ମହୁଲ ଫଳର ନାହିଁ ବିକ୍ରି ବ୍ୟବସ୍ଥା : କମୁଛି ଲୋକଙ୍କ ଟୋଲ ସଂଗ୍ରହ
କୋକସରା : ଲଘୁବନଜାତ ଦ୍ରବ୍ୟ ଜଙ୍ଗଲ, ପାହାଡିଆ ଲୋକଙ୍କୁ ଅନେକ ସମୟରେ ଜୀବନ ଜୀବିକା ସାଜି ଆସୁଛି । ମହୁଲ ଫୁଲ ସରିବା ପରେ ଆସିଛି,ମହୁଲ ଫଳ (ଟୋଲ) । ଯାହା ଆଗକାଳରେ ଲୋକଙ୍କ ପ୍ରିୟ ସାଜିଥିଲା ଟୋଲ ଛାଲି ଓ ଟୋଲ ଫଳ ଲୋକଙ୍କୁ ରୋଜଗାର ଦେଉଥିଲା । କିନ୍ତୁ ଏବେ ଆଉ ଆଗଭଳି ଆଦର ନାହିଁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟ ବର୍ତ୍ତୀ ଅଞ୍ଚଳର ଅନେକ ଜମି ହୁଡାରେବି ରହିଛି ଏହି ଲଘୁଜାତ ମହୁଲ ଗଛ । ମହୁଲ ଗଛରେ ଫୁଲ ସରିଲା ପରେ କିଛି ଦିନରେ ମହୁଲ ଗଛରେ ମହୁଲ ଫଳ (ଟୋଲ) ଆସିଥାଏ । ସେହି ଟୋଲକୁ ମହୁଲ ଗଛରୁ ବାଉଁଶ କାଠି ସାହାଯ୍ୟରେ ବା ଗଛରେ ଚଢ଼ି ତୋଳିଥାନ୍ତି । ଟୋକେଇ, କୁଲା,ବସ୍ତାରେ ଭର୍ତ୍ତି କରି ଘରକୁ ଆଣିଥାନ୍ତି । ଘରେ ପ୍ରତ୍ୟେକ ଟୋଲ ର ଚୋପାକୁ ଛଡେଇ ମଞ୍ଜି ବାହାର କରନ୍ତି । ଛଡା ହେଉଥିବା ଟୋଲ ଚୋପା( ଟୋଲ ଛାଲି) କୁ ତରକାରୀ କରି ଖାଇବାରେ ସୁସ୍ୱାଦ ଭରି ରହିଥାଏ । ଟୋଲ ଚୋପା( ଟୋଲ ଛାଲି)କୁ ଖାଇବାକୁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି । ସଂଗ୍ରହ କରି ଆଣିଥିବା ଟୋଲର ମଞ୍ଜିକୁ ଖରାରେ ଶୁଖାଇ । ଶୁଖିଲା ପରେ ମଞ୍ଜିକୁ ତେଲ ମିଲ କିମ୍ବା ତେଲ ଘନା ସାହାଯ୍ୟରେ ମଞ୍ଜିରୁ ତେଲ ବାହାର କରିଥାନ୍ତି । ଟୋଲ ତେଲ ବାହାରି ଯେଉଁ ଛେପା ରହି ଯାଇଥାଏ ତାହାକୁ ଟୋଲ ଖରି (ଟୋଲ ପେରିଆ) କୁହାଯାଏ । ଗାଈ ବଳଦଙ୍କୁ ଟୋଲ ଖରି (ଟୋଲ ପେରିଆ) ଖାଇବାକୁ ଦେଲେ ରୋଗରୁ ମୁକ୍ତ ହେବା ସହ ସୁସ୍ଥ ରୁହନ୍ତି । ଆହୁରି ମଧ୍ୟ ବହୁତ ଉପକାରିତା ରହିଛି, ମଣିଷଙ୍କୁ ଯଦି କୌଣସି କାରଣ ବଶତଃ ଘା, କୁଣ୍ଡିଆ ହୋଇଥାଏ ଲଗେଇବା ଦ୍ୱାରା ଛାଡ଼ି ଯାଏ ବୋଲି ବିଶ୍ୱାସ ଅଛି । ମହୁଲ ଫୁଲର ବେଶ୍ ଚାହିଦା ରହିଥିବା ବେଳେ ମହୁଲ ଫଳର ବିକ୍ରି ବ୍ୟବସ୍ଥା ନ ଥିବାରୁ ସଂଗ୍ରହକାରୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହା କି ଆଗଭଳି ଆଉ ଟୋଲ ସଂଗ୍ରହକାରୀ ଦେଖିବାକୁ ମିଳୁନାହିଁ । ତେଣୁ ସରକାର ଏହି ଲଘୁଜାତ ଦ୍ରବ୍ୟକୁ ବଜାର ବ୍ୟବସ୍ଥା କରି କିଣିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।