରାମ ଦୋଳି ଇତ୍ୟାଦି ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ଏକ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁ, ସନ୍ନ୍ୟାସୀ ଆମନ୍ତ୍ରଣ, ପୁରୀ ଗଜପତି ମହାରାଜଙ୍କୁ ଆମନ୍ତ୍ରଣ କରିବା ସକାଶେ ସ୍ଥିର କରାଯାଇଥିଲା ।