ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଓଟିଇଟି ଚାପ ପରୀକ୍ଷାରେ ପାସ୍, ଫେଲ୍ ଭୟ
ଧାମନଗର : ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା-୨୦୨୫କୁ ନେଇ ଶିକ୍ଷକଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଦୀର୍ଘବର୍ଷ ହେବ ଏହି ପରୀକ୍ଷା କବଳରୁ ବଞ୍ଚିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବେ ଭୟଭିତ । ପାଠ ପଢ଼ାଉଥିଲେ ବି ନିଜେ ପରୀକ୍ଷା ଦେବାକୁ କେବେ ଭାବି ନଥିବା ଶିକ୍ଷକଶିକ୍ଷୟିତ୍ରୀ ଏବେ ବହି ଦୋକାନରେ ଭିଡ଼ ଲଗାଇଛନ୍ତି । ପରୀକ୍ଷାରେ ୬୦ ପ୍ରତିଶତ ମାର୍କ ରଖିଲେ କୃତକାର୍ଯ୍ୟ ହେବେ ଏବଂ ପଦୋନ୍ନତି ହେବ । ନ ହେଲେ ସେଇପରି ସମାନ ପଦରେ ଚାକିରି କାଳ ସରିବ । ପରୀକ୍ଷାକୁ ନେଇ ଶିକ୍ଷକଶିକ୍ଷୟିତ୍ରୀମାନେ ଏଥିପାଇଁ ଚିନ୍ତିତ ।
ଜାତୀୟ ଶିକ୍ଷା ନୀତି ଆଧାରରେ ପରୀକ୍ଷା ପାଇଁ ସିଲାବସ ହୋଇଥିବାରୁ ଧାମନଗରର ୨୦୦ରୁ ୨୫୦ ଶିକ୍ଷକଶିକ୍ଷୟିତ୍ରୀ ଏବେ ଚିନ୍ତାରେ । ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ୨୦୦୧, ୨୦୦୩, ୨୦୦୫, ୩୦୦୮, ୨୦୧୦ ଓ ୨୦୧୧ରେ ନିଯୁକ୍ତି ପାଇଥିଲେ; ସେହିମାନେ ଏଥର ପରୀକ୍ଷା ଦେବେ । ରାଜ୍ୟରେ ୨୦୧୨ରେ ଓଟିଇଟି ପରୀକ୍ଷା ପ୍ରଚଳନ କରାଗଲା । ଏଣୁ ଏନ୍ସିଟିଇ ନିୟମ ଆଧାରରେ ୨୦୧୧ ପୂର୍ବରୁ ଯେଉଁମାନେ ଚାକିରି କରିଥିବେ ସେମାନେ ଏହି ପରୀକ୍ଷା ଦେବେ । କେବଳ ଏତିକି ନୁହେଁ, ପଦୋନ୍ନତି ନେବା ଲାଗି ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ଏନସିଟିଇ ବାଧ୍ୟତାମୂଳକ କରିଛି । ଏହି ନିୟମ ଆଧାରରେ ଯେଉଁମାନେ ଗତ କିଛି ବର୍ଷ ମଧ୍ୟରେ ଅର୍ଥାତ ୨୦୧୨ ପରେ ପଦୋନ୍ନତି ପାଇଛନ୍ତି, ସେମାନଙ୍କ ଭବିଷ୍ୟତ କଣ ହେବ ସେନେଇ ଆଶଙ୍କାରେ ଅଛନ୍ତି । କେତେକ ଶିକ୍ଷକ ଶିକ୍ଷୟତ୍ରୀ କିଛି ବର୍ଷ ପୂର୍ବରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକ ପଦକୁ ପଦୋନ୍ନତି ପାଇଛନ୍ତି । ସେମାନେ ଆଶଙ୍କା କରୁଛନ୍ତି ଯେ, ପରୀକ୍ଷାରେ ଯଦି ବିଫଳ ହୁଅନ୍ତି ସେମାନଙ୍କୁ ପୁଣି ମୂଳ ପଦକୁ ଫେରାଇ ଦିଆଯିବ । ଏଭଳି ସ୍ଥିତିରେ, ସେମାନଙ୍କଠାରୁ କନିଷ୍ଠ ଥିବା ଓ ୨୦୧୨ ପରେ ଓଟିଇଟି ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଶିକ୍ଷୟତ୍ରୀ ପଦୋନ୍ନତି ପାଇଯିବେ । ଆଉ ଏମାନେ ତାଙ୍କର ଜୁନିଅର ହୋଇ କାମ କରିବେ । ଏଭଳି ସ୍ଥିତିରେ ଶୈକ୍ଷିକ ପରିବେଶରେ ଅସଙ୍ଗତି ଦେଖାଦେବବୋଲି କିଛି ଶିକ୍ଷକଶିକ୍ଷୟତ୍ରୀ କହିଛନ୍ତି ।
ସୂଚନା ଯେ, ଆସନ୍ତା ମାସ ୨୦ ତାରିଖରେ ଦୁଇଟି ସିଟିଂରେ ମୋଟ୍ ୧୫୦ ମାର୍କର ଦୁଇଟି ପେପର ର ପରୀକ୍ଷା କରାଯିବ । ସାଧାରଣ ବର୍ଗଙ୍କ ପାଇଁ ପାସ୍ ମାର୍କ ୯୦ ଥିବାବେଳେ ଏସ ସି, ଏସ ଟି ପାଇଁ ୭୫ ମାର୍କ ରହିଛି । ତେବେ ଏହି ପରୀକ୍ଷାକୁ ନେଇ ଧାମନଗର ଅଞ୍ଚଳରେ ଖସରା ମାରୁଥିବା କେତେକ ଶିକ୍ଷକଶିକ୍ଷୟତ୍ରୀ ମଧ୍ୟରେ କୋଳାହଳ ଦେଖା ଦେଇଛି । ଆପରେ ସରକାର ଙ୍କ ନିୟମ କୁ ମାନିବାକୁ ପଡ଼ିବ ବୋଲି ଧାମନଗର ବିଇଓ ପ୍ରକାଶ କରିଛନ୍ତି ।