ଅବ୍ୟବସ୍ଥାରେ ନୀଳଗିରି ଉପଖଣ୍ଡ ହସ୍ପିଟାଲ
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲ ଭାଗ୍ୟ ଏବେ ଆଶା ଦିଦିଙ୍କ ହାତରେ । ରୋଗୀଙ୍କ କାମ ଆଟେଣ୍ଟାଣ୍ଟ ବଦଳରେ କରୁଛନ୍ତି ଆଶା ଦିଦି । କେତେବେଳେ ବି କିଛି ଭୁଲ ରୋଗୀଙ୍କ ଜୀବନ ନେଇପାରେ । ସେପଟେ ଶତାଧିକ ରୋଗୀଙ୍କ ସେବା ପାଇଁ ଜଣେ ନର୍ସ ନିୟୋଜିତ ହୋଇଥିବା ଦେଖାଯାଇଥିବାବେଳେ ନୀଳଗିରିବାସୀ ଖାଲି ପ୍ରତାରଣାର ଶିକାର ପାଲଟିଛି । ପ୍ରକାଶ ଯେ, ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତ, ଔପଦା ବ୍ଲକର ୫ଟି ପଞ୍ଚାୟତ, ରେମୁଣା ଓ ବାହାନାଗା ବ୍ଲକର ୨ ଲେଖାଏଁ ପଞ୍ଚାୟତ ସମେତ ନୀଳଗିରି ଏନ୍ଏସିର ରୋଗୀମାନେ ନୀଳଗିରି ଉପଖଣ୍ଡ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି । ହେଲେ ରୋଗୀମାନଙ୍କ ଶଯ୍ୟା ଠାରୁ ଦ୍ୱଗୁଣିତ ରୋଗୀ ତଳେ ପଡି ମଧ୍ୟ ଚିକିତ୍ସିତ ହେଉଥିବା ଦେଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ବିଭିନ୍ନ ଡାକ୍ତର ଓ ନର୍ସ ପଦବୀ ଖାଲି ପଡିବା । ଏପରିକି ଆଟାଣ୍ଟାଣ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ଖାଲିପଡିଛି । ହେଲପ୍ଡେସ୍କର କିଛି କର୍ମଚାରୀ ପଦବୀ ଉଚ୍ଛେଦ କରାଯାଇ ତାଙ୍କୁ ଟିକେଟ କାଉଣ୍ଟରରେ ନିୟୋଜିତ ହୋଇଛନ୍ତି । ଆଉ କିଛି ରୋଗୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କିଛି ଡାକ୍ତରଙ୍କ ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ଡେ ଡୁ୍ୟଟି ଓ ନାଇଟ ଡୁ୍ୟଟି ସମୟରେ ଅପରାହ୍ନ ଠାରୁ ଆରମ୍ଭ କରି ମଧ୍ୟରାତ୍ରୀ ଓ ସକାଳ ପର୍ଯ୍ୟନ୍ତ ରୋଗୀଙ୍କୁ ଭଗବାନ ଭରସା ବୋଲି ଜଣାପଡିଛି । ଶତାଧିକ ରୋଗୀଙ୍କୁ ପୁରୁଷ ଓ ମହିଳା ବିଭାଗ ପାଇଁ ଜଣେ ମାତ୍ର ନର୍ସ ନିୟୋଜିତ ହୋଇଛନ୍ତି । ଏକାସାଙ୍ଗରେ ଅନେକ ଗୁରୁତର ରୋଗୀ ଆସିଗଲେ କେଉଁ ରୋଗୀଙ୍କୁ ଚିକିତ୍ସା କାର୍ଯ୍ୟ ପ୍ରଥମେ ଯୋଗାଇ ଦିଆଯିବ, ଏ ନେଇ ତୁମ୍ବିତୋଫାନ ଉଠିଥାଏ । ଖାଲି ସେତିକି ନୁହେଁ ଶନିବାର ରାତି୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । କାର୍ଯ୍ୟରତ ଆସିଣ୍ଡାଣ୍ଟ ଆସିନଥିବା ବେଳେ ନର୍ସ ଜଣକ ଖାଲି ଦୌଡ଼ି ବୁଲି ସେବା କାର୍ଯ୍ୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କ ସହିତ ଜଣେ ଆଶା ଦିଦିଙ୍କୁ ସହଯୋଗ ପାଇଁ ଦିଆଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନଭିଜ୍ଞ ଆଶା ଜଣକ କ’ଣ କରିବେ ଠିଆ ହୋଇ ଖାଲି ଦେଖିବା ଛଡା କିଛି ନଥିଲା । ପୂର୍ବରୁ ଅନେକ ସଂଗଠନ ଓ ବରିଷ୍ଠମାନେ ହସ୍ପିଟାଲ ଅବ୍ୟବସ୍ଥା ସୁଧାରିବା ପାଇଁ ଆନେ୍ଦାଳନ କରି ଆସୁଥିବାବେଳେ ସେହିମାନେ ଏବେ ଡାକ୍ତର ଓ ଏସଡ଼ିଏମଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଘଟଣା ନେଇ ଅଞ୍ଚଳବାସୀ ସବୁ ବୁଝି ସାରିଲେଣି । ଡାକ୍ତର ଓ ନର୍ସ ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ଡବଲ ଇଞ୍ଜନ କୁହାଯାଉଥିବା ସାଂସଦ ଓ ବିଧାୟକ ହସ୍ପିଟାଲର ଅବ୍ୟବସ୍ଥାର ସୁଧାର କରିନପାରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଏ ନେଇ ବିଧାୟକ ସନ୍ତୋଷ ଖଟୁଆ ଅବ୍ୟବସ୍ଥାର ସୁଧାର ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।