ମନ୍ଥର ଗତିରେ ମେଗା ପାନୀୟଜଳ ପ୍ରକଳ୍ପ

 ରଗଡି : ସବୁ ପରିବାରକୁ ପାନୀୟଜଳ ଯୋଗାଇ ଦେବା ନିମନ୍ତେ କୋରେଇରେ ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଖରସ୍ରୋତା ନଦୀରୁ ପାଣି ଉଠାଯାଇ ସ୍ଥାନେ ସ୍ଥାନେ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯିବାର ଲକ୍ଷ୍ୟ ଥିଲା । ସେଥିପାଇଁ ବିଭିନ୍ନ ସ୍ଥାନରେ ଓଭର ହେଡ୍ ପାଣିଟାଙ୍କି ନିର୍ମାଣ ହୋଇଛି । ଗାଁକୁ ପାଇପ ବିଛା ଯାଇଛି ସତ କିନ୍ତୁ ଅନେକ ଗାଁରେ ଏହା ଅସମ୍ପୂର୍ଣ ହୋଇ ପଡିରହିଛି । କହିବାକୁ ଗଲେ ଏବେ ସୁଦ୍ଧା ସବୁ ଗାଁକୁ ପାଇପ ସଂଯୋଗ ହୋଇ ପାରିନାହିଁ । ଯେଉଁଠି ବି ହୋଇଛି ରକ୍ଷଣାବେକ୍ଷଣ ଅଭାବରୁ ପାଇପ ନଷ୍ଟ ହୋଇ ଗଲାଣି ତ ଆଉ କେଉଁଠି ଚୋରି ହେଲାଣି । ଏହା ବ୍ୟତୀତ ଓଭର ହେଡ଼ ପାଣିଟାଙ୍କି କାର୍ଯ୍ୟ ସବୁଠି ସମ୍ପୂର୍ଣ୍ଣ ହୋଇ ନାହଁ । ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାରଣରୁ ପୂର୍ବରୁ ଥିବା ଅନ୍ୟ ପାନୀୟଜଳ ସୁବିଧା ପ୍ରତି ଆଉ ଦୃଷ୍ଟି ଦିଆଯାଉନାହଁ । କୋରେଇରେ ଅଧିକାଂଶ ପଞ୍ଚାୟତରେ ଗ୍ରୀଷ୍ମ ଦିନେ ଜଳକଷ୍ଟ ଭୋଗିଛନ୍ତି ଲୋକେ । କୋରେଇ ବ୍ଲକର ତଳଗଡ଼, ଖମିଗାଁ, ପୂର୍ବକୋଟ ପ୍ରଭୃତି ସ୍ଥାନରେ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ ହୋଇଛି । ଏହା ଦ୍ୱାରା ୫ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଲୋକେ ପାନୀୟଜଳର ସୁବିଧା ପାଇବେ । ହେଲେ କାର୍ଯ୍ୟବିଳମ୍ବ ହେତୁ ଲୋକଙ୍କୁ ପାନୀୟଜଳ ସୁବିଧା ପାଇବାକୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । କୋରେଇର ଅନ୍ୟାନ୍ୟ ସ୍ଥାନରେ ଚାଲିଥିବା ମେଗା ପାନୀୟଜଳ ପ୍ରକଳ୍ପର ମଧ୍ୟ ସମାନ ଅବସ୍ଥା । ଯେଉଁଠି ଠିକାଦାର କାର୍ଯ୍ୟରେ ଅବହେଳା କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ହେଲେ ନିଦେ୍ର୍ଦଶ କେବଳ ନିଦେ୍ର୍ଦଶରେ ରହିଯାଉଛି । ଇତିମଧ୍ୟରେ କେତେକ ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଛି ସତ ହେଲେ କେବେ କାର୍ଯ୍ୟ ଶେଷ ହୋଇ ଘରକୁ ଘର ପାଣି ଯୋଗାଣ ହେବ ତା ସ୍ପଷ୍ଟ ଚିତ୍ର ମିଳିପାରୁନି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।