ମା’ ଚାଲିଗଲେ ବୋଲି... ୧୦ ଦିନ ଶବ ଧରି ଘରେ ରହିଲେ ଦୁଇ ଝିଅ
ହାଇଦ୍ରାବାଦ: ଜାନୁଆରୀ ୨୩ରେ ମା’ ଚାଲିଗଲେ । ମା’ଙ୍କ ହଠାତ୍ ମୃତୁ୍ୟ ଦେଖି ଡିପ୍ରେସନକୁ ଚାଲିଗଲେ ପୁଅ ଓ ଝିଅ । ଦିନେ କି ଦିଦିନ ନୁହେଁ ଦଶ ଦିନ ଧରି ମା’ଙ୍କ ଶବ ନିକଟରେ ସେମିତି ବନ୍ଦ ଘରେ ପଡ଼ି ରହିଲେ । ଏମିତି ଏକ ଘଟଣା ୱାରସିଗୁଡ଼ା ସହରରେ ଘଟିଛି ।
ମୃତ ମା’ଙ୍କ ନାମ ହେଲା ସି ଲଳିଥା । ମା’ଙ୍କ ହଠାତ୍ ମୃତୁ୍ୟ ଖବରକୁ ସେମାନେ ଗ୍ରହଣ କରିପାରିଲେନି । ମା’ଙ୍କ ଶବ ଦେଖି ଦୁଇ ଝିଅ ସି ରେଭାଲି ଓ ସି ୟଶ୍ୱିଥାଙ୍କର ଚେତା ଚାଲିଗଲା । ପରେ ସେମାନେ ଡିପ୍ରେସନ ଭିତରକୁ ଚାଲିଯାଇଥିଲେ । ଦଶଦିନ ଭିତରେ ସେମାନଙ୍କ ଚେତା ଫେରିଥିଲେ ବି ମାନସିକ ଓ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ିଥିବାରୁ ବାହାରକୁ ଆସି ସୂଚନା ଦେଇନଥିଲେ । ଦଶ ଦିନ ଧରି ସେମାନେ କେବଳ ପାଣି ପିଇ ରହିଥିଲେ ବୋଲି ପୁଲିସ୍କୁ କହିଛନ୍ତି । ଶେଷରେ ସେମାନେ ପଦାକୁ ବାହାରିଥିଲେବି ସମ୍ପର୍କୀୟଙ୍କ ବିଷୟରେ କିଛି ମନେ ପକାଇ ପାରିନଥିଲେ । ଶେଷରେ ଜଣେ ପଡ଼ୋଶୀଙ୍କୁ ସହାୟତାରେ ସେମାନେ ଥାନାରେ ଜଣାଇଥିଲେ । ତେବେ ଶବ ବ୍ୟବଚ୍ଛେଦ ପରେ ସବୁ କିଛି ସ୍ପଷ୍ଟ ହେବବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଦଶ ଦିନ ଧରି ଗୋଟିଏ ବନ୍ଦ ଘରେ ଶବ ପଡ଼ି ରହିଥିଲେବି ପଡ଼ୋଶୀ କିଭଳି ଗନ୍ଧ ବାରିପାରୁନଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।