ଭୂକମ୍ପ ପରେ ଜାପାନରେ ସୁନାମୀ ସତର୍କତା
ଟୋକିଓ: ସୋମବାର ଜାପାନର କୁ୍ୟଶୁରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିଆକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ରହିଥିବା ଜଣାଯାଇଛି । ଦେଶର ପାଣିପାଗ ବିଭାଗ ପକ୍ଷରୁ ଏହି ଭୂମିକମ୍ପକୁ ସ୍ପଷ୍ଟ କରାଯାଇଛି । ଏହାପରେ ଜାପାନୀ କର୍ତ୍ତୃପକ୍ଷ ଅନେକ ଅଞ୍ଚଳପାଇଁ ସୁନାମୀ ସତର୍କ ସୂଚନା ଜାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ କିମ୍ବା କ୍ଷୟକ୍ଷତିର ଖବର ମିଳିନାହିଁ । ତେବେ ଭୂମିକମ୍ପ ପରେ ମିଆଜାକିରେ ୨୦ ସେଣ୍ଟିମିଟର ଉଚ୍ଚରÿ ଲହରି ଦେଖିବାକୁ ମିଳିଥିଲା । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସସି) ଅନୁଯାୟୀ ଭୂମିକମ୍ପର ଗଭୀରତା ୩୭ କିଲୋମିଟର ଥିଲା । ଜାପାନର ଭୂମିକମ୍ପ ନିରୀକ୍ଷଣ ଏଜେନ୍ସି ଏନଆରଭି କହିଛି ଯେ ଏହି ଭୂମିକମ୍ପ ହୁଆଙ୍ଗା-ନାଡା ସାଗରରେ ହୋଇଥିଲା । ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ସମୟ ରାତି ୯ଟା ୨୯ ମିନିଟରେ ମିଆଜାକି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଏହାର ତୀବ୍ରତା ୦ରୁ ୭ ଜାପାନୀ ସ୍କେଲ ଅନୁଯାୟୀ ୫ରୁ କମ୍ ଥିଲା । ମିଆଜାକି ଏବଂ କୋଚି ପ୍ରଦେଶ ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।