ଭୟଭୀତ ଅବସ୍ଥାରେ ନଦୀକୂଳବାସୀ
ରାଜନଗର: ରାଜନଗର ବ୍ଲକ ନଦୀ ନାଳଘେରା ଅଞ୍ଚଳ । ବ୍ରାହ୍ମଣୀ, ବୈ÷ତରଣୀ, ପାଟ୍ଟଶାଳା, ହଂସୁଆ ପ୍ରଭୃତି ନଦୀ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛନ୍ତି । ଏହି ବ୍ଲକର ଓସ୍ତିଆ, ନଗଡ, ବେଲପାଳ, ରାଜପୁର, ବାଲିଚନ୍ଦ୍ରପୁର, ଚନ୍ଦନପୁର, ଚମ୍ପାଦିଆ, ରାଜନଗର ପ୍ରଭୃତି ଗାଁର ଲୋକେ ନଦୀରେ ଗାଧୋଇବା ସହ ବାସନ ଧୋଇବା ପ୍ରଭୃତି କାର୍ଯ୍ୟ କରିଥାନ୍ତିା ଏହି ନଦୀଗୁଡିକ ଭିତରକନିକା ଜାତୀୟ ଉଦ୍ୟାନର ନଦୀନାଳ ସହିତ ସଂଯୋଗ ଥିବାରୁ ଅନେକ ସମୟରେ ବଉଳା କୁମ୍ଭୀର ନଦୀନାଳକୁ ଚାଲି ଆସିଥାନ୍ତି । ଏହି ଗାଁଗୁଡିକ ନିକଟ ନଦୀ ଭିତରେ ବନବିଭାଗ ପକ୍ଷରୁ ଖୁଣ୍ଟ ସହ ତାରଜାଲି ଦେଇ ଗାଧୁଆତୁଠ ନିର୍ମାଣ କରାଯାଇଥାଏ । ଏହା ମଧ୍ୟରେ ଗାଁ ଲୋକମାନେ କୁମ୍ଭୀର ଦାଉରୁ ରକ୍ଷା ପାଇବା ସହ ନିର୍ଭୟରେ ଚଳପ୍ରଚଳ କରିଥାନ୍ତି । ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଗାଧୁଆ ତୁଠର ଜାଲିଗୁଡିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ବନବିଭାଗ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ନଦୀକୂଳକୁ ନଯିବା ସହ ନିର୍ମାଣ ହୋଇଥିବା ଗାଧୁଆତୁଠରେ ଚଳପ୍ରଚଳ କରିବା ପାଇଁ ପ୍ରଚାର ପ୍ରସାର କରାଯାଉଛି । ମାତ୍ର ବାସ୍ତବ ସ୍ଥିତି ନିଆରା । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ବେଲପାଳ ଗାଁର ନାରାୟଣ ଦାସ, ଧିରେନକୁମାର ସ୍ୱାଇଁଙ୍କ ଘର ନିକଟ ଓ ବାସୁଳେଇ ଠାକୁରାଣୀଙ୍କ ନିକଟ ବ୍ରାହ୍ମଣୀ ନଦୀରେ ନିର୍ମାଣ ହୋଇଥିବା ଗାଧୁଆତୁଠର ଜାଲି ଛିଡି ଯାଇଥିବା ଯୋଗୁଁ ଗାଧୁଆତୁଠଟି ଅସୁରକ୍ଷିତ ହୋଇପଡିଛି । ବିଭିନ୍ନ ସମୟରେ ଏହି ଗାଧୁଆତୁଠକୁ କୁମ୍ଭୀର ପଶି ଆସୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତିା ଏହି ଗାଧୁଆତୁଠ ଉପରେ ନିର୍ଭର କରୁଥିବା ଲୋକମାନେ ନଦୀରେ ଚଳପ୍ରଚଳ କରିବାକୁ ଭୟ କରୁଛନ୍ତି । ଖାଲି ଏହି ଗୋଟିଏ ଗାଧୁଆ ତୁଠ ନୁହେଁ, ଅନେକ ଗାଧୁଆତୁଠ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ବନବିଭାଗ ସେଗୁଡିକୁ କାଗଜକଲମରେ ମରାମତି କରି ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହେଉଛି । ଏସଂପର୍କରେ ରେଞ୍ଜ ଅଫିସର ଚିତ୍ତରଂଜନ ବେଉରାଙ୍କୁ ପଚାରିବାରୁ ଭାଙ୍ଗିଯାଇଥିବା ୨/୩ଟି ଗାଧୁଆତୁଠ ମରାମତି ହୋଇଛି । ଯଥେଷ୍ଟ ଅନୁଦାନ ନଥିବାରୁ ଭାଙ୍ଗିଯାଇଥିବା ଅନ୍ୟ ଗାଧୁଆତୁଠଗୁଡିକ ମରାମତି ହୋଇପାରି ନାହିଁ । ସେଠାକୁ ଯାଇ ଦେଖିବି ବୋଲି କହି କଥାକୁ ଏଢାଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, କୁମ୍ଭୀର ଦାଉରୁ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ଗାଧୁଆତୁଠଗୁଡିକ କିପରି ଅଛି, ତାହାର ତନଖି ନକରି ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀରେ ତିଆରି ହୋଇଥିବା ଗାଧୁଆତୁଠ ବ୍ୟବହାର କରିବା ପାଇଁ ପ୍ରଚାର କରିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଗାଧୁଆତୁଠ ମରାମତି ଓ ନିର୍ମାଣ କାର୍ଯ୍ୟରେ ହୋଇଥିବା ଦୁର୍ନିତୀର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।