ଭୂତକୋଠିର ଭ୍ରମ ସୃଷ୍ଟି କରୁଛି ଦକ୍ଷତା ବିକାଶ କେନ୍ଦ୍ର
ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଗ୍ରାମାଞ୍ଚଳର ମେଧାବୀ ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ବର୍ଗରେ ଦକ୍ଷତା ଟ୍ରେନିଂ ଦିଆଯାଇ କୁଶଳୀ କରାଯାଇ ନିଯୁକ୍ତି ଦେବାକୁ ଖୋଲା ଯାଇଥିଲା ଦକ୍ଷତା ବିକାଶ କେନ୍ଦ୍ର । ଖୋର୍ଦ୍ଧା ଜିଲା ବେଗୁନିଆ ଠାରେ ଖୋଲାଯାଇଥିବା ଏହି କେନ୍ଦ୍ର ଏବେ ପାଲଟିଛି ଅସାମାଜିକ ଯୁବକଙ୍କ ଆଡାସ୍ଥଳୀ । ଏହା ୨୦୧୮ ମସିହାରେ ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବେଳେ ପୂର୍ବତନ ବିଭାଗୀୟ ମନ୍ତ୍ରୀ, ବିଧାୟକଙ୍କ ଦ୍ୱାରାଏହି କେନ୍ଦ୍ର ଉଦଘାଟିତ ହୋଇଥିଲା । ହେଲେ ଏହି କେନ୍ଦ୍ରରୁ ଏଯାଏଁ ଜଣେ ହେଲେ ଯୁବକ ଯୁବତୀ ଶିକ୍ଷା ପାଇ ନାହାନ୍ତି । ସେପଟେ ଏହି କେନ୍ଦ୍ରରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଏହା ମଧରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଓ ସିସିଟିଭି ମଧ୍ୟ ଚୋରି ହୋଇଯାଇଥିବା ବେଳେ ଘରର କବାଟ, ଝରକା ସବୁ ଲୁଟି ନେଇଛନ୍ତି । ଭିତରେ କେବଳ ହାତଗଣତି କେତୋଟି ଚେୟାରକୁ ଛାଡି ଦେଲେ ଆଉ କିଛି ନାହିଁ । ଏମିତିକି ବିଦୁ୍ୟତ ସରଞ୍ଜାମ ମଧ୍ୟ ଭିତରେ ନଥିବା ଦେଖିବାକୁ ମିଳୁଛି । ସଂପୂର୍ଣ୍ଣ କୋଠାଟିକୁ ଅନାବନା ଗଛ ଘେରି ରହିଥିବା ବେଳେ ଏହା ଏକ ପରିତ୍ୟକ୍ତ ଗୃହରେ ପରିଣତ ହୋଇ ଭୂତକୋଟିର ଭ୍ରମ ସୃଷ୍ଟି କରୁଛି । ଏହି କେନ୍ଦ୍ରର ପୋଟିକ ତଳେ ଦେଶୀ ମଦ ପାଉଚ, ଗ୍ଲାସ ସହ ପଥର ଥୋଇ ଚୁଲି କରାଯାଇଥିବା ଦେଖିବାକୁ ମିଳିଛି । ଏହି ଦକ୍ଷତା ବିକାଶ କେନ୍ଦ୍ରଟି ଯେଉଁ ମହତ ଉଦେ୍ଦଶ୍ୟରେ ନିର୍ମାଣ କରାଯାଇଥିଲା ତାହତ ପୂରଣ ହେଲାନି କିନ୍ତୁ ଟିକସ ଦାତାଙ୍କ ଅର୍ଥରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠାର ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲି ଯାଇଛି ପ୍ରଶାସନ । ଉଦଘାଟନ ପରଠୁ ଏହି କେନ୍ଦ୍ରରେ ଜଣେ ବି ଯୁବକ ଯୁବତୀଙ୍କର ଦକ୍ଷତା ବୃଦ୍ଧି ହୋଇପାରିନାହିଁ । ଘଟଣା ସଂପର୍କରେ ସ୍ଥାନୀୟ ବିଡ଼ିଓ ସନ୍ତୋଷ କୁମାର ଜେନା କହିଛନ୍ତି ଯେ, ନୂତନ ଭାବେ ଯୋଗ ଦେଇଥିବାରୁ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ସଂପର୍କରେ ଅବଗତ ନାହିଁ । ଏହି କେନ୍ଦ୍ର ଆମ ଅଧୀନରେ ଅଛି କି ଜିଲ୍ଲାପ୍ରଶାସନର ନିୟୋଜନ ଅଧିକାରୀଙ୍କ ଅଧୀନରେ ରହିଛି ତାହା ବୁଝିବା ପରେ ବିଦ୍ଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରାଯିବ ।