ଭଙ୍ଗାହେବ ୭ ଶହ ଏକର ଘେରି
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗରର ସମୁଦ୍ରକୂଳ ଅଞ୍ଚଳରେ ହୋଇଥିବା ବେଆଇନ ଚୁଙ୍ଗୁଡି ଘେରିଗୁଡିକ ପରିବେଶକୁ ପ୍ରଦୂଷଣ କରିବା ସହ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକୁ ଅବମାନନା କରୁଥିବାରୁ ଭଙ୍ଗାଯିବ ବୋଲି ଜଣାପଡିଛି । ଆଜି ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ସ୍ଥାୟୀନ ତହସିଲଦାର ଅମୀୟ କେତନ ସ୍ୱାଇଁ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ୭୦୦ରୁ ଉଦ୍ଧ୍ୱର୍ ଏକର ଜମି ଉପରେ ଚୁଙ୍ଗୁଡି ମାଫିଆ ମାନେ ବେଆଇନ ଭାବେ ଚୁଙ୍ଗୁଡି ଘେରି କରି କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କିବା ସହ ବେଆଇନ କାର୍ଯ୍ୟରେ ଲିପ୍ତ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଉଛି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବାପରେ ଉପ ଜିଲ୍ଲପାଳ ଶ୍ରୀ ନାୟକ ରଙ୍ଗଣୀ, ତାଳଚୁଆ, ଡାଙ୍ଗମାଳ, ଜଗତ ଯୋରୀ ପ୍ରଭୃତି ଅଞ୍ଚଳ ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ବହୁ ବର୍ଷ ପୂର୍ବେ ବିଶ୍ୱ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ସହାୟତାରେ କରାଯାଇଥିବା ଚୁଙ୍ଗୁଡି ଘେରି ପ୍ରକଳ୍ପ ବନ୍ଦ ହୋଇଯିବା ପରେ ଏହି ଘେରି ଅଞ୍ଚଳକୁ ମାଫିଆମାନେ ପୁନର୍ବାର ଖୋଳି ବେଆଇନ ଭାବେ ବିନା ଅନୁମତିରେ ଘେରି କରି ପ୍ରଚୁର ମୁନାଫା ଅର୍ଜନ କରୁଛନ୍ତି । ଏହି ଘେରି ହେବା ଫଳରେ ପରିବେଶ ପ୍ରଦୂଷଣ ହେବା ସହ ଜଳବାୟୁର ପରିବର୍ତ୍ତନ ଘଟି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି । ଏହାକୁ ତୁରନ୍ତ ଉଚ୍ଛେଦ କରାଯିବ ବୋଲି ଉପ ଜିଲ୍ଲପାଳ ଶ୍ରୀ ନାୟକ ଘଟଣା ସ୍ଥଳ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି ।