ବ୍ୟାଙ୍କରୁ ବନ୍ଧକ ସୁନା ପ୍ୟାକେଟ ଚୋରି
ବାଣପୁର: ବ୍ୟାଙ୍କର ଜଣେ କର୍ମଚାରୀ ବ୍ୟାଙ୍କରେ ବନ୍ଧକ ଥିବା ୭ ପ୍ୟାକେଟ ସୁନା ଅଳଙ୍କାର ଚୋରି କରି ନେଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି । ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଥିବା ଇଉ ନିୟନ ବ୍ୟାଙ୍କରେ ଏ ଭଳି ଘଟଣା ହୋଇଥିବା ଜଣାଯାଇଛି । ବ୍ୟାଙ୍କର ସବ୍ଷ୍ଟାପ ବାସୁଦେବ ନାୟକ ବ୍ୟାଙ୍କରେ ବନ୍ଧକ ଥିବା ୭ଟି ସୁନା ଗହଣା ପ୍ୟାକେଟ ଚୋରି କରିଛନ୍ତି । ବାସୁଦେବଙ୍କ ଘର ବାଣପୁର ଏନ୍ଏସି ଅନର୍ଗତ ବଡ଼ ହନ୍ତୁଆଡ଼ ଗ୍ରାମରେ । ସେ ୨୦୨୦ମସିହା ଜୁନ ୩୦ତାରିଖରେ ବ୍ୟାଙ୍କରେ କର୍ମଚାରୀ ଭାବରେ ଯୋଗ ଦେଇଥିଲେ । ମାତ୍ର ୨୦୨୪ମସିହା ଜୁନ ୧୦ତାରିଖରେ ତାଙ୍କୁ ନିଲମ୍ବନ କରାଯାଇଛି । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚୋରି କରିଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ମ୍ୟାନଜର ବି ଶଶୀ କୁମାର ବାଣପୁର ଥାନାରେ କରିଥିବା ଅଭିଯୋଗରୁ ଜଣାଯାଏ ଯେ ବାସୁଦେବଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ୟାଙ୍କରେ ଏକ ଫୋକସ୍ ଅଡିଟ ହୋଇଥିଲା । ସେତେବେଳେ ୭ଟି ସୁନାଗହଣା ପ୍ୟାକେଟ ଚୋରି ହୋଇଥିବା ଜଣା ପଡିବାରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରୁ ଅନ୍ୟ ଅଡିଟ ପାର୍ଟି ଆସି ତନଖି କରିବାରେ ୭ଟି ପ୍ୟାକେଟ ଚୋରି ହୋଇଥବା ସ୍ପଷ୍ଟ ହୋଇଥିଲା । ଫଳରେ ଚୋରି କୌଣସି କର୍ମଚାରୀ କରିଥିବା ସନେ୍ଦହେ ହେବାରୁ ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରିବାରେ ବାସୁଦେବଙ୍କ ଉପରେ ବେଶୀ ସନେ୍ଦହ ହୋଇଥିଲା । କାରଣ ସେ ପାଉଥିବା ଦରମା ତୁଳନାରେ ଅଧିକ ଅୟସରେ ଚଳୁଥିଲେ । ତାଙ୍କୁ ପଚରିବାରେ ସେ ଚୋରି କରିଥିବା ମାନି ଲିଖିତ ଭାବରେ ସ୍ୱକାରୋକ୍ତି ଦେଇଥିବା ମ୍ୟାନେଜର ଅଭିଯୋଗ କରିଛନ୍ତି । ଫଳରେ ତାଙ୍କୁ ଗତ ଜୁନ ୧୦ତାରିଖରୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଅଭିଯୋଗ ପାଇ ବାଣପୁର ପୋଲିସ କେଶ ନଂ ୪୨/୨୫ରେ ଦଫା ୩୮୦ ଓ ୪୦୯ରେ ଏକ ମୋକଦ୍ଦମ ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।