ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକଙ୍କ ଟିପ୍ପଣୀକୁ ‘ଓସଲା’ର ନିନ୍ଦା
ଭୁବନେଶ୍ୱର: ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ବ୍ଲକ ଗ୍ରାଣ୍ଟ ଅଧ୍ୟାପକମାନେ ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ ସମୟରେ ଏସ୍ଏସ୍ବିି ଅଧ୍ୟାପକଙ୍କୁ ଟାର୍ଗେଟ କରି ଦେଇଥିବା ବିଭିନ୍ନ ଟିପ୍ପଣୀକୁ ରାଜ୍ୟ ଏସ୍ଏସ୍ବି ଅଧ୍ୟାପକ ସଂଘ (ଓସଲା) ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।
ପ୍ରକାଶ ଯେ, ଗତ ୨୬ ତାରିଖ ଦିନ ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକମାନେ ଭୁବନେଶ୍ୱର ଲୋୟର ପିଏମ୍ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବଂ ଏସ୍ଏସ୍ବିି ଅଧ୍ୟାପକଙ୍କୁ ଟାର୍ଗେଟ କରି ବିଭିନ୍ନ ଟିପ୍ପଣୀ ଦେଇଥିଲେ । କହିଥିଲେ ଯେ, ଏସ୍ଏସ୍ବି ଦ୍ୱାରା ଚୟନ ହୋଇଥିବା ଅଧ୍ୟାପକମାନେ ବୟସ ଏବଂ ଅଭିଜ୍ଞତାରେ ଆମ ଠାରୁ ବହୁ କମ୍ ଥିଲେ ମଧ୍ୟ ସେମାନଙ୍କୁ ଆମ ଉପରେ ରଖାଯାଇଛି । ଚାକିରି ସର୍ତ୍ତାବଳୀ ଦୃଷ୍ଟିରୁ ଏସ୍ଏସ୍ବିି ଓ ବ୍ଲକ ଗ୍ରାଣ୍ଟ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ସେମାନେ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାସହ ଏସ୍ଏସ୍ବିି ଅଧ୍ୟାପକଙ୍କୁ ଟାର୍ଗେଟ କରି ‘ବାପ ବଡ ନା ପୁଅ ବଡ ସରକାର ତୁମେ ଜବାବ ଦିଅ’, ‘ଛାତ୍ର ଯଦି ଏବେ ବରିଷ୍ଠ ହୋଇବେ ଗୁରୁ କ’ଣ ତାଙ୍କୁ ସଲାମ ଠୁଙ୍କିବେ’ ଆଦି ପ୍ଳାକାର୍ଡ ପ୍ରଦର୍ଶନ କରିଥିଲେ । ଯାହାକୁ ଓସଲା ସଭାପତି ସରୋଜକାନ୍ତ ନାୟକ ବିରୋଧ କରି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ବ୍ଲକ ଗ୍ରାଣ୍ଟ ଅଧ୍ୟାପକଙ୍କ ବିଭିନ୍ନ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଅଧୀନସ୍ଥ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍ଏସ୍ବିି) ଦ୍ୱାରା ପରିଚାଳିତ ଏକ ସ୍ୱଚ୍ଛ, ମୁକ୍ତ ଏବଂ କଠିନ ଯୋଗ୍ୟତା ଆଧାରିତ ପ୍ରଣାଳୀରେ ଚୟନ ହୋଇ ସେମାନେ ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ ଡିଗ୍ରୀ କଲେଜରେ ଅଧ୍ୟାପକ ଏବଂ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛନ୍ତି । ଏସ୍ଏସ୍ୱି ଦ୍ୱାରା ଚୟନ ହୋଇଥିବା ଅଧ୍ୟାପକଙ୍କ ମଧ୍ୟରୁ ଅନେକ ପିଏଚଡି, ଏମଫିଲ ଡିଗ୍ରୀ ଧାରୀ ହୋଇଥିବାବେଳେ ନେଟ୍ ଏବଂ ଜେଆରଏଫ ଭଳି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେଣୁ ଏସ୍ଏସ୍ବି ଅଧ୍ୟାପକଙ୍କୁ ଅନଭିଜ୍ଞ କହିବା ଓ ନିଜକୁ ତୁଳନା କରିବା ଆମ ପ୍ରତି ଥିବା ସେମାନଙ୍କ ଇର୍ଷା ଭାବକୁ ପ୍ରଦଶିର୍ତ କରୁଛି । ଛାତ୍ରର ସଫଳତାରେ ଖୁସି ହେବା ବଦଳରେ ସେମାନେ ତାଙ୍କ ବିରୋଧରେ ଟିପ୍ପଣୀ ଦେଉଛନ୍ତି ।