ଶିକ୍ଷକଙ୍କ ଗାଁ ତୁକୁଲା
ନୂଆପଡ଼ାରୁ ପରମେଶ୍ୱର ବାରିକ : ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ସୁପ୍ରାଚୀନ ଓ ମହନୀୟ ଅଟେ । ପ୍ରାଚୀନ କାଳରୁ ସମାଜରେ ଶିକ୍ଷକଙ୍କ ସ୍ଥାନ ଉଚ୍ଚରେ ରହି ଆସୁଥିବା ବେଳେ, ସମାଜର ସବୁ ବର୍ଗର ଲୋକେ ତାଙ୍କୁ ସମ୍ମାନ କରୁଥିଲେ । ବର୍ତ୍ତମାନ କିନ୍ତୁ ଏହ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି ଓ ଅଧିକାଂଶ ମେଧାବି ଛାତ୍ର ଶିକ୍ଷକ ବୃତ୍ତି ପ୍ରତି ଅନାଗ୍ରହ ପ୍ରକାଶ କରୁଛନ୍ତି । ଏହି ପରିପେକ୍ଷିରେ ଏକ ନିଆରା ଗ୍ରାମ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ । ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଶିକ୍ଷକ ଚାକିରି ପସନ୍ଦ କରିଥାନ୍ତି । ତୁକଲା ନୂଆପଡ଼ା ଜିଲ୍ଲାର ବୃହତମ ଗ୍ରାମ ଭାବରେ ମାନ୍ୟତା ପ୍ରାପ୍ତ ଓ ୧୦ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଗ୍ରାମକୁ କେହି କେହି ଓଡ଼ିଶାର ବୃହତ୍ତମ ଗ୍ରାମ ଭାବରେ ଗ୍ରହଣ କରିଥାନ୍ତି । ଏହି ଗ୍ରାମର ଅଧୁକାଂଶ ପରିବାର ସ୍ୱଚ୍ଛଳ ବର୍ଗର ହୋଇଥିବା ବେଳେ, ଶତକଡ଼ା ୯୦% ଭାଗ ସାକ୍ଷର ଅଟନ୍ତି । ତୁକଲା ଏକ ପ୍ରାଚୀନ ଓ ଐତିହାସିକ ଗ୍ରାମ ହୋଇଥିବା ବେଳେ, ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଗ୍ରାମର ପ୍ରମୁଖ ବିଶେଷତ୍ୱ ହେଉଛି ଶିକ୍ଷକ ଚାକିରି ପ୍ରତି ଲୋକଙ୍କ ପ୍ରଥମ ପସନ୍ଦ । ଖଡ଼ିଆଳ ବ୍ଲକ୍ର ପ୍ରତ୍ୟେକ ଗାଁରରେ ତୁକଲାର ଶିକ୍ଷକମାନେ ଅବସ୍ତାପିତ ଥିବାର ଦେଖାଯାଏ । ବର୍ତ୍ତମାନ ଆନୁମାନିକ ୧୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିବା ବେଳେ, ୨୬ ଜଣ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ଏ ପର୍ଯ୍ୟନ୍ତ ୧୩୯ ଜଣ ଅବସର ନେଇଥିବା ବେଳେ ତାଙ୍କ ମଧ୍ୟରୁ ୨୭ ଜଣଙ୍କ ପରଲୋକ ଘଟିସାରିଛି । ନରସିଂହ ଦାଶଙ୍କୁ ତୁକଲାର ପ୍ରଥମ ଶିକ୍ଷକ ଭାବରେ ମାନ୍ୟତା ଦିଆଯାଏ ଓ ତାଙ୍କ ପରେ ନିଲାମ୍ବର ଦାଶ, ଟଙ୍କଧର ସିଂ ବାବୁ, ଛତ୍ରସାଏ ମାଝୀ, ଘାସିରାମ ପୁରୋହିତ ଆଦି ଶିକ୍ଷକ ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ହୋଇଥିବା ସ୍ଥାନରେ ଏକ ଝାଟିମାଟି ଘର ରୂପରେ ତୁକଲାର ପ୍ରଥମ ସ୍କୁଲ ୧୯୦୫ ମସିହାରେ ସ୍ଥାପନ ହୋଇଥିଲା ଓ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ
ଦିଆଯାଉଥିଲା । ବୋଡାସମ୍ବର ପଦ୍ମପୁରର କାଶିନାଥ ମିଶ୍ର ଶିକ୍ଷକ ରୂପରେ ଯୋଗଦାନ କରିବା ପରେ ଏହି ସ୍କୁଲର ଅନେକ ପରିବର୍ତ୍ତନ ଘଟିଥିଲା ବୋଲି ଗ୍ରାମର ଲୋକେ ପ୍ରକାଶ କରନ୍ତି । ଏହି ବିଦ୍ୟାଳୟରେ ତୁକଲା ସମେତ ନିକଟସ୍ଥ ବଙ୍କାପୁର, ଖାସବାହାଲ, ଶ୍ରୀରାମ, ସାନମୁଲା, ବଲଧା, ଚନୁଟ ମାଲ ଆଦି ଗ୍ରାମର ଛାତ୍ରମାନେ ପାଠ ପଢୁଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଖଡ଼ିଆଳ କିମ୍ବା ଟିଟିଲାଗଡକୁ ଯାଉଥିଲେ । ଶ୍ରୀଯୁକ୍ତ ମିଶ୍ର ଗ୍ରାମର ବ୍ୟକ୍ତିଙ୍କ ସହ ମିଶି ଶିକ୍ଷା ଦିଗରେ ବିକାଶ କରିଥିଲେ । ଖଡ଼ିଆଳ ପରେ ତୁକଲା ହିଁ ସାକ୍ଷରତା ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ଥିଲା ବୋଲି ପୂର୍ବତନ ସରପଞ୍ଚ ପିତାମ୍ବର ଦାଶ ମତବ୍ୟକ୍ତ କରନ୍ତି । ଗ୍ରାମର ପଦ୍ମାଲୟା ପଣ୍ଡା ପ୍ରଥମ ଶିକ୍ଷୟତ୍ରୀ ବୋଲି ଜଣାପଡେ । ୧୯୫୭ ରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ୧୯୬୯ରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହୋଇଥିବା ବେଳେ, ଚନ୍ଦ୍ରମଣୀ ନାଏକ ଓ ଯୋଗେଶ୍ୱର ମେହେର ପ୍ରଧାନ ଶିକ୍ଷକ ରୂପେ ଦାୟୀତ୍ୱ ଗ୍ରହଣ କରିଥିଲେ । ପ୍ରାଥମିକ ସମୟରେ ଆଦିବାସୀ ଓ ଦଳିତ ପରିବାରର ପୁଅ ଝିଅମାନେ ଓ ସାଧାରଣ ବର୍ଗର ଝିଅମାନେ ପାଠପଢିବାକୁ ଆସୁ ନଥିବା ବେଳେ ଶିକ୍ଷକଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ପାଠ ପଢିବାକୁ ଆସିଲେ । ପରବର୍ତ୍ତି କାଳରେ ଉପେନ୍ଦ୍ରନାଥ ଦାଶ ତାଲିମପ୍ରାପ୍ତ ପ୍ରଧାନଶିକ୍ଷକ ଭାବରେ ତୁକଲା ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ବେଳେ, କାଳିଆ ଦୁବେ, ସୁରେଶ ତିୱାରୀ ଅନ୍ୟ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ ତୁଲାଇଥିଲେ । ସେହିପରି ଗ୍ରାମର ଚନ୍ଦୁଲାଲ ଦାଶ ପ୍ରଥମ ବି.ଏ ଓ ବିଇଡି କରିଥିବା ବେଳେ, ତୁକଲା ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ମନୋନିତ ହୋଇଥିଲେ । ୨ବର୍ଷ ପରେ ଇସ୍ତଫା ଦେଇ ଖଡ଼ିଆଳ ହାଇସ୍କୁଲରେ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ ୧୯୬୦ରେ ଏହି ଗ୍ରାମର ଅର୍ଜୁନ ଦାଶ କଳାହାଣ୍ଡି ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହେଲାପରେ ଅନେକ ତୁକଲାବାସୀଙ୍କୁ ଶିକ୍ଷକ ଭାବେ ନିଯୁକ୍ତି କରାଇଥିଲେ । ବର୍ତ୍ତମାନ ତୁକଲାରେ ୫ ଟି ଉଚ୍ଚ ପ୍ରାଥମିକ ସ୍କୁଲ, ୨ଟି ମଧ୍ୟ ଇଂରାଜୀ ବିଦ୍ୟାଳୟ, ଗୋଟିଏ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ, ଦୁଇଟି କଲେଜ, ଗୋଟିଏ ଶିଶୁ ମନ୍ଦିର ମନ୍ଦି ଓ ଗୋଟିଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଥିବାବେଳେ ସହସ୍ରାଧିକ ଛାତ୍ର ଛାତ୍ରୀ ଅଧ୍ୟୟନରତ ଅଛନ୍ତି । ସମସ୍ତଙ୍କ ଇଚ୍ଛା ବଡ଼ ହେଲାପରେ କେମିତି ଜଣେ ଶିକ୍ଷକ ହେବେ । ଗ୍ରାମର ୯୦ ଭାଗ ଚାକିରିଆ ଶିକ୍ଷକ ଶିକ୍ଷୟିତ୍ରୀ ଅଟନ୍ତି । ପରିତାପର ବିଷୟ ତିନି ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଏହି ଗ୍ରାମରୁ ନିଯୁକ୍ତି ହୋଇ ଲକ୍ଷାଧିକ ଛାତ୍ର ଛାତ୍ରୀଙ୍କୁ ମଣିଷକରି ଗଢି ତୋଳିସାରି ଥୁବା ବେଳେ, ଏପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କୁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଇ ନାହିଁ । ଏନେଇ କ୍ଷୋଭ ପ୍ରକାଶ ସହ ସରକାର ଏଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ।