ମା’କୁ ପିଠିରେ ବୋହିଲା ଝିଅ : ଡାକ୍ତରଖାନାରେ ଚାଲିଗଲା ଜୀବନ
ଫୁଲବାଣୀ : ଅଙ୍କାବଙ୍କା ଜଙ୍ଗଲି କାଦୁଅ ପଚ ପଚ ରାସ୍ତାରେ ଗୁରୁତର ମହିଳାଙ୍କୁ ୮ କିଲୋମିଟର ପିଠିରେ ପୁଅ ଝିଅ ମିଶି ବୋହିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ ପଞ୍ଚାୟତରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ ପଞ୍ଚାୟତର ତର୍ଲଙ୍ଗି ଗ୍ରାମର ଡୁମେରପଡା ଅଞ୍ଚଳର ମହିଳା ବଲମାଡୁ ମାଝୀ ସପରିବାର ସହ ରାତିରେ ଘରେ ଶୋଇଥିବା ବେଳେ, ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ିଲା । ପରିବାର ଲୋକେ ସକାଳୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁ କୁ ରାସ୍ତା ନଥିବାରୁ ଗାଁରେ ପହଁଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଗୁରୁତର ଅବସ୍ଥାରେ ବଲମାଡ଼ୁ ମାଝୀଙ୍କୁ ଅଙ୍କାବଙ୍କା ଜଙ୍ଗଲ ରାସ୍ତାରେ ଦୀର୍ଘ ୮ କିମି କାନ୍ଧରେ ବୋହି ପିକୁସ ଗାଁ ପର୍ଯ୍ୟନ୍ତ ଆଣିଥିଲେ ପରିବାର ଲୋକେ । ସେଠାରୁ ମହିଳାଙ୍କୁ ଆମ୍ବୁଲାନ୍ସରେ ଆଣି ପ୍ରଥମେ ତୁମୁଡିବନ୍ଧ ଓ ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ବାଲିଗୁଡ଼ାରେ ଚିକିସôାଧୀନ ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ସେପଟେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରିଲାନି । ଏବଂ ସଠିକ୍ ସମୟରେ ଆମେ ଡାକ୍ତରଖାନାରେ ପହଁଚି ପାରିଲୁ ନାହିଁ । ଯାହାଫଳରେ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ମୃତକଙ୍କ ପୁଅ । ଅନ୍ୟପଟେ ଏ ଘଟଣା ନୁଆ ନେହେଁ, ସବୁବେଳେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ । ଗାଁ କୁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ କାହାର ଦୃଷ୍ଟି ପଡ଼ିନାହିଁ । ଏଣୁ ଯଥାଶୀଘ୍ର ତର୍ଲଙ୍ଗି ଗାଁ ପ୍ରତି ସରକାର ଦୃଷ୍ଟି ଦେଇ ଆମ ସମସ୍ୟାର ସମାଧାନ କରନ୍ତୁ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ।