ମଣିଷ ହାଟରେ ନିଲାମ ହେଉଛି ଭୂମିପୁତ୍ର
ଦେହରୁ ଥକ୍କାପଣ ଓ ଆଖିରୁ ନିଦ ନ ଛାଡୁଥିଲେ ମଧ୍ୟ ରାତି ଚାରିଟାରୁ ଉଠି ପ୍ରସ୍ତୁତ ହୁଅନ୍ତି ଏମାନେ । ନିଜର ନିତ୍ୟକ୍ରମ ସାରି ରଶ ଟିଫିନ୍ ଭିତରେ ପଖାଳ ସାଙ୍ଗକୁ ଆଳୁ ପୋଡା ହେଉ କିମ୍ବା ଲୁଣ ଲଙ୍କା ଓ ଆମ୍ବୁଲ ଖଟା ଧରି ଚାଲି ଆସନ୍ତି ରାସ୍ତା କଡକୁ । ନିତିଦିନିଆ ଭଡା ଅଟୋ ହେଉ କିମ୍ବା ଟାଟା ମେଜିକ୍ରେ ଗାଇ ଛେଳି ପରି ଲଦାଲଦି ହୋଇ ବାହାରି ପଡନ୍ତି ମଣିଷ ନିଲାମ ହାଟକୁ । ଆଉ ସେଠାରେ ପହଞ୍ଚôବା ପରେ ବାବୁ ମାନେ ଆସନ୍ତି ଆଉ ନିଜର ଆବଶ୍ୟକ ମୁତାବକ ତାଙ୍କୁ ନେଇ ନିଜ ନିଜ କାମରେ ଲଗାନ୍ତି । ପାରିଶ୍ରମିକ ଯାହା ମିଳେ ସେଥିରେ ଗାଡି ଭଡା ସାଙ୍ଗକୁ ନିଜ ପିଲା ଛୁଆଙ୍କ ପାଇଁ ସଉଦା ପାଇଁ ବି ଏହା ନିଅଣ୍ଟ । କାମ ସାରି ଘରେ ପହଁଚିବା ବେଳକୁ ରାତି ଦଶ୍ । ଯାହା ମିଳିଲା ଗଣ୍ଡେ ଖାଇ ୨/୩ ଘଣ୍ଟା ଶୋଇବା ପରେ ତାଙ୍କ ମୁଣ୍ଡରେ ପୁଣି ଆସନ୍ତା କାଲିର ଚିନ୍ତା । ଏଚିତ୍ର କୌଣସି ଉପାନ୍ତ କିମ୍ବା ଦୁର୍ଗମ ଅଂଚଳର ନୁହଁ । ଶିଳ୍ପ ଓ ଖଣି ସମୃଦ୍ଧ ଯାଜପୁର ଜିଲାର ଭାଷଣରେ ସିମିତି ସୁନାର ସୁକିନ୍ଦାର ଏହେଉଛି ଭୂମିପୁତ୍ର ମାନଙ୍କର ନିଚ୍ଛକ ଚିତ୍ର । ଖଣି ପାଇଁ ଭିଟାମାଟି ଛାଡିଥିବା ହେଉ କିମ୍ବା ଖଣି ପ୍ରଭାବିତ ଅଂଚଳରେ ବସବାସ କରୁଥିବା ମହିଳା ପୁରୁଷ ହୁଅନ୍ତୁ କିମ୍ବା ଯୁବକ ମାନଙ୍କର ଏ ହେଉଛି ଦୟନୀୟତାର ବିକଳ ଚିତ୍ର । ଖଣି ପାଇଁ ନିଜର ଭିଟାମାଟି ଛାଡି ଆଜି ସେମାନେ ପେଟ ଚାଖଣ୍ଡ ପାଇଁ ମଣିଷ ହାଟରେ ନିଲାମ୍ ହେଉଛନ୍ତି । ଏଉକ୍ତି ଶୁଣିବାକୁ କାହାକୁ ଅଡୁଆ ଲାଗିପାରେ କିନ୍ତୁ ସୁନାର ସୁକିନ୍ଦାର ଏ ହେଉଛି ବାସ୍ତବତା । ସୁକିନ୍ଦା । ଗୋଟେ ପଟେ ଶିଳ୍ପର ସମ୍ଭାର ତ ପୁଣି ଅନ୍ୟପଟେ ଖଣିର ଭଣ୍ଡାର । ସୁକିନ୍ଦା ଖଣି ଉପତ୍ୟକାରେ ଦୀର୍ଘବର୍ଷ ହେବ ୧୦ରୁ ଉର୍ଦ୍ଧ ଖଣି କ୍ରୀୟାଶିଳ । ରାଜ୍ୟ ରାଜସ୍ୱ ହେଉ କିମ୍ବା ଖଣି ମାଲିକର ପକେଟ ଏହି ମାଟି ଟଙ୍କାରେ ଭରୁ ଥିବା ବେଳେ ଏଠିକାର ଭୂମିପୁତ୍ରଙ୍କ ପରିସ୍ଥିତି ଦୁସ୍ଥ ଓ ଦୁଃଖଦାୟକ । ଖଣି ହେବା ସହ ତାଙ୍କର ବିକାଶ ଘଟିବ ଆଶାରେ ନିଜର ଭିଟାମାଟିକୁ ଏମାନେ ଅନ୍ୟାସରେ ବାବୁଭୟା ମାନଙ୍କ ହାତକୁ ଟେକି ଦେଇଥିବା ବେଳେ କିନ୍ତୁ ଏମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଆଜିବି ଅନ୍ଧାରରେ । ବିକାଶ ତ ଦୁରର କଥା ଖଣିରେ ଶ୍ରମଦାନ କରି ପେଟ ପୋଷିବା ବି ଏମାନଙ୍କ ନସିବ୍ କୁ ଜୁଟିନି । ଘର ପାଖରୁ ଖଣି ବ୍ଲାଷ୍ଟିଂର ଶବ୍ଦ ଠାରୁ ଆରମ୍ଭ କରି ଖଣିରେ ନିୟୋଜିତ ଗାଡି ମଟରର ଚଳପ୍ରଚଳ ଏମାନଙ୍କ ଜୀବନକୁ ଆଜିବି ପରିହାସ କରୁଛି । ଖଣିରେ କାମ କରିବା ତ ଦୁରର କଥା କଂସାଏ ପଖାଳ ଯୋଗାଡ କରିବା ବି ଏମାନଙ୍କ ପାଇଁ କାଠିକାର ପାଠ । ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହେଉ କିମ୍ବା ସମ୍ପ୍ରସାରଣ ସେତିକିବେଳେ ଏମାନଙ୍କୁ ଖୋଜା ପଡୁଥିବା ବେଳେ କାମ ସରିଗଲେ ଏମାନେ ଅଲୋଡା । ଅନ୍ୟପଟେ ନିର୍ବାଚନ ଆସିଲେ ରାଜନେତା ଏମାନଙ୍କ ଦୁଆରେ ପହଁଚି ନାନା ଆଶ୍ୱସନା ଦିଅନ୍ତି । ବ୍ରୟଲର କୁକୁଡାର କେଇ ପିସ୍ ମାଂସ ସାଙ୍ଗକୁ ହାଣ୍ଡିଆ ରଶି ଓ ହାତଗୁଂଜା କିଛି ପଇସା ଦେଇ ଏହି ନୀରିହ ଲୋକଙ୍କ ଭୋଟ ବ୍ୟାଙ୍କ୍ ହାତେଇବା ପରେ ପରବତ୍ତ ସମୟରେ ଏ ବାବୁ ମାନଙ୍କ ପାଦ ପଡେନି ଏମାନଙ୍କ ଦୁଆରେ । ଯାହା ଫଳରେ ଏମାନେ ନିଜ ଭାଗ୍ୟକୁ ଆଦରି ମୂଲ ମଜୁରି କରି ଏମାନେ ନିଜ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ଏହି କ୍ରମରେ ପ୍ରଥମେ ସୁକିନ୍ଦା କ୍ରୋମ୍ ଉପତ୍ୟକାର କଂସ ପଂଚାୟତକୁ ଉଦାହରଣ ଭାବେ ନିଆଯାଇପାରେ ।
ଏହି ପଂଚାୟତ ଅଧିନରେ ଟାଟା ପରିଚାଳିତ କମର୍ଦ୍ଦା ଓ ସାରୁଆବିଲ୍ ଖଣି ସକ୍ରୀୟ ରହିଥିବା ବେଳେ ଏହି ପଂଚାୟତର କଂସ, ଜାରିଗିସାହି, ଟିକରପଡା, କମର୍ଦ୍ଦା, ହାତିହୁଡି, ବିଟସାହି, ମୋକତ୍ତଣ୍ଟାସାହିର ଶତାଧିକ ଲୋକ ପେଟ ପାଟଣା ପାଇଁ ନିତିଦିନ ଯାଜପୁର ରୋଡରେ ଲାଗୁଥିବା ମଣିଷ ହାଟରେ ନିଜେ ନିଜକୁ ନିଲାମ କରୁଥିବା ଦେଖିବାକୁ ମିଳିଛି । ଏହି ଅଂଚଳରୁ ପାଖାପାଖି ୭/୮ଟି ଅଟୋରେ ଏହି ଲୋକମାନେ ପାଶୁର ଭାବେ ଲଦାଲଦି ହୋଇ ଭୋରରୁ ଏହି ହାଟକୁ ଯାଉଥିବା ଦେଖାଯାଇଛି । ସେହିପରି ଭାବେ ଖଣି ପ୍ରଭାବିତ କିଆଝର ପଂଚାୟତ ଉପରେ ନଜର ପକାଇଲେ ଟୁଙ୍ଗେଇଶୁଣି, ରାଇଘାଟି, ଚମ୍ପାଝର, ଇଟାଝର ଅଂଚଳର ଅନେକ ମହିଳା, ପୁରୁଷ, ଯୁବକ ଯୁବତୀ କୌଣସି କାର୍ଯ୍ୟ ନପାଇ ବାଧ୍ୟ ହୋଇ ଦୈନିକ ଏହି ମଣିଷ ହାଟରେ ନିଜକୁ ବିକ୍ରୀ କରୁଥିବା ଦେଖାଯାଇଛି । ହାତ ପାହାନ୍ତାରେ ଖଣି ରହିଥିଲେ ମ୍ମ ଏମାନେ ସବୁଦିନ ଅସୁରକ୍ଷିତ ଭାବେ ଗସ୍ତ କରି ମଣିଷ ହାଟରେ ନିଲାମ ହେବା ଘଟଣା ଆଜି ପରିତାପର ବିଷୟ ପାଲଟିଛି । ପ୍ରାକ୍ତନ ବିଜେଡି ସରକାର ଯାଇ ଏବେ ବିଜେପି ସରକାର ଦାୟିତ୍ୱ ନେଇଥିଲେ ସୁଦ୍ଧା ଏହି ଶ୍ରମଜୀବୀ ଭୂମିପୁତ୍ର ମାନଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଖଣିର ପ୍ରାଚୁର୍ଯ୍ୟ ଭିତରେ ଏହି ଭୂମିପୁତ୍ର ମାନଙ୍କର ଦୟନୀୟତାକୁ ଦେଖି ମନରେ ସ୍ୱତଃ ପ୍ରଶ୍ନ ଉଠେ ଅନ୍ୟାସରେ ନିଜର ଭିଟାମାଟିକୁ ଖଣି ମାଲିକ ମାନଙ୍କ ହାତକୁ ଟେକି ଦେଇ ଏମାନେ ପାଇଲେ କ’ଣ? ଏପ୍ରଶ୍ନର ଉତ୍ତର ହୁଏତ ଏମାନଙ୍କ ପାଖରେ ନାହିଁ ହେଲେ ରାଜ୍ୟ ସରକାର ଏବଂ ପ୍ରଶାସନ ଏମାନଙ୍କ ଦୁର୍ଦ୍ଦିନ ପରିବର୍ତ୍ତନ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।