ବୋମା ଗଦାରେ ପୃଥିବୀ
ଗତ ଦୁଇ, ତିନି ବର୍ଷ ଭିତରେ ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଘମାଘୋଟ୍ ଯୁଦ୍ଧ ଲାଗିଥିବାର ଖବର ପ୍ରକାଶ ପାଉଛି । ଏହିସବୁ ଯୁଦ୍ଧରେ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବର୍ତ୍ତେ ଅତି ଉଚ୍ଚ ଶକ୍ତିସମ୍ପନ୍ନ ବିସ୍ଫୋରକ ବ୍ୟବହାର କରାଯାଇ ମିଶାଇଲ୍ର ଆକ୍ରମଣ କରାଯାଉଛି । ଏହିସବୁ ଯୁଦ୍ଧଗୁଡ଼ିକ ଦିନକୁ ଦିନ ଆଣବିକ ଯୁଦ୍ଧରେ ପରିଣତ ହେବା ପାଇଁ ଯାଉଛି । ବିଭିନ୍ନ ପ୍ରକାରର ଆଣବିକ ଅସ୍ତ୍ର ଉନ୍ନତ ରାଷ୍ଟ୍ରମାନେ ପ୍ରସ୍ତୁତ କରୁଛନ୍ତି । ଭାରତ ଓ ପାକିସ୍ତାନ ଭଳି ରାଷ୍ଟ୍ର ନିକଟରେ ୨ ଶହରୁ କମ୍ ପରମାଣୁ ଅସ୍ତ୍ର ଥିବା ବେଳେ ଋଷ୍ ଓ ଆମେରିକା ନିକଟରେ ୫ ହଜାରରୁ ଅଧିକ ଅସ୍ତ୍ର ଏବଂ ଚୀନ୍ ବର୍ଷକୁ ଶହେ ଲେଖା ଆଣବିକ ଅସ୍ତ୍ର ପ୍ରସ୍ତୁତ କରୁଛି । ମୋଟ୍ ଉପରେ ଦେଖିବାକୁ ଗଲେ ଏହି ଅସ୍ତ୍ରଗୁଡ଼ିକ ଉଡ଼ାଜାହାଜ ସହିତ ବିକ୍ରି କରିବା ପାଇଁ ବିଶ୍ୱରେ ବଜାର ସୃଷ୍ଟିରେ ଏକ ପ୍ରତିଯୋଗିତା ଚାଲିଛି । ଉଡ଼ାଜାହାଜଗୁଡ଼ିକର ଦାମ୍ ହଜାର ହଜାର କୋଟି ଟଙ୍କା ହୋଇଥିବା ବେଳେ ଆଣବିକ ଅସ୍ତ୍ରଗୁଡ଼ିକର ଦାମ୍ କେତେ ହେବ ତାର କୌଣସି ସୀମା ନାହିଁ । ଠିକ୍ ସେହିପରି ବର୍ତ୍ତମାନ ପ୍ରତ୍ୟେକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ବୁଡ଼ାଜାହାଜରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିବାର କୌଶଳ ହାସଲରେ ଲାଗି ପଡ଼ିଛନ୍ତି । ସେଥିପାଇଁ ବିଶ୍ୱର ବିଭିନ୍ନ ମହାସାଗରଗୁଡ଼ିକରେ ଯୁଦ୍ଧପୋତ ମୂତୟନ କରାଯିବା ସହିତ ବୁଡ଼ାଜାହାଜ ମଧ୍ୟ ମୂତୟନ କରାଯାଉଛି । ଏକ ଆକଳନ ଅନୁଯାୟୀ ବର୍ତ୍ତମାନ ବିଶ୍ୱରେ ୧୨ ହଜାରରୁ ଅଧିକ ଆଣବିକ ଅସ୍ତ୍ର ପ୍ରସ୍ତୁତ ହୋଇ ୯ଟି ରାଷ୍ଟ୍ର ନିକଟରେ ରହିଛି । ଏହି ଆଣବିକ ଅସ୍ତ୍ରଗୁଡ଼ିକ ଥରେ ପ୍ରୟୋଗ ହୋଇଗଲେ ତୃତୀୟ ବିଶ୍ୱଯୁଦ୍ଧ ମାତ୍ର ଦିନେ ଅବା ଦୁଇ ଦିନ ଭିତରେ ଆରମ୍ଭ ହୋଇ ଶେଷ ହୋଇଯିବ । ତୃତୀୟ ବିଶ୍ୱଯୁଦ୍ଧ ଯଦି ଆରମ୍ଭ ହୁଏ ଏବଂ ଆଣବିକ ଅସ୍ତ୍ରର ପ୍ରୟୋଗ ହୁଏ ତେବେ ୧୨ ହଜାରରୁ ଉଦ୍ଧ୍ୱର୍ ଆଣବିକ ଅସ୍ତ୍ର ବିସ୍ଫୋରଣରେ ପୃଥିବୀର ଭୂଭାଗର ପ୍ରତ୍ୟେକଟି ବର୍ଗ କିଲୋମିଟର ଧ୍ୱଂସ ହୋଇଯିବା ସହିତ ଅନୂନ୍ୟ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ପୃଥିବୀ ନାମକ ଗ୍ରହରୁ ଜୀବଜଗତ ଲୋପ ପାଇଯିବ ।
ଆଧୁନିକ ସଭ୍ୟତା ଏବଂ ବିଜ୍ଞାନ ବର୍ତ୍ତମାନ ଆତ୍ମଘାତୀ ପ୍ରତିଯୋଗିତାରେ ଲାଗିପଡ଼ିଛି । ଅନ୍ୟକୁ ଧ୍ୱଂସ କରିବାର ନିଶାରେ ନିଜକୁ ନିଜେ ଧ୍ୱଂସ କରିବା ପାଇଁ କିଛି ରାଷ୍ଟ୍ର ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି । ବର୍ତ୍ତମାନ କୌଣସି ଏକ ଦେଶକୁ ଆସୁଥିବା ମିଶାଇଲ୍ କି ପ୍ରକାରର ମିଶାଇଲ୍ ଜାଣିବା ପାଇଁ ମାତ୍ର ୩୦ରୁ ୩୫ ସେକେଣ୍ଡ୍ ସମୟ ଆବଶ୍ୟକ ପଡୁଛି । ତେବେ ବିପୁଳ ପରିମାଣର ଆଣବିକ ଅସ୍ତ୍ର ବର୍ତ୍ତମାନ ପୃଥିବୀ ପାଇଁ ଯେଭଳି ଏକ ଭୟଙ୍କର ବିପଦର କାରଣ ହୋଇପଡ଼ିଛି ଠିକ୍ ସେହିପରି ବିଶ୍ୱ ପାଣିପାଗ ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା ଦେଖା ଦେଇଛି । ତେଣୁ ବର୍ତ୍ତମାନ ମିଳିତ ଜାତିସଂଘ ପକ୍ଷରୁ ନିରସ୍ତ୍ରୀକରଣ ଅଭିଯାନ ଆରମ୍ଭ କରାଯିବାର ଆବଶ୍ୟକତା ଦେଖା ଦେଲାଣି । କେବଳ ସେତିକି ନୁହେଁ, ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅବସାନ ପାଇଁ ମଧ୍ୟ ତୁରନ୍ତ ମିଳିତ ପଦକ୍ଷେପ ଆବଶ୍ୟକ । ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିବା ବିବାଦ ଏବଂ ଯୁଦ୍ଧଗୁଡ଼ିକର ଆପୋଷ ସମାଧାନ ଜରୁରୀ ହୋଇ ପଡ଼ିଲାଣି । କାରଣ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ବିବାଦଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ଆଣବିକ ବିବାଦରେ ପରିଣତ ହୋଇପାରେ ।
ବର୍ତ୍ତମାନର ପୃଷ୍ଠଭୂମିରେ ୨ ବର୍ଷରୁ ଉଦ୍ଧ୍ୱର୍ ସମୟ ହେଲା ଋଷ୍-ୟୁକ୍ରେନ୍ ବିବାଦରେ ଋଷ୍ ଆଣବିକ ଅସ୍ତ୍ରର ବ୍ୟବହାର କରିବା ନେଇ ଧମକ୍ ଦେଇ ସାରିଲାଣି । ତେଣୁ ଯେକୌଣସି ମୁହୂର୍ତ୍ତରେ ଆଣବିକ ଯୁଦ୍ଧ ଲାଗିଯିବାର ସମ୍ଭାବନାକୁ ଅସ୍ୱୀକାର କରି ହେଉନାହିଁ । ଆଉ ଏଭଳି ପରିସ୍ଥିତି ଉପୁଜିଲେ ଯୁଦ୍ଧ ସହିତ ସମ୍ପର୍କ ନଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟ ଆଣବିକ ବିକିରଣର ଭୟାବହ ପରିଣାମ ଭୋଗିବେ । ଏ ଦୃଷ୍ଟିରୁ ନିରସ୍ତ୍ରୀକରଣ ହିଁ ଏକମାତ୍ର ବାଟ ।