ମମତାଙ୍କ ପରେ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା: ‘ୱାକ୍ଫ ଆଇନ ଲଗାଇବାକୁ ଦେବୁନି’

ଧାନବାଦ : ୱାକ୍ଫ ଆଇନ ପଶ୍ଚିମବଙ୍ଗ ଲାଗୁ ହେବନି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିବା ପରେ ଏବେ ତାଙ୍କ ପାଳି ଧରିଛନ୍ତି ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ୍ ଅନ୍ସାରୀ । ଝାଡ଼ଖଣ୍ଡ ହେମନ୍ତ ସୋରେନ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଇରଫାନ ଆଜି କହିଛନ୍ତି ଯେ, ୱାକ୍ଫ କାରଣରୁ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳୁଛି । ଏଣୁ ଏହାକୁ ଆମେ ମଧ୍ୟ ଆମ ରାଜ୍ୟରେ ଲଗାଇବାକୁ ଦେବୁନାହିଁ । ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପଶ୍ଚିମବଙ୍ଗର ଉଦାହରଣ ଦେଇ ଅନ୍ସାରୀ କହିଛନ୍ତି ଯେ, ବର୍ତ୍ତମାନ ପଶ୍ଚିମବଙ୍ଗରେ ଲଗାତାର ହିଂସା ଘଟୁଛି । ଲୋକଙ୍କ ପ୍ରାଣହାନୀ ଘଟୁଛି । ଏହି ଆଇନକୁ ନେଇ ମଧ୍ୟ ଝାଡଖଣ୍ଡବାସୀ ଆକ୍ରୋଶମୂଳକ ମାନସିକତାରେ ଅଛନ୍ତି । ଯାହାଙ୍କ ଅଧିକାର ରହିଛି, ସେମାନଙ୍କ ଉପରେ ଆଘାତ ଦିଆଯାଉଛି ।
ମନ୍ତ୍ରୀ ଅନ୍ସାରୀ ଏହା ମଧ୍ୟ କହିଛନ୍ତି, ବିଜେପି ପାଖରେ କୌଣସି କାମ ନାହିଁ । ଏକ ଷଡ୍ୟନ୍ତ୍ର ଅଧାରରେ ଆମ ସଂପ୍ରଦାୟ ଉପରେ ବିଜେପି ଅତ୍ୟାଚାର କରୁଛି । ଆମ ସମୁଦାୟରୁ ବିଜେପିର କିଏ ମନ୍ତ୍ରୀ ଅଛନ୍ତି ନା ବିଧାୟକ । ନା ଜୌଣସି ସାଂସଦ ଆମ କଥା ଚିନ୍ତା କରୁଛନ୍ତି । ବିଜେପିର ମୁଖପାତ୍ରମାନେ କହୁଛନ୍ତି, ୱାକ୍ଫ ଆଇନ ଆଧାରରେ ଆମର ବିକାଶ ଘଟୁଛି । ଆମ ସଂପ୍ରଦାୟର ଲୋକେ ନିଜର ଭରଣପୋଷଣ କରିବାକୁ ସକ୍ଷମ । ବିଜେପି ଅଯଥାରେ ଆମ କାମରେ ହସ୍ତକ୍ଷେପ କରୁଛି ବୋଲି କହିଛନ୍ତି ।