ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀ ହନ୍ତସନ୍ତ : ନାକେଦମ ହେଉଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ 

 ଖଣ୍ଡପଡ଼ା : ପିଏମଶ୍ରୀ ରାମଚନ୍ଦ୍ର ହାଇସ୍କୁଲର ଛାତ୍ରଛାତ୍ରୀ  ଦୈନିକ ମଧ୍ୟାହ୍ଣ ଭୋଜନ ଖାଇବା ନିମନ୍ତେ ହନ୍ତସନ୍ତ ହେଉଥିବା ଜଣାପଡିଛି । ଖାଲିସେତିକି ନୁହେଁ ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଏଥି ନିମନ୍ତେ ନାକେଦମ ହେବାକୁ ପଡୁଛି । ପ୍ରାପ୍ତ ସୂଚନାନୁ ଯାୟୀ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ୩ଟି କ୍ୟାମ୍ପସ ରହିଛି । ୩ ଟି କ୍ୟାମ୍ପସ ମଧ୍ୟରୁ କ୍ୟାମ୍ପସ ୧ ଓ ୨ରେ ଥିବା ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ପାଠ ପଢା ଚାଲୁ ରହିଥିବା ବେଳେ, ବିଦ୍ୟାଳୟଳର କ୍ୟାମ୍ପସ ୩ରେ ତାଲା ଝୁଲୁଛି । ଦୈନିକ ବିଦ୍ୟାଳୟଳର କ୍ୟାମ୍ପସ-୨ରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତ ହେଉଥିବା ବେଳେ, କ୍ୟାମ୍ପସ ୧ରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ମୁଖ୍ୟ ରାସ୍ତା ପାର ହୋଇ ସ୍କୁଲ କ୍ୟାମ୍ପସ ୨ କୁ ମଧ୍ୟାହ୍ଣ ଭୋଜନ ଖାଇବା ନିମନ୍ତେ ଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଦୈନିକ ଦିବା ୧ ଘଣ୍ଟା ସମୟରେ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ସଙ୍ଗରେ ଧରି ରାସ୍ତା ପାର ହୋଇ କ୍ୟାମ୍ପସ ୨କୁ ଖୁଆଇବା ନିମନ୍ତେ ନେଉଥିବା ନଜରକୁ ଆସୁଛି । କ୍ୟାମ୍ପସ -୧ ଠାରୁ କିଛି ଦୂରରେ କ୍ୟାମ୍ପସ-୨ ଅବସ୍ଥିତ । ମୁଖ୍ୟ ରାସ୍ତା ପାର ହୋଇ ଦୈନିକ ଗୋଟିଏ କ୍ୟାମ୍ପସରୁ ଆଉ ଗୋଟିଏ କ୍ୟାମ୍ପସକୁ ଛାତ୍ରଛାତ୍ରୀମାନେ ମଧ୍ୟାହ୍ଣ ଭୋଜନ ଖାଇବାକୁ ଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତାଦେଇ ଯାନବାହାନ ଗୁଡିକ ଚଳାଚଳ କରୁଥିବା ବେଳେ, ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି, ପ୍ରତି ମୁହୂର୍ତ୍ତରେ ବିପଦ ଥିବା ଆଶଙ୍କା କରାଯାଉଛି । ତେଣୁ ଏଥିପ୍ରତି ଦୃଷ୍ଟିଦେଇ ଗୋଟିଏ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ଣ ଭୋଜନ ସହ ପାଠ ପଢାର ବ୍ୟବସ୍ଥା କରାଗଲେ ସବୁ ଦୃଷ୍ଟିରୁ ତାହା ଭଲ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଥିପ୍ରତି ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।