ଧିମା ଗତିରେ ରାସ୍ତା କାର୍ଯ୍ୟ, ବଢୁଛି ଦୁର୍ଘଟଣା 


ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ
ଭଣ୍ଡାରିପୋଖରୀ ବ୍ଲକ ୧୬ଜାତୀୟ ରାଜପଥ ଠାରୁ ବୈତରଣୀ ବଳିଘାଇ ସେତୁ ଯାଏଁ ପୂର୍ତ୍ତ ବିଭାଗ ପକ୍ଷରୁ ଚାରି ଲାଇନ ବିଶିଷ୍ଟ ରାସ୍ତା ନବୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଉକ୍ତ ରାସ୍ତାଟିର ଦୈର୍ଘ୍ୟ ପ୍ରାୟ ୮କିମି ହୋଇଥିବା ବେଳେ ପୂର୍ବରୁ ବିଭାଗ ଏହାକୁ ଦୁଇଲାଇନ ବିଶିଷ୍ଟ ନିର୍ମାଣ କରିଥିଲା । ଉକ୍ତ ପଥଟି ଭଦ୍ରକରୁ ଯାଜପୁର ବିରଜା କ୍ଷେତ୍ରକୁ ସଂଯୋଗ କରିଥିବାରୁ ଦିନକୁ ଦିନ ଏହା ଉପରେ ଯାନବାହାନ ଚଳାଚଳ ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ସରକାର ରାସ୍ତା ପ୍ରଶସ୍ତିକରଣ ପାଇଁ ଅନୁଦାନ ପ୍ରଦାନ କରିଥିଲେ । ତଦନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୪୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ୨୦୨୨ମସିହାରେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଥିଲା । ସମସ୍ତ ନିୟମକାନୁନ ଭିତରେ ପଶ୍ଚିମବଙ୍ଗର ଏକ ଠିକାସଂସ୍ଥାକୁ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ନିର୍ଦ୍ଧାରିତ ତାରିଖରୁ କିଛି ମାସ ଅତିବାହିତ ହେବାପରେ ଠିକାସଂସ୍ଥା କାମ ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧା ପ୍ରାୟ ଶତକଡା ୩୦ଭାଗ କାମ ହୋଇଛି । ସମ୍ପୂର୍ଣ୍ଣ ରାସ୍ତାଟିର କିଛି ଅଂଶ କଂକ୍ରିଟ ଓ କିଛି ଅଂଶ ପିଚୁ ନିର୍ମାଣ ପାଇଁ ଆକଳନ ପତ୍ରରେ ନିଦେ୍ର୍ଦଶ ରହିଥିବା ବେଳେ ଏଥିପାଇଁ ମାଟିକାମ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଛତାବର ଠାରୁ ପର୍ବତୀ ଘାଟ ଯାଏଁ କିଛି ମାଟି ପଡ଼ିଥିବା ବେଳେ ମଞ୍ଜୁରୀ ଠାରୁ କୋରକରା ଯାଏଁ ଦୁଇ ପାର୍ଶ୍ୱ ପ୍ରଶସ୍ତିକରଣ ପାଇଁ ପଡ଼ିଥିବା ମାଟି ଉପରେ କିଛି ରୋଲିଙ୍ଗ କାମ ହୋଇଛି । ୩ନଂ ହାଇଲେବୁଲ କେନାଲ ଉପରେ ନିର୍ମାଣଧୀନ ସେତୁର ଛାତ ପଡ଼ିଥିଲେ ସୁଦ୍ଧା ଅନ୍ୟାନ୍ୟ ସ୍ଥାନରେ ନିର୍ମିତ ହେଉଥିବା ଛୋଟବଡ ପୋଲ ଗୁଡିକର କାମ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଥିବା ରାସ୍ତାର ଗୋଟିଏ ପାର୍ଶ୍ୱରେ ପୁରୁଣା ପୋଲକୁ ଭଙ୍ଗା ଯାଇ ନୂତନ ପୋଲ ନିର୍ମାଣ ହୋଇଛି । ଭୂତିଆ ସମେତ, ମଞ୍ଜୁରୀ, ବାଙ୍କମୁହାଁ, କୁମ୍ଭାରୀଆ ଛକ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଅଧା ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱ ରାସ୍ତା ଅଂଶର ଗୋଟିଏ ପାଖରେ ଯାନବାହନ ଚଳାଚଳ କରୁଛି । ଫଳରେ ଅର୍ଦ୍ଧ ନିର୍ମିତ ପୋଲ ନିର୍ମାଣ ସ୍ଥାନରେ ଛୋଟବଡ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି । ଏଥିଯୋଗୁ କେତେବେଳେ ସାଇକେଲ, ମୋଟର ସାଇକେଲ ତ ପୁଣି କେତେବେଳେ କାର ଚାଳକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଦୀର୍ଘ ଦିନ ହେବ କାମ ପଡିରହିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନିର୍ମାଣ କାର୍ଯ୍ୟ ଅର୍ଦ୍ଧ ନିର୍ମିତ ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକମାନେ ଜଣାଇଛନ୍ତି । ତେଣୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ମାନେ ଏହା ଉପରେ ଦୃଷ୍ଟି ଦେଇ ଅର୍ଦ୍ଧ ନିର୍ମିତ ପୋଲ କାର୍ଯ୍ୟ ଗୁଡିକୁ ଯଥାଶୀଘ୍ର ଶେଷ କରିବାକୁ ଦାବି ହୋଇଛି ।