ମରଣଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ରାସ୍ତା

 ରାଜକନିକା :  ରାଜକନିକା-ଓଳାଭରର ଜୀବନରେଖା କୁହାଯାଉଥିବା ଅଶୋକ ବଜାରରୁ ଓଳାଭର ତାରିଣୀଛକ ଯାଏଁ ପୂର୍ତ୍ତ ବିଭାଗର ପାଞ୍ଚ କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି । ପ୍ରତ୍ୟକ ଦିନ ହଜାର ହଜାର ଲୋକ ଯାତାୟତ କରୁଥିବା ଏହି ମୁଖ୍ୟରାସ୍ତା ଆର ଆଣ୍ଡ ବି ବିଭାଗ ଅଧିନରେ ଥିବାବେଳେ ଏବେ ପ୍ରତ୍ୟକ ଦିନ ଦୁର୍ଘଟଣାର ବାଟ ସାଜିଛି । ଓଳାଭରରୁ ଏହି ରାସ୍ତା ଦେଇ କଲିକତା, ରାଉରକେଲା, କଟକ, ଭୁବନେଶ୍ୱର, ବାଲେଶ୍ୱର ଆଦି ଅଞ୍ଚଳକୁ ଏକାଧିକ ଯାତ୍ରୀବାହି ବସ୍ ଯାତାୟତ କରିଥାଏ । ଏହାଛଡ଼ା ହଜାର ହଜାର ହାଲୁକା ଯାନ ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି । ଏହାଛଡ଼ା ବ୍ୟବସାୟିକ ପେଣ୍ଠସ୍ଥଳୀ ଓଳାଭର ବଜାର ଉପରେ ବାହାର ରାଜ୍ୟ ତଥା ଆମ ରାଜ୍ୟର ବିଭିନ୍ନ ଜିଲ୍ଲାର କ୍ଷୁଦ୍ର ଓ ବୃହତ ଚାଷୀ ତଥା ବ୍ୟବସାୟୀ ନିର୍ଭର କରିଥାନ୍ତି । କିନ୍ତୁ ଆରଆଣ୍ଡବି ବିଭାଗର ଖାମଖିଆଲି ଓ ଆଣ୍ଟିପୁରା ନୀତି ଯୋଗୁଁ ନିୟମ ନ ଥାଇ ବି ଏହି ରାସ୍ତା ଉପରେ ପ୍ରତ୍ୟକ ରାତିଦିନ ଶହ ଶହ ବାଲି ବୋଝେଇ ହାଇୱା ଯାତାୟତ କରିବା ଫଳରେ ଏହି ରାସ୍ତା ସମ୍ପୂର୍ଣ୍ଣ ଖାଲଖମାରେ ଭର୍ତ୍ତି ହୋଇ ରହିଛି । ପ୍ରତ୍ୟକ ବର୍ଷ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ରାସ୍ତାର ସ୍ଥାୟୀତ୍ୱ ପରିବର୍ତ୍ତେ ନିମ୍ନମାନର ପ୍ୟାଚ ପକା କାମ କରାଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହେଉଛି । ଫଳସ୍ୱରୂପ କାମ ହେବାର ପନ୍ଦର ଦିନ ଭିତରେ ପୁଣି ରାସ୍ତା ଖରାପ ହୋଇଯିବା ପ୍ରମାଣ କରୁଛି । ସ୍ଥାନୀୟ ଲୋକ ଅଭିଯୋଗ କରିବାକୁ ଆସିଲେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଆର ଆଣ୍ଡବି ବିଭାଗର କାର୍ଯ୍ୟାଳୟ ରାଜକନିକାରେ ନଥିବା ଓ ଆଳି-ପଟ୍ଟାମୁଣ୍ଡାଇରେ ବସି ବାବୁମାନେ ଅୟସ କରିବା ଫଳରେ ଏବେ ଓଳାଭର-ରାଜକନିକା ପୂର୍ତ୍ତ ବିଭାଗ ରାସ୍ତା ଅଞ୍ଚଳବାସୀଙ୍କ ଜୀବନ ରେଖା ପରିବର୍ତ୍ତେ ମୃତୁ୍ୟର ପଥ ପାଲଟିଥିବା ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି । ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ବେନିୟମରେ ଚାଲୁଥିବା ଭାରୀଯାନ ଗୁଡିକ ପ୍ରତି ଅଙ୍କୁଶ ଲଗାଇବା ଓ ରାସ୍ତାକୁ ପୁନଃ ଟେଣ୍ଡର କରାଇ ଚିରସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ପାଇଁ ବିଜେପିର ବରିଷ୍ଠ ନେତା ପ୍ରଫେସର ବୈକୁଣ୍ଠ ନାଥ ପରିଡା ଓ ବିଜେଡି ଯୁବ ସଂଗଠକ ପବିତ୍ର ରାଉତଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।