କାଉନସିଲ ବୈଠକରେ ଆଗତ ହେଲା ୨୦୨୫-୨୬ର ବଜେଟ୍
ବ୍ୟାସନଗର: ଶୁକ୍ରବାର ପୌର କାର୍ଯ୍ୟାଳୟରେ ପୈାରାଧ୍ୟକ୍ଷା ସୁବାସ ବଳଙ୍କ ଅଧ୍ୟକ୍ଷତାରେ ୨୦୨୫-୨୬ ପାଇଁ ବଜେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୨୬ୱାର୍ଡ଼ର ବିଭିନ୍ନ ସମସ୍ୟା ଯଥା- ରାସ୍ତା, ଆଲୋକୀକରଣ, ଡ୍ରେନ, ପୋଖରୀ ପୁନରୁଦ୍ଧାର, ପାର୍କ ପୁନରୁଦ୍ଧାର ଭଳି ବିଭିନ୍ନ କାର୍ଯ୍ୟ ନିମନ୍ତେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଉପସ୍ଥିତ କାଉନସିଲର ସେମାନଙ୍କ ୱାର୍ଡ଼ର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆବଶ୍ୟକତା ଦୃଷ୍ଟିରେ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପୈାରାଞ୍ଚର ବିଭିନ୍ନ ୱାର୍ଡ଼ରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା, ଡ଼୍ରେନ ନଥିବା କାରଣରୁ ଅନେକ ପରିବାର ବର୍ଷାଦିନେ ହିନସ୍ତା ଭୋଗୁଥିବାରୁ ସେସବୁ ୱାର୍ଡ଼କୁ ଅଗ୍ରାଧିକାର ଦିଆଯିବାକୁ କାଉନସିଲର ସହମତି ପ୍ରକାଶ କରିଥିଲେ । ପ୍ରସ୍ତାବ ବଜେଟ ପାଇଁ ଅନୁଦାନ ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ପଠାଯିବ । ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ୱାଟକୋ ଇଂଜିନିୟର ବିଚିତ୍ରାନନ୍ଦ ପୁହାଣଙ୍କ ଉପସ୍ଥିତିରେ ବୈଠକରେ କାଉନସିଲର ଅରନ୍ଧତି ପରିଡ଼ା, ବିଜୟ ଜେନା, କୁନି ହାଁସଦା, ସରୋଜୀନୀ ନାୟକ, ରଶ୍ମିତା ଖୁଣ୍ଟିଆ, ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶନୀ ପରିଡ଼ା, ଅଶୋକ ଦାସ, ସରିତା ଜେନା, ବୁଦୁନି ଦରାଇ, ସିଦ୍ଧାର୍ଥ ଶଙ୍କର ସାମଲ, ସନ୍ତୋଷ ବରାଳ, ଶିବାନନ୍ଦ ନାୟକ, ଅନ୍ନପୂର୍ଣ୍ଣା ତରାଇ, ଉର୍ମିଳା ପରିଡ଼ା, କୁମୁଦୁନି ରାଉତ, ପାର୍ଥସାରଥୀ ନାୟକ, ଦିଲୀପ ସେଠୀ ଏବଂ ରବିନ୍ଦ୍ର ରାଉତ ଉପସ୍ଥିତ ରହିଥିଲେ ।
ଆସିଲେନି ୬ କାଉନସିଲର
କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ୪କୋଟିର ପ୍ରକଳ୍ପ ଚୟନରେ ପକ୍ଷପାତିତା ଓ ଅନିୟମିିତତା ଅଭିଯୋଗ ଆଣିଥିଲେ ୬ଜଣ କାଉନସିଲର । ଯେଉଁମାନେ କି ଡ଼ାଇରେକ୍ଟ ପୈାରାଧ୍ୟକ୍ଷ ସୁବାସ ବଳଙ୍କୁ ଟାର୍ଗେଟ କରିଥିଲେ । ହେଲେ ଆଜି ବଜେଟ ଆଗତ ବୈଠକରେ ୨୪ନଂ କାଉନସିଲର ଅନୁପସ୍ଥିତ ରହିଥିଲେ । କାଉନସିଲ ବୈଠକ ନିଜର ମତ ରଖିବାର ଏକ ପ୍ରକୃଷ୍ଟ ସ୍ଥାନ ଏବଂ ନିଜ ୱାର୍ଡ଼ର ସମସ୍ୟା ଉପସ୍ଥାପନ କରିବାର ମାଧ୍ୟମ ହୋଇଥିଲେ ବିବୈଠକରେ ଅନୁପସ୍ଥିତ ରହି ଉପରୋକ୍ତ କାଉନସିଲର ନିଜ ୱାର୍ଡ଼ ପ୍ରତି ଉପେକ୍ଷା କରିଥିବା ଆଲୋଚନା ହେଉଛି ।
ୱାର୍ଡ଼ ଅବସ୍ଥା ବୁଲି ଦେଖିଲେ
ବର୍ଷା ଲାଗି ରହିବା କାରଣରୁ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ଯାବତୀୟ ସମସ୍ୟା ଉତ୍ପନ୍ନ ହୋଇଛି । ୱାର୍ଡ଼ବାସୀ ଅଭିଯୋଗ ନେଇ ପୌର କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଥିବା ସତ୍ତ୍ୱେ ବାସ୍ତବ ଅବସ୍ଥା ଦେଖିବାକୁ ପୌରାଧ୍ୟକ୍ଷ ସୁବାସ ବଳଙ୍କ ନେତୃତ୍ୱରେ କାଉନସିଲର ୪ ଏବଂ ୨୪ନଂ ୱାର୍ଡ଼ ବୁଲିଥିଲେ । ୪ନଂ ୱାର୍ଡ଼ର ବାକି ଓ ଆନସାର ପରିବାର ପାଣିଘେରରେ ଥିବାର ଦେଖିବାକୁ ପାଇଥିଲେ । ସଂପୃକ୍ତ ପରିବାରକୁ ପଡ଼ିଥିବା ରାସ୍ତାଟି ଯିବା ଆସିବା ଅନୁପଯୁକ୍ତ ହୋଇପଡ଼ିଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହ ସଂପୃକ୍ତ ୱାର୍ଡ଼ର କାଉନସିଲରଙ୍କ ସହ ଆଲୋଚନା କରିଥିଲେ ।