ତୁମୁଣିରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ସୁକିନ୍ଦା : ଏହି ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ନଗଡ଼ା ପାର୍ଶ୍ୱବର୍ତୀ ଦୁର୍ଗମ ତୁମୁଣି ଗାଁରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଥପ୍ରାନ୍ତ ନାଟକ ସହ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ଯାଉନଥିବା ଓ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସଚେତନତା କରାଯାଇଛି । ଗାଁ ମୁଣ୍ଡରେ ଆୟୋଜିତ ସଚେତନତା ବୈଠକରେ ବିଇଓ ନାରାୟଣ ଦାସ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଏବିଇଓ ଗୋବର୍ଦ୍ଧନ ପ୍ରଧାନ, କଲରଙ୍ଗିଅତା ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ହାଁସଦା, ହିସାବରକ୍ଷକ ପ୍ରମିଳା କବି, ସରୋଜ କୁମାର ପତି ଓ ବିକ୍ରମ ବେହେରା, ସମସ୍ତ ୧୧ ଜଣ ସିଆରସିସି, ବିଇଓ ଅଫିସ କର୍ମଚାରୀ  ପାହାଡ଼ି ଗୁଳାବାଟରେ ୪ କିଲୋମିଟର ଚାଲିଚାଲି ତୁମୁଣିରେ ପହଁଚିଥିଲେ । ଘରକୁ ଘର ବୁଲି ଲୋକଙ୍କୁ ଡାକି ସଚେତନ କରିଥିଲେ । ପିଙ୍ଗଲ ସିଆରସିସି ଅଶୋକ ଚନ୍ଦ୍ର ଦାସଙ୍କ ରଚିତ କ୍ଷୁଦ୍ର ନାଟକରେ ଅନ୍ୟ ୧୦ଜଣ ସିଆରସିସି ଅଭିନୟ କରିଥିଲେ । ନାଟକ ମାଧ୍ୟମରେ ଅନ୍ଧ ବିଶ୍ୱାସ ଓ କୁସଂସ୍କାରର ପରିଭାଷା ଓ ଏହାର ଦୂରୀକରଣ, ସ୍ୱାସ୍ଥ୍ୟ ସଚେତନତା ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମ କରାଯାଇଥିଲା । ଯାହା ଗ୍ରାମବାସୀଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା ବୋଲି ଗାଁ ମୁଖିଆ ମିଟୁ ପ୍ରଧାନ କହିଥିଲେ ।