ରାଜପୁର ସରପଞ୍ଚଙ୍କ ସହ ଗଣ୍ଡଗୋଳ ଘଟଣା : ସରପଞ୍ଚ ଓ ଦଳିତ ସଂଘ ଦୁଇଭାଗ

 ରାଜନଗର: ରାଜପୁର ପଞ୍ଚାୟତ ସରପଞ୍ଚଙ୍କ ସହ ଗଣ୍ଡଗୋଳ ଘଟଣା ଏବେ ରୋଚକ ମୋଡ ନେଇଛି । ସରପଞ୍ଚ ସଂଘ ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ରାଜପୁର ସରପଞ୍ଚଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଚଳିତ ମାସ ୧୭ ତାରିଖରୁ ସରକାରୀ କାର୍ଯ୍ୟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ । ଏତଦ ବ୍ୟତୀତ ବ୍ଲକ୍ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଦଳିତ ସରପଞ୍ଚଙ୍କୁ ଉଚିତ ନ୍ୟାୟ ନମିଳିଲେ ଚଳିତ ମାସ ୧୮ତାରିଖ ଦିନ ୧୦ଟା ସମୟରେ ରାଜନଗର ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ । ଏହାକୁ ନେଇ ବ୍ଲକ ସରପଞ୍ଚ ସଂଘ ଓ ଦଳିତଙ୍କ ମଧ୍ୟରେ ଫାଟ ଦେଖା ଦେଇଛି । ଘଟଣାକ୍ରମରେ କୋଇଲିପୁର ସରପଞ୍ଚ ଦିଲ୍ଲୀପ ରାଉତ, ବାଲିସାହିପାଟଣା ସରପଞ୍ଚ ଶୁଚିସ୍ମିତା ପରିଡା, ଡାଙ୍ଗମାଳ ସରପଞ୍ଚ ଦୌପଦୀ ସେଠୀ, ବେଲପାଳ ସରପଞ୍ଚ ମାଳତୀ ବିଶ୍ୱାଳ, ରାଜପୁର ସମିତି ସଭ୍ୟ ଜନ୍ମେଜୟ ସେଠୀ, ବେଲପାଳ ସମିତି ସଭ୍ୟା କେତକୀ ମହାନ୍ତି, କୁରୁଂଟି ସମିତି ସଭ୍ୟା ପ୍ରେମଲତା ଦାସ, ବନ୍ଧପଡା ସମିତି ସଭ୍ୟା ପୁଷ୍ପଲତା ସିଅ, ଖମାରସାହି ସମିତି ସଭ୍ୟା ଶ୍ୟାମଳି ମାଇତି ଜଣାଇଛନ୍ତି ଯେ, ସରପଞ୍ଚଙ୍କ ସଂଘକୁ ଆୟୁଧ କରି ଘଟଣାରେ ସଂପୃକ୍ତ ନଥିବା ବ୍ୟକ୍ତିଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଛି । ଯାହାକି ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ସରପଞ୍ଚ ସଂଘର ଏକପାଖିଆ କାର୍ଯ୍ୟକୁ ବିରୋଧ କରିଛନ୍ତି । 
ସେହିପରି ୩୨ଜୋନର ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ରବିନ୍ଦ୍ରକୁମାର ସେଠୀଙ୍କ ନେତୃତ୍ୱରେ ଶ୍ରୀଚରଣ ସେଠୀ, ସୁଦର୍ଶନ ମଳିକ, ବିଜୟାଲକ୍ଷ୍ମୀ ମଳିକ, ବ୍ରାହ୍ମାନନ୍ଦ ସେଠୀ, ସୁଜାତା ସେଠୀ ଦଳିତ ସଂପ୍ରଦାୟର ବ୍ୟକ୍ତି ରାଜନଗର ଥାନାରେ ଏକ ଦାବିପତ୍ର ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ନିଜୟ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଦଳିତ ସଂଘକୁ ବ୍ୟବହାର କରି ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନିମାଇଁ ରାଉତ ଓ ଅନ୍ୟମାନଙ୍କ ନାମରେ ହୋଇଥିବା ମକଦ୍ଦମାରେ ପକ୍ଷଭୁକ୍ତ ହୋଇଛନ୍ତି । ଯାହାକୁ ଦଳିତମାନେ ତୀବ୍ର ବିରୁଦ୍ଧ କରୁଛନ୍ତି । ଅଭିଯୋଗ ହୋଇଥିବା ପ୍ରାକ୍ତନ ସରପଞ୍ଚ ଶ୍ରୀ ରାଉତ ଓ ଅନ୍ୟମାନଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ନହେଲେ ଚଳିତ ମାସ ୧୮ତାରିଖ ଦିନ ରାଜନଗର ଥାନା ସମ୍ମୁଖରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ସରପଞ୍ଚ ଓ ଦଳିତଙ୍କ ମଧ୍ୟରେ ଚାଲିଥିବା ଆରୋପ ଓ ପ୍ରତ୍ୟାରୋପ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।