ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ
ଉମାଶଙ୍କର ପ୍ରସାଦ : ଗଣ ସଂଗ୍ରାମ ସହ ଜନସେବାକୁ ନିଜ ଜୀବନର ପରମବ୍ରତ ଭାବରେ ଗ୍ରହଣ କରିବା ସହ ନିଃସ୍ୱାର୍ଥ ଜନସେବାରେ ବ୍ରତୀ ହୋଇ ଜନମାନସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ ଆଜିବି ଯଶୋଦେହେ ଆୟୁଷ୍ମାନ । ପ୍ରାଣନାଥ ବାବୁଙ୍କ ଭଳି ଜଣେ ଉଚ୍ଚକୋଟୀର ଜନସେବୀ ଓ ବିପ୍ଳବୀ ଆଜିର ସମାଜରେ ମିଳିବା ଅତ୍ୟନ୍ତ କାଠିକର ବିଷୟ । ଯେଉଁଠାରେ ଲୋକ ଦୁଃଖ ଓ କଷଣରେ ଜର୍ଜରିତ ଯେଉଁଠି ଜନସାଧାରଣ ପ୍ରଳୟଙ୍କାରୀ ବନ୍ୟା ଦାଉରେ ବାସହୀନ ଓ ସର୍ବସ୍ୱାନ୍ତ ସେଠାରେ ପ୍ରାଣନାଥଙ୍କୁ ସେମାନେ ନିଶ୍ଚୟ ଝୁରିବେ । କାରଣ ସେ ହିଁ ଜନସାଧାରଣଙ୍କ ଆପଦ, ବିପଦ ବେଳେ ସେମାନଙ୍କ ପାଖରେ ପହଁଚି ସାନ୍ତ୍ୱନା ଦେବା ସହ, ଭିକ୍ଷା ସାହାଯ୍ୟ ସଂଗ୍ରହ କରି ସେମାନଙ୍କ ସେବାରେ ବ୍ରତୀ ହେଉଥିଲେ । ସେ ଅକୁଣ୍ଠିତ ଚିତ୍ତରେ ନିଜକୁ ମିଶାଇ ଦେଇଥିଲେ ଦରିଦ୍ର ଓ ଶୋଷିତ ଜନସାଧାରଣଙ୍କ ଭିତରେ । ତାଙ୍କର ବ୍ୟକ୍ତିତ୍ୱ ଥିଲା ଅସାଧାରଣ । ମାତ୍ର ବେଶଭୂଷା ଚାଲିଚଲଣ ଥିଲା ଅତି ସାଧାରଣ ମଣିଷପରି । ତାଙ୍କୁ ସ୍ମୃତିପଟରେ ଆଣିବା ବେଳେ ଆପେ ଆପେ ଆସିଯାଏ ତାଙ୍କର ସରଳ ଓ ନିରାଡ଼ମ୍ବର ସର୍ବଜନ ପରିଚିତ ଛବି ।
ଏହି ମହାନ କିମ୍ବଦନ୍ତୀ ପୁରୁଷ କଣାସ ଅଂଚଳର ଡିମିରି ଗ୍ରାମରେ ୧୯୦୫ ମସିହାରେ ପିତା ମନମୋହନ ପଟ୍ଟନାୟକ ଓ ମାତା ଚିତ୍ରାଦେବୀଙ୍କ କୋଳମଣ୍ଡନ କରିଥିଲେ । ସେ ତାଙ୍କ ପିତାମାତାଙ୍କ ପଂଚମ ତଥା କନିଷ୍ଠ ସନ୍ତାନ ଥିଲେ । ମାତ୍ର ଦୁଇ ବର୍ଷ ବୟସରେ ସେ ମାତୃହରା ଓ ୧୧ ବର୍ଷ ବୟସରେ ପିତୃହରା ହୋଇଥିଲେ । ଏହାସତ୍ତେ୍ୱ ମଧ୍ୟ ନିଜକୁ ଅସହାୟ ମନେନକରି ପିଲାଟି ଦିନରୁ ମା ମାଟିପାଇଁ ନିଜର ସଂଗ୍ରାମ ଜାରି ରଖିଥିଲେ । ଇଂରେଜ ଶାସନ କବଳରୁ ଭାରତକୁ ସ୍ୱାଧୀନ କରିବା ପାଇଁ ୧୯୩୦ ମସିହାରେ ଆଇନ୍ ଅମାନ୍ୟ ଆନ୍ଦୋଳନରେ ଖୋର୍ଦ୍ଧାକୁ କେନ୍ଦ୍ରସ୍ଥଳକରି ପ୍ରାଣନାଥ ଯେଭଳି ସାହସ, ଦମ୍ଭ ଓ ନିର୍ଭୟରେ ସଂଗ୍ରାମର ମଶାଲ ପ୍ରଜ୍ଜ୍ୱଳିତ କରିଥିଲେ ତାହା ଚିରସ୍ମରଣୀୟ । ୧୯୩୦ ମସିହାରେ ଦଶହରା ଦିନ ବାଲେଶ୍ୱର ସହରର ଅଫିମ ଓ ମଦଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତା’ପରେ ତାଙ୍କର କର୍ମକ୍ଷେତ୍ର ପାଲଟି ଯାଇଥିଲା ସତୀର୍ଥ ପାଇକରକ୍ତ ବିଜଡ଼ିତ ଖୋର୍ଦ୍ଧାର ବୀରମାଟି । ସେ ଥିଲେ ଜଣେ ଦୁର୍ଦ୍ଧଶ ଆଶାବାଦୀ । ତାହା ହୋଇନଥିଲେ ଖୋର୍ଦ୍ଧା ପଲଟଣ ପଡ଼ିଆରେ ଥିବା ଛୋଟ ସରସ୍ୱତୀ ମନ୍ଦିର ଭିତରେ ଲୁଚିରହି ଆଟିକାରେ ଭାତରାନ୍ଧି ପରାକ୍ରମୀ ଇଂରେଜ ସାମ୍ରାଜ୍ୟ ବିରୋଧରେ କିଭଳିକା ଠିଆ ହୋଇପାରିଥାନ୍ତେ? ଗାନ୍ଧିଜୀଙ୍କ ଆହ୍ୱାନରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନକୁ ଝାସ ଦେଇ ସେତେବେଳର ତରୁଣନେତା ନବକୃଷ୍ଣ ଚୌଧୁରୀ ଓ ଭଗବତୀ ପାଣିଗ୍ରାହୀ ପ୍ରାଣନାଥଙ୍କୁ ଡିମିରିରୁ ନେଇ ଚିଲିକା କୂଳକୁ ଲୁଣମାରିବାକୁ ଯାଇ ୧୯୩୨ରେ ଲବଣ ସତ୍ୟାଗ୍ରହୀ ଭାବେ ଗିରଫ ହୋଇ ପାଟଣା ଜେଲରେ ବନ୍ଦୀ ହୋଇଥିଲେ । ସେଠାରେ ତାଙ୍କର ଶିକ୍ଷକ ଥିବା ଆ·ର୍ଯ୍ୟ ନରେନ୍ଦ୍ର ଦେବ, ସଂପୂର୍ଣ୍ଣା ନନ୍ଦ ପ୍ରମୁଖଙ୍କ ସଂସ୍ପର୍ଶରେ ଆସି ସମାଜବାଦୀ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇ ସେ ମୁଖ୍ୟତଃ ୧୯୩୦, ୧୯୩୨, ୧୯୩୯, ୧୯୪୦ରେ ବ୍ୟକ୍ତିଗତ ସତ୍ୟାଗ୍ରହ ଓ ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇ ବ୍ରିଟିଶ ବନ୍ଦୀଶାଳାରେ କାରାଜୀବନ ଅତିବାହିତ କରିଥିଲେ । ପ୍ରାଣନାଥ ପଟ୍ଟନାୟକ ଓ ଖୋର୍ଦ୍ଧାର ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଗୋକୁଳ ମୋହନ ରାୟଚୂଡ଼ାମଣି ତା୧.୧୦.୧୯୪୫ରେ ଖଲାସ ହୋଇ ଖୋର୍ଦ୍ଧା ଆସିଥିଲେ । କଟକ ଷ୍ଟେସନ୍ରେ ତାଙ୍କୁ ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ରାମକୃଷ୍ଣ ପତି ପ୍ରମୁଖ ଭେଟି ପୁଷ୍ପଗୁଚ୍ଛ ଓ ଫୁଲମାଳ ଦେଇଥିଲେ । ଜେଲରୁ ଫେରି ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ସହାୟତାରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ବି.ଏ. ପାଶ୍ କରିଥିଲେ । ସ୍ୱାଧୀନତା ଆସିଲା ପରେ ମଧ୍ୟ ବିପ୍ଲବୀ ପ୍ରାଣନାଥ ବାବୁଙ୍କ ସଂଗ୍ରାମର ଅନ୍ତ ଘଟିନଥିଲା ବରଂ ତାଙ୍କର ସଂଗ୍ରାମ ଆହୁରୀ ଦ୍ୱିଗୁଣିତ ହେବାରେ ଲାଗିଲା । କାରଣ ଯେଉଁ ଶୋଷଣ, ଦାରିଦ୍ର୍ୟ, କ୍ଷୁଧା, ସାମାଜିକ ଅନ୍ୟାୟ ଓ ଅସମତା ମୁକ୍ତ ସୁଖୀ ସମାଜ ପ୍ରତିଷ୍ଠା ସ୍ୱପ୍ନରେ ବିଭୋର ହୋଇ ସେ ମୁକ୍ତି ବିପ୍ଳବରେ ଝାସ ଦେଇଥିଲେ । ଅସୀମ ତ୍ୟାଗ ଓ କଷ୍ଟ ସ୍ୱୀକାର କରି ତାଙ୍କର ଅସାଧାରଣ ସଂଗଠନ ଶକ୍ତି ବଳରେ ଓଡ଼ିଶାରେ ଛାତ୍ର ଯୁବକ, ଶ୍ରମିକ, ·ଷୀ, ମୂଲିଆ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ଜମିଦାରୀ ଉଚ୍ଛେଦ, କଂଗ୍ରେସ ସମାଜବାଦୀ ଆନ୍ଦୋଳନ, କମ୍ୟୁନିଷ୍ଟ ଆନ୍ଦୋଳନ ଗଢ଼ି ତୋଳିଥିଲେ । ଖୋର୍ଦ୍ଧାରେ ମହାବିଦ୍ୟାଳୟ ଓ ଜଟଣୀରେ ହାଇସ୍କୁଲ ପ୍ରତିଷ୍ଠା ତାଙ୍କର ସେହି ଅସାଧାରଣ ସଂଗଠନ ଶକ୍ତିର ପରି·ୟକ । ବେଜେଲଗେଟ୍ଙ୍କ ହତ୍ୟାପରେ ରଣପୁରର ପ୍ରଜାମାନେ ଯେଭଳି ଦମନର ଶିକାର ହୋଇଥିଲେ, ସଂଗ୍ରାମୀ ଓ ସଂଗଠକ ପ୍ରାଣନାଥ ବାବୁ ସେମାନଙ୍କୁ ଡିଫେନ୍ସ କମିଟି ଗଠନ କରି ସାହସ ଓ ଦମ୍ଭ ଦେଇଥିଲେ । ନିଜର ଗଣସଂଗଠନ ଶକ୍ତିବଳରେ ତରୁଣ ପ୍ରାଣନାଥ ୧୯୩୬-୩୭ ମସିହାରେ ତାଙ୍କର ପ୍ରିୟ କର୍ମଭୂମି ଖୋର୍ଦ୍ଧାରୁ କଂଗ୍ରେସ ଟିକେଟ୍ରେ ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ବିଧାନ ସଭାକୁ ନିର୍ବାଚିତ ହେବା ସହ ୧୯୩୪ ମସିହା ଜୁନ୍ ୫ ତାରିଖରେ କଂଗ୍ରେସ-ସମାଜବାଦୀ ପାର୍ଟି ଗଠିତ ହେବା ପରେ କଟକ ଠାରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ସେ ସଭାପତିତ୍ୱ କରିଥିଲେ । ସେ ସମୟରେ ଓଡ଼ିଶାରେ ଯେଉଁ ବିପ୍ଳବାତ୍ମକ ·ଷୀ ମୁଲିଆ ସଂଗଠନ ଗଢ଼ି ଉଠିଥିଲା, ଯାହା ତାଙ୍କର ଅଦମ୍ୟ ନିଷ୍ଠା, ତ୍ୟାଗ ଓ ପ୍ରେରଣା ରୁ ହିଁ ସମ୍ଭବ ହୋଇଥିଲା ଏବଂ ସେଥିପାଇଁ ତାଙ୍କୁ ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିଥିଲା । ତାଙ୍କର ଅମାୟିକ ସହୃଦୟତା, ହସ ହସ ମୁହଁ ଆଡ଼ମ୍ବର ଶୂନ୍ୟ ସାଧାରଣ ସରଳ ଜୀବନଯାପନ ଗଭୀର ଦେଶାତ୍ମବୋଧ, ସାଧୁତା ଓ ଚରିତ୍ରବାନ ତାଙ୍କୁ ସମସ୍ତଙ୍କର ଆପଣାର କରିପାରିଥିଲା । ଆମ ସଂସ୍କୃତିର ଉଚ୍ଚନୈତିକ ମୂଲ୍ୟବୋଧକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରି ନୂତନ ପିଢ଼ିକୁ ତାହା ଅନୁସରଣ କରିବା ପାଇଁ ଶିକ୍ଷା ଦେଇଥିଲା । ଇତିହାସ ଗବେଷକ ଫକୀର ହରିଚନ୍ଦନ ତାଙ୍କ “ସ୍ମୃତି ସାନ୍ନିଧ୍ୟ” ପୁସ୍ତକରେ ଲେଖିଛନ୍ତି ପ୍ରାଣନାଥ ବାବୁଙ୍କ ରାଜନୈତିକ ଜୀବନର ପ୍ରତିଟି ମୁହୂର୍ତ୍ତ, ପ୍ରତିଟି ପଦକ୍ଷେପର ଅଲିଭା ସଙ୍କେତ ଓ ଅଲିଭା ସ୍ମୃତିକୁ ନେଇ ଓଡ଼ିଶା ଜନଜୀବନରେ ଏକ ଆଦରଣୀୟ ଆଭିମୂଖ୍ୟର ଆଦର୍ଶ ପ୍ରତିଫଳିତ । ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ ପ୍ରରୋଚନାରେ ସେ କବି କୃଷ୍ଣମୋହନ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା ମଂଜରୀ ଦେବୀଙ୍କୁ ବିବାହ କରିଥିଲେ । ସେଥିଲେ କର୍ମଯୋଗୀ, ସେ ଥିଲେ ସଂଗ୍ରାମ ଧର୍ମୀ । ସମୟ ଯେତିକି ଅତିକ୍ରାନ୍ତ ହେଉଛି, ତାଙ୍କର ଜୀବନ ବ୍ୟାପୀ ଅହରହ ସାଲିସହୀନ ସଂଗ୍ରାମ ମୁଖର ତ୍ୟାଗପୁତ ଜୀବନାଦର୍ଶ ଓ ନିସ୍ୱାର୍ଥ ଜନସେବା ଜନ ସମାଜରେ ସେତିକି ଉଜ୍ଜ୍ୱଳକୁ ଉଜ୍ଜ୍ୱଳତର ହେଉଛି । ଏହା ସଂଗ୍ରାମୀ ବୀରଙ୍କର ୧୯୭୦ ମସିହା ଅକ୍ଟୋବର ୫ ଆଜିର ଦିନରେ ମହାପ୍ରୟାଣ ଘଟିଥିଲା ।
ଖୋର୍ଦ୍ଧା, ମୋ: ୮୮୯୫୫୪୭୪୯୦