ଭାଙ୍ଗିରୁଜି ଗଲାଣି ମେଡିକାଲ କ୍ୱାର୍ଟର
କନ୍ଧମାଳ /ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଫିରିଙ୍ଗିଆ ଡାକ୍ତରଖାନା ଦେଖିବାକୁ ଚାକଚକ୍ୟ ହୋଇଥିବାବେଳେ ଡାକ୍ତରଖାନରେ ପାଣି ଟୋପାଏ ମିଳିପାରୁନାହିଁ କି ଠିକ୍ ଭାବରେ ଚାରିଆଡେ ଭୋଲ୍ଟେଜ ଅଭାବରୁ ନାହିଁ ନଥିବା ଅସୁବିଧା ହେଉଛି । ଡାକ୍ତର ରହିବା ଓ କର୍ମଚାରୀ ରହିବା ଘର ତା’ଠାରୁ ଅଧିକ ବଳି ପଡିଛି । କାହିଁ କେଉଁ କାଳରୁ ଫିରିଙ୍ଗିଆ ମେଡିକାଲରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା କୋଠା ବର୍ତ୍ତମାନ ଭାଙ୍ଗି ରୁଜି ଯାଇଥିବାବେଳେ ଛାତରୁ ବର୍ଷା ପାଣି ଗଳୁଛି । ଯାହାଦ୍ୱାରା ବର୍ଷାରେ ଘର ଭିତରେ ପାଣି ଜମି ମେଡିକାଲ କର୍ମଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନର କୋଠା ହୋଇଥିବାରୁ ବର୍ତ୍ତମାନ ଅଧିକାଂଶ କବାଟ ଝରକା ଭଙ୍ଗା ଅବସ୍ଥାରେ ରହିଛି । ଯାହାଦ୍ୱାରା କବାଟ ଝରକାର ଟିଣ କିମ୍ବା ବ୍ୟାନର ଲଗାଇ ବହୁ ଅସୁବିଧାରେ ରହିବାକୁ ପଡୁଛି । ଫିରିଙ୍ଗିଆ ଡାକ୍ତରଖାନାର ଏକ କଲୋନୀ କରି ୧୪ଟି ଘର ନିର୍ମାଣ କରାଯାଇ ସେଥିରେ ଡାକ୍ତର ଓ କର୍ମଚାରୀ ବହୁ ଅସୁବିଧାରେ ରହୁଛନ୍ତି । କେବଳ ଏତିକି ନୁହେଁ ଫିରିଙ୍ଗିଆ ଡାକ୍ତରଖାନା ପରିସରରେ ଥିବା ଷ୍ଟାଫ୍ନର୍ସ କ୍ୱାଟର ମଧ୍ୟ ସମାନ ଅବସ୍ଥା ସବୁଆଡେ ପାଣି ଗଳୁଥିବାରୁ ଆଜବେଷ୍ଟ ଉପରେ ଭାଙ୍ଗି ପାଣି ଗଳୁଥିବାରୁ ନର୍ସମାନେ ମଧ୍ୟ ଜରି ପାଲ ଟାଣି ବଡ଼ କଷ୍ଟରେ ରହୁଛନ୍ତି । ବାରମ୍ବାର ଘର ମରାମତି ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବାରୁ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଡାକ୍ତର ଓ କର୍ମଚାରୀ ଚଳୁଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଡାକ୍ତର ଓ କର୍ମଚାରୀ ରହିବା ଘର ଗୁଡିକ ମରାମତି ନ କଲେ ଆଗାମୀ ଦିନରେ ଫିରିଙ୍ଗିଆ ଡାକ୍ତରଖାନାରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ରହି ନିଜ ଦାୟିତ୍ୱ ତୁଲାଇବା ଦୂରର କଥା ଡାକ୍ତରଖାନରେ ରୋଗୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଞ୍ଚଳର କିଛି ସମାଜସେବୀ କହିଛନ୍ତି । ତେବେ ଫିରିଙ୍ଗିଆ ମୁଖ୍ୟ ଡାକ୍ତରଖାନାର ସମସ୍ୟାକୁ ଗୁରୁତ୍ୱ ଦେଇ ଘର ମରାମତି ସହ ଡାକ୍ତରଖାନାର ସମସ୍ୟା ଉପରେ ସମାଧାନ ପାଇଁ ବ୍ୟବସ୍ଥା ନ କଲେ ଅଞ୍ଚଳବାସୀ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । କିଛି ଦିନ ପୂର୍ବରୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୋଧ ପ୍ରଧାନଙ୍କ ସହ ଆଲୋଚନା କରିଥିବାବେଳେ ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଥିବା କ୍ୱାଟର ଅତି ଦୟନୀୟ ଅବସ୍ଥାରେ ଥିବା କଥା ସ୍ୱୀକାର କରିବା ସହ ଏହାର ମରାମତି ଆବଶ୍ୟକ ଥିବା କହିଛନ୍ତି । ତେବେ ଏହାକୁ ଗୁରୁତ୍ୱ ଦେଇ ସେ ମରାମତି ପାଇଁ ଲିଖିତ ଭାବରେ ଉପରିସ୍ଥ ଅଧିକାରୀ ଓ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିବା କଥା କହିଛନ୍ତି ।