ଭଗବତୀ ଭାରତୀ ଦେବୀ ନମସ୍ତେ
ଡା.ଉମେଶ ଚନ୍ଦ୍ର ପାତ୍ର : ସରସ୍ୱତୀ ସକଳ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ଗାୟତ୍ରୀ ରହସ୍ୟୋପନିଷଦରେ ବର୍ଣ୍ଣିତ ଅଛି - ସରସ୍ୱତ୍ୟାଃ ସର୍ବେ ବେଦା ଅଭବନ୍ - ସରସ୍ୱତୀଙ୍କ ପାଖରୁ ସମସ୍ତ ବେଦ ସୃଷ୍ଟି । ମା'ସରସ୍ୱତୀଙ୍କର ବହୁ ନାମ ରହିଛି - ବାକ୍, ବାକ୍ୟେଶ୍ୱରୀ, ଭାରତୀ, ବାଣୀ ଇତ୍ୟାଦି । ମା'ଶୁକ୍ଳବର୍ଣ୍ଣା, ଶ୍ୱେତବସନା, କମଳବାସିନୀ, ହଂସବିହାରିଣୀ, ହସ୍ତରେ ବୀଣା, ଗଳାରେ ମୁକ୍ତାର ମାଳ ଓ କୋଳରେ ପୁସ୍ତକ ଶୋଭିତ । ସରସ୍ୱତୀ ଶବ୍ଦର ଅର୍ଥ - ସରସ୍ + ବତୀ, ସରସ ମାନେ ଜଳ, ତେଣୁ ମା'ସରସ୍ୱତୀ ହେଲେ ଜଳବତୀ । ସରସ୍ ଶବ୍ଦର ଧାତୁ ହେଉଛି ସୃ ଧାତୁ - ଅର୍ଥ ଗତି ବା ଚାଲିବା । ସରସ୍ୱତୀ ଅର୍ଥ ଗତିବତୀ, ଗତିର ପ୍ରତୀକ । ସୃ ଧାତୁର ଅନ୍ୟ ଏକ ଅର୍ଥ ହେଉଛି ବିକଶିତ ହେବା । ତେଣୁ ସରସ୍ୱତୀ ଶବ୍ଦରେ ବିକାଶର ବ୍ୟାକୁଳତା ରହିଛି । ମା'ସରସ୍ୱତୀଙ୍କର ଅନ୍ୟ ଏକ ନାମ ବାଗ୍ଦେବୀ । ବାକ୍ମାନେ ଶବ୍ଦ । ମା'ସରସ୍ୱତୀ ଶବ୍ଦର ଦେବୀ । ସରସ୍ୱତୀ ପ୍ରତିମା ମଧ୍ୟରେ ସୃଜନ ପ୍ରଗତିକୁ ଲକ୍ଷ୍ୟ କରାଯାଏ । ସୃଷ୍ଟିର ଆଦିରେ ଅଛି ଗତି । ଅନନ୍ତ ବକ୍ଷରେ ଆକର୍ଷଣ-ବିକର୍ଷଣ ମଧ୍ୟ ଦେଇ ସୃଷ୍ଟିର ପ୍ରଥମ ସଞ୍ଚାର - ଗତି ଓ ସ୍ପନ୍ଦନ ବା ଶବ୍ଦ । ଅନନ୍ତ ବ୍ୟୋମରେ ଏହି ଶବ୍ଦ ନାନା ରୂପେ ପ୍ରତିଭାତ । ତେଣୁ ଶ୍ରୀମଦ୍ ଭାଗବତରେ ଅଛି - ଆଦିରେ ପରମବ୍ରହ୍ମ ଶବ୍ଦରୂପୀ । ତାଙ୍କୁ ଉପଲବ୍ଧି କରିବାକୁ ହେଲେ ଶବ୍ଦର ଉପାସନା କରିବାକୁ ହେବ । ମା'ସରସ୍ୱତୀ ପୂଜା ସେହି ଶବ୍ଦ ଉପାସନାର ବ୍ୟାପାର ।
ବିଦ୍ୟାଦାୟିନୀ, ଜଡ଼ତାହାରିଣୀ କାବ୍ୟକଳାର ଆଦ୍ୟାଶକ୍ତି - ସକଳ ଜ୍ଞାନ ଓ ଚେତନା ଶକ୍ତିର ଉଦ୍ରେକକାରିଣୀ, ଦେବୀ ବୀଣାପାଣି । ମା'ସରସ୍ୱତୀଙ୍କ ଉଦେ୍ଦଶ୍ୟରେ ଜ୍ଞାନପିପାସୁ ଆର୍ଯ୍ୟ ମାନବ ଭକ୍ତି ବିନମ୍ର କଣ୍ଠରେ ଗାଇଥାଏ - "ଯା କେନ୍ଦୁ ତୁଷାରହରା ଧବଳା ଯା ଶ୍ୱେତ ପଦ୍ମାସନା, ଯା ବୀଣା ବରଦଣ୍ଡମଣ୍ଡିତକରା, ଯା ଶୁକ୍ଳ ବସ୍ତ୍ରନ୍ୱିତା, ଯା ବ୍ରହ୍ମାଚୁ୍ୟତଶଙ୍କର ପ୍ରଭୃତିଭିଃ ଦେବୈ ସଦା ବନ୍ଦିତା, ସ ମାଂ ପାତୁ ସରସ୍ୱତୀ ଭଗବତୀ ନିଶେଷ ଜାଡ଼୍ୟାପହା ।' ଶ୍ରୀ ଶ୍ରୀ ଚଣ୍ଡୀରେ ମହାଶକ୍ତିକୁ ପ୍ରାର୍ଥନା କରି କୁହାଯାଇଛି - "ବିଦ୍ୟାଃ ସମସ୍ତା ସ୍ତବ ଦେବୀ, ଭେଦଃ ସ୍ତ୍ରିୟଃ ସମସ୍ତାଃ ସକଳା ଜଗତ୍ସୁ । ତ୍ୱ ନୌ କାୟା ପୁରିତମ୍ - ସ୍ୱୟୈତତ୍, କାତେ ସ୍ତୁତିଃ ସ୍ତବ୍ୟ ପରା ପରୋକ୍ତିଃ ।' ଅର୍ଥାତ୍ ହେ ଦେବୀ - ତୁମେ ହିଁ ସକଳ ବିଦ୍ୟାର ଧାତ୍ରୀ ଓ ଦାତ୍ରୀ, ତୁମେ ହିଁ ସକଳ ଶକ୍ତିର ଆଧାର ଓ ସର୍ବତ୍ର ପରିବ୍ୟାପ୍ତ । ତୁମ ବ୍ୟତୀତ ଏ ବିଶ୍ୱରେ ଆଉ କାହାର ସତ୍ତା ଉପଲବଧି କରି ହୁଏନା । ଆମ ଶାସ୍ତ୍ରରେ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ଏଇ ତ୍ରିଶକ୍ତିଙ୍କ ସମନି ତ ଶକ୍ତିକୁ ମହାମାୟା ବା ଆଦ୍ୟାଶକ୍ତି ରୂପରେ ବର୍ଣ୍ଣନା କରାଯାଇଛି । ଶକ୍ତି ତତ୍ତ୍ୱ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ ସରସ୍ୱତୀ ମହାଶକ୍ତିଙ୍କର ଅଂଶ ବିଶେଷ ବା ଏକ ପ୍ରକାଶ ସ୍ୱରୂପ । ମହାଲକ୍ଷ୍ମୀ ଧନଧାନ୍ୟର ମହାସରସ୍ୱତୀ ସକଳ ବିଦ୍ୟା ସକଳ ଜ୍ଞାନ ଓ ବିବେକର ଏବଂ ମହାକାଳୀ ସକଳ ଶକ୍ତିର ଉତ୍ସ ତଥା ପ୍ରକାଶକ ରୂପେ ପରିକଳ୍ପିତ । ବେଦ ବାଣୀ - ବେଦରେ ଦେବୀମାନଙ୍କର ବନ୍ଦନାରେ ସରସ୍ୱତୀଙ୍କର ବର୍ଣ୍ଣନା ପ୍ରଥମ ଓ ପ୍ରଧାନ । ଋଗ୍ ବେଦରେ କଥିତ ଅଛି - ସରସ୍ୱତୀ ମହାଶକ୍ତିଙ୍କର ଉତ୍ସ । ଏହି ସରସ୍ୱତୀ ନିରାକାର, ନିର୍ଗୁଣ, ନିର୍ମାୟା, ଆଦ୍ୟାଶକ୍ତି । ତାଙ୍କୁ ମାତା ଓ ନଦୀ ରୂପରେ ସ୍ତୁତି କରାଯାଇ କୁହାଯାଏ -ଅମ୍ବି ତମେ ନଦୀ ତମେ, ଦେବୀ ତମେ ସରସ୍ୱତୀ, ଅପ୍ରଶସ୍ତ ଇବ ସ୍ୱାମୀ, ପ୍ରଶସ୍ତି ମମ ନିସ୍କୃତି । (ଋଗ୍ ବେଦ - ମ - ୨- ସ ୪୧-ର-୧୬) ଋଗ୍ ବେଦର ଏହି ବାଣୀରେ ଆର୍ଯ୍ୟ ଋଷିଗଣ ସ୍ତୁତି କରୁଅଛନ୍ତି ଯେ ହେ ଶ୍ରେଷ୍ଠା ମାତା, ହେ ଶ୍ରେଷ୍ଠା ନଦୀ, ହେ ଶ୍ରେଷ୍ଠା ଦେବୀ - ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ । ଏଣୁ ଏହି ବେଦବାଣୀ ଅନୁଯାୟୀ ଦିବ୍ୟ ଜ୍ଞାନ ପ୍ରଦାୟିନୀ ଦେବୀ ଜଗତର ଶ୍ରେଷ୍ଠ ମାତା ରୂପେ ପୂଜିତ ଓ ଶ୍ରେଷ୍ଠ ନଦୀ ରୂପେ ବର୍ଣ୍ଣିତ । ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା - (ସ୍ୱତଃ+ବତୀ) ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢ଼ାଇ ଘେନି ଯିବାର ସେ ହେଲେ ଅଧିଷ୍ଠାତ୍ରୀ ଦେବୀ ।
ମା'ସରସ୍ୱତୀଙ୍କର ଚରଣଯୁଗଳ ପଦ୍ମ ଉପରେ ନ୍ୟସ୍ତ ଓ ପଦ୍ମପାଣିରେ ଫୁଟିଛି । ମନୁସଂହିତାରେ ଅଛି - ଅବ୍ୟକ୍ତ ଈଶ୍ୱର ଯେତେବେଳେ ଜୀବଜଗତ ସୃଷ୍ଟି କରିବାକୁ ଇଛା କଲେ ସେ ପ୍ରଥମେ ପାଣି ବା ଜଳ ସୃଷ୍ଟି କଲେ, ପୁଣି ପଞ୍ଚମହାଭୂତ ଅର୍ଥାତ୍ କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମ ଭିତରେ ପ୍ରଥମ ଘନୀଭୂତ ରୂପ ହେଉଛି ଜଳ । ଅନ୍ୟ ସବୁ ହେଉଛି ବାୟବୀୟ ବା ବାଷ୍ପୀୟ ଅବସ୍ଥା । ଘନୀଭୂତ ପ୍ରଥମ ଭୂତ ହିଁ ହେଲା ହିଁ ପାଣି । ପାଣି ଉପରେ ପଦ୍ମ । ପଦ୍ମ ଶବ୍ଦର ଉତ୍ପତ୍ତି ପଦ୍ ଧାତୁ ଠାରୁ - ଅର୍ଥ ଗତି, ସ୍ଥିତି ଓ ପ୍ରାପ୍ତି । ଏହାକୁ ଆଶ୍ରୟ କରି ହିଁ ସୃଷ୍ଟି ବିକଶିତ ବା ବିବର୍ଦ୍ଧିତ । ଏହି ଗତି ଓ ସ୍ଥିତି ସୃଷ୍ଟିର ସବୁକିଛି ମଧ୍ୟରେ ଅନ୍ତଃସୂତ୍ୟ ଓ ଏହା ଆଗେଇ ଚାଲିଛି ପ୍ରାପ୍ତିର ଦିଗରେ । ମା'ସରସ୍ୱତୀ ହଂସାସୀନା, ହଂସ ଅର୍ଥ - ଅହଂ ସଃ ଅର୍ଥାତ୍ ମୁଁ ହିଁ ସେହି ଯିଏ ସର୍ବଜ୍ଞାନର ଅଧିଶ୍ୱରୀ । ପ୍ରତିଟି ମନୁଷ୍ୟ ତାଙ୍କୁ ବହନ କରି ଚାଲନ୍ତୁ, ଏହା ହଂସରୂଢ଼ା ଦେବୀଙ୍କର ତାତ୍ପର୍ଯ୍ୟ । ବିଦ୍ୟାଚର୍ଚ୍ଚା, ମନକୁ ଉଦାର ଓ ପରାର୍ଥପର କରିବା, ସହନ-ଧାରଣ ଓ ବହନ ଶକ୍ତିର ବୃଦ୍ଧି ଏବଂ ହୀନତା-ସଂକୀର୍ଣ୍ଣତା-ସ୍ୱାର୍ଥପରତା ଓ ଅଶ୍ଳୀଳତାର ବିଲୋପ - ଏହା ହିଁ ହେଉଛି ଦେବୀଙ୍କର ହଂସବିହାରିଣୀର ତାତ୍ପର୍ଯ୍ୟ । ହଂସ ହେଲା କଳନାଦୀ ବା କଳକଣ୍ଠ । କଲ୍ ଧାତୁ ଅର୍ଥ ଗତି ଓ ଶବ୍ଦ । ହଂସରୂପୀ ପ୍ରତିଟି ବ୍ୟକ୍ତିସତ୍ତା ହିଁ ଶବ୍ଦବ୍ରହ୍ମରୁ ଉଦ୍ଭୂତ, ଆଉ ସୃଷ୍ଟିର ପ୍ରତିଟି ଅଣୁପରମାଣୁ ମଧ୍ୟରେ ରହିଛି ଏହି ଗତି ବା ଚଳମାନତା । ଗତି ଓ ଶବ୍ଦ ହଂସ ମଧ୍ୟରେ ନିତ୍ୟ ଅବସ୍ଥିତ । ମା'ଙ୍କର କୋଳରେ ପୂଜାପାଏ ବହି । ମା' ହେଉଛନ୍ତି ବିଦ୍ୟାଦେବୀ, ତାଙ୍କ ପାଖରେ ଅଛି ସୃଜନ ପ୍ରଗତି ଓ ଏହି ସୃଷ୍ଟି ହିଁ ଆଦିବ୍ରହ୍ମ । ବିଦ୍ୟା ଆସିଛି ବିଦ୍ ଧାତୁରୁ - ଅର୍ଥ ଜ୍ଞାନ, ବିଚାର, ଅସ୍ତିତ୍ୱ ଓ ପ୍ରାପ୍ତି । ପ୍ରକୃତ ବିଦ୍ୟାଲାଭ ହେଲେ ଜ୍ଞାନ, ଅସ୍ତିତ୍ୱ, ବିଚାରଶକ୍ତି ଓ ପ୍ରାପ୍ତି ଲାଭ ହୁଏ । ଆଉ ସେ ପ୍ରାପ୍ତି ହେଉଛି - ଧାରଣ-ପାଳନୀ-ସମ୍ବେଗସିଦ୍ଧ ବ୍ୟକ୍ତିତ୍ୱ ବା ଈଶ୍ୱର ପ୍ରାପ୍ତି ।
ମା'ସରସ୍ୱତୀଙ୍କର ହସ୍ତରେ ଅଛି ବୀଣା - ବୀଣାରୁ ଜାତ ଶବ୍ଦ ବା ଧ୍ୱନି - ଐଂ ହେଉଛି ମା'ସରସ୍ୱତୀଙ୍କର ବୀଜମନ୍ତ୍ର । ସାଧନାର ବିଭିନ୍ନ ସ୍ତରରେ ଏହି ଧ୍ୱନି ଶୁଣାଯାଏ, ମା'ସରସ୍ୱତୀଙ୍କର ବୀଜମନ୍ତ୍ର ଯେଉଁଠାରେ ଶୁଣାଯାଏ ତାହା ହେଉଛି ସତ୍ୟାଲୋକ - ଯେଉଁଠାରେ ଅସ୍ତିତ୍ୱର ବାର୍ତ୍ତା ପ୍ରଚାରିତ ହୁଏ । ଶବ୍ଦ ସାଧନାରେ ଅଧିଗତ ହେଲେ ସୃଷ୍ଟିଧାରାର ମୂଳ ରହସ୍ୟ ଭକ୍ତକୁ ପ୍ରାପ୍ତ ହୁଏ । ମା'ସରସ୍ୱତୀଙ୍କର ଆଉ ଏକ ନାମ ଭଦ୍ରକାଳୀ - ଅର୍ଥାତ୍ ସେ କଲ୍ୟାଣଗତିସମ୍ପନ୍ନା । ମା'ସରସ୍ୱତୀଙ୍କର ଆଠଟି ଶକ୍ତି ଯଥା - ଲକ୍ଷ୍ମୀ, ମେଧା, ଧରା, ତୁଷ୍ଟି, ଗୌରୀ, ପୁଷ୍ଟି, ପ୍ରଭା ଓ ଧୃତି । ମା'ସରସ୍ୱତୀ ଶୁକ୍ଳବର୍ଣ୍ଣା, ଶୁଭ୍ରବସ୍ତ୍ରାବୃତା । ଏହି ଶୁଭ୍ର ବା ଧଳାରଙ୍ଗ ପବିତ୍ରତାର ପ୍ରତୀକ । ପୁଣି ସତ୍ତ୍ୱଗୁଣର ରଙ୍ଗ ମଧ୍ୟ ଧଳା । ସତ୍ତ୍ୱଗୁଣମାନେ ଅସ୍ତିତ୍ୱ ଯେଉଁଠାରେ ବଜାୟ ରହେ ତାହାର ଚର୍ଚ୍ଚା । ସତ୍ତ୍ୱଗୁଣର ଚରିତ୍ର ହେଉଛି ହାଲୁକା । ତାହା ସହଜରେ ଉପରକୁ ଉଠିପାରେ । ଯାହାର ନୀଚ ଦିଗରେ ଓଜନ ଭାରି ନୁହେଁ ଅର୍ଥାତ୍ ପ୍ରବୃତ୍ତିର ପାଷାଣଭାର ଠାରୁ ଯିଏ ମୁକ୍ତ ସେ ହିଁ ପ୍ରକୃତରେ ମୁକ୍ତ । ପୁଣି ସବୁବର୍ଣ୍ଣ ଏକତ୍ର ମିଳିଲେ ଧଳାବର୍ଣ୍ଣ ହୁଏ । ମା'ସରସ୍ୱତୀଙ୍କର ଏହି ଶୁଭ୍ରବର୍ଣ୍ଣ ମଧ୍ୟରେ ଏହି ମିଳନ ବା ସମାହାରର ଇଙ୍ଗିତ ପ୍ରତିଭାତ ହୁଏ । ଏହିସବୁକୁ ଲକ୍ଷ୍ୟ କଲେ ଜଣାଯାଏ ମା'ସରସ୍ୱତୀଙ୍କର ଉପାସନା ମାନେ ପରମବ୍ରହ୍ମର ଉପାସନା, ସୃଷ୍ଟି ତତ୍ତ୍ୱର ଉପାସନା । ଏହି ତାତ୍ପର୍ଯ୍ୟ ବୁଝି ଯେଉଁମାନେ ପୂଜା କରନ୍ତି ସେମାନଙ୍କର ପୂଜା ସାର୍ଥକ ହୁଏ । ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାରେ - "ବିକାଶ-ବ୍ୟାକୁଳ ଗତି ହିଁ ଯାହାଙ୍କର ସଂସ୍ଥିତି - ସେ ହିଁ ମା' ସରସ୍ୱତୀ, ଆଉ ବାକ୍ ବା ଶବ୍ଦ ହିଁ ଯାହାଙ୍କର ସତ୍ତା - ସେ ହିଁ ବାଗ୍ଦେବୀ; ତେଣୁ ଯିଏ ବାଗ୍ ଦେବୀ, ସେ ହିଁ ମା' ସରସ୍ୱତୀ' ।
ମୋ : ୯୪୩୭୦୫୧୯୫୭